Advertisment

ଜିଏସ୍‌ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା, କାଲି ଜୟପୁରରେ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ସମସ୍ତ ଦୋକାନ

ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା।

author-image
Jitendra Garnayak
Chairman

Chairman

ସିଟି ଓ ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ହୃଦଘାତରେ କୋରାପୁଟ ଜିଲ୍ଲା ଜୟପୁରର ସୁନା ବ୍ୟବସାୟୀ ପି. ହରପ୍ରସାଦ (୪୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍ ଅଫ୍ କମର୍ସ। ଜୟପୁର ସହରର ସମସ୍ତ ଛୋଟ,ବଡ଼ ଦୋକାନ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି।

Advertisment

ଆସନ୍ତାକାଲିର ଏହି ବନ୍ଦ ଡାକରାରୁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବାଦ୍ ଦିଆଯାଇଛି। ଔଷଧ ଦୋକାନଗୁଡ଼ିକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହେବ ନାହିଁ। କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଥିବା ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ କହିଛନ୍ତି।

ଗତକାଲି ରାତିରେ ଦୀପାବଳି ପାଳି ଶୋଇବାକୁ ଯାଇଥିଲେ ପି. ହରପ୍ରସାଦ। ଆଜି ସକାଳ ୮ଟା ଯାଏଁ ସେ ଉଠି ନଥିଲେ। ସେ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ମା’ ଓ ସ୍ତ୍ରୀ ବାରମ୍ବାର ଡାକ ପକାଇ ତାଙ୍କୁ ଉଠାଇଥିଲେ। କିନ୍ତୁ ସେ ଉଠି ନଥିଲେ। ତେଣୁ ତାଙ୍କ ମା’ ଓ ସ୍ତ୍ରୀ ପଡ଼ୋଶୀଙ୍କୁ ଜଣାଇଥିଲେ। ପଡ଼ୋଶୀଙ୍କ ସହାୟତାରେ ତୁରନ୍ତ ପି. ହରପ୍ରସାଦଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। 

Advertisment

ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ସେହି ଦିନ ରାଜ୍ୟ ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନ ନ୍ୟୁ ବାସେବୀ ଜ୍ୱେଲର୍ସରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେହି ଦିନଠାରୁ ପି. ହରିପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।

ପି. ହରପ୍ରସାଦଙ୍କ ଭାଇ ପି. ରାଜେଶ କହିଛନ୍ତି ଯେ, ଗୋଟିଏ ପର୍ବ ବେଳେ ସିଟି ଓ ଜିଏସ୍‌ଟିର ଏଭଳି ଚଢ଼ାଉ ତାଙ୍କୁ (ପି. ହରପ୍ରସାଦଙ୍କୁ) ଖୁବ୍ ଆଘାତ ଦେଇଥିଲା। ଏକ ଘଣ୍ଟା କହି ୬ରୁ ୭ ଘଣ୍ଟା ଧରି ଦୋକାନ ଓ ଘରେ ସର୍ଚ୍ଚ କରିଥିଲା ସିଟି ଓ ଜିଏସ୍‌ଟି ଟିମ୍। ଆଉ ତା’ର ପ୍ରଭାବ ଭାଇଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ମଧ୍ୟ ଭାଇଙ୍କ ଦୋକାନରେ ଏମିତି ବାରମ୍ବାର ଚଢ଼ାଉ କରାଯାଇଛି। ଯଦି କିଛି ତ୍ରୁଟି ଥିଲା, କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତେ। କିନ୍ତୁ ତାହା ନ କରି ଏମିତି ବାରମ୍ବାର ଚଢ଼ାଉ କରାଯିବ ଯୋଗୁ ଲୋକେ କ’ଣ କହୁଥିବେ ଭାବି ଭାବି ଚିନ୍ତାଗ୍ରସ୍ତ ହୋଇଯାଇଥିଲେ। ଆଉ ଆଜି ତାଙ୍କର ମୃତ୍ୟୁ ହୋଇଗଲା।

ରିପୋର୍ଟ- ଜୟପୁରରୁ ଟି. ଗୌରୀଶଙ୍କର