Puri
ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ନବଗଠିତ ପରିଚାଳନା କମିଟିର ପ୍ରଥମ ବୈଠକ ବୁଧବାର ପୁରୀସ୍ଥିତ ‘ନୀଳାଦ୍ରୀ’ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରଚଳନ ଓ ରତ୍ନଭଣ୍ଡାରର ଗଣତିମଣତି ସମେତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ସହ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ନିମନ୍ତେ ୧୪ଟି ସବକମିଟି ଗଠନ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିରରେ ୧୫ରୁ ‘ଧାଡ଼ି ଦର୍ଶନ’ ଆରମ୍ଭ
ଚଳିତମାସ ୧୫ତାରିଖରୁ ପୁରୀ ଶ୍ରୀମନ୍ଦିରରେ ‘ଧାଡ଼ି ଦର୍ଶନ’ (କ୍ୟୁ-ଆଧାରିତ ଦର୍ଶନ) ପ୍ରଣାଳୀକୁ ପରୀକ୍ଷାମୂଳକ ଭାବେ ଲାଗୁ କରିବାକୁ ପରିଚାଳନା କମିଟି ମଞ୍ଜୁରୀ ଦେଇଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ, ଭକ୍ତମାନେ ନାଟମଣ୍ଡପରୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିପାରିବେ । ଏହି ପ୍ରଣାଳୀ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, ଧାଡ଼ି ଦର୍ଶନ ଭକ୍ତଙ୍କୁ ଏକ ସୁଗମ ଓ ଶୃଙ୍ଖଳିତ ଦର୍ଶନ ଅନୁଭବ ପ୍ରଦାନ କରିବ ଏବଂ ମନ୍ଦିରର ନୀତିକାନ୍ତିକୁ ଅକ୍ଷୁଣ୍ଣ ରଖିବ । ଏହି ପ୍ରଣାଳୀକୁ ତଦାରଖ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନଅଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି । ଏହି କମିଟି ଖୁବଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ,ଯାହା ଅନୁସାରେ ନାଟମଣ୍ଡପରେ ଧାଡ଼ି ଦର୍ଶନ ଆରମ୍ଭ କରାଯିବ ।
ଭକ୍ତଙ୍କ ସୁବିଧା ପାଇଁ ‘ନାଟମଣ୍ଡପ’ରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା
ଭକ୍ତମାନଙ୍କ ସୁବିଧା ନିମନ୍ତେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସଆଇ) ମଧ୍ୟ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛନ୍ତି । ଏହା ଖରାଦିନେ ଭକ୍ତମାନଙ୍କୁ ଆରାମଦାୟକ ଦର୍ଶନ ଅନୁଭବ ପ୍ରଦାନ କରିବ । ଏହାସହିତ ମହିଳା, ଶିଶୁ, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ସାମିଲ ରହିବ । ଅଧିକ ସୁବିଧା ପାଇଁ ପାନୀୟ ଜଳ, ଆସନ ବ୍ୟବସ୍ଥା ଏବଂ ସୂଚନା କେନ୍ଦ୍ର ଆଦି ମଧ୍ୟ ଯୋଗାଇ ଦିଆଯିବ ।
ଜଗମୋହନରୁ ହୁଣ୍ଡି ସ୍ଥାନାନ୍ତରଣ
ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପ୍ରଣାଳୀକୁ ସୁଗମ କରିବା ପାଇଁ ଜଗମୋହନ ଅଂଚଳରୁ ହୁଣ୍ଡି (ଦାନପାତ୍ର)କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଏହା ଭକ୍ତଙ୍କ ଦର୍ଶନ ପ୍ରକ୍ରିୟାକୁ ଆହୁରି ସହଜ କରିବ ଏବଂ ମନ୍ଦିର ପରିସରରେ ଶୃଙ୍ଖଳା ବଜାୟ ରଖିବ । ଏହି ପଦକ୍ଷେପ ଭକ୍ତଙ୍କ ପାଇଁ ଅଧିକ ସ୍ଥାନ ଉପଲବ୍ଧ କରାଇବ ଏବଂ ଦର୍ଶନ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବ ବୋଲି କୁହାଯାଇଛି ।
ରତ୍ନ ଭଣ୍ଡାରର ଗଣତିମଣତିରେ ପାରଦର୍ଶିତା ଓ ସଂରକ୍ଷଣ
ବୈଠକରେ ରତ୍ନ ଭଣ୍ଡାରର ଗଣତିମଣତି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି। ଏହି ବହୁ ପ୍ରତୀକ୍ଷିତ ପଦକ୍ଷେପ ଶ୍ରୀମନ୍ଦିରର ଐତିହାସିକ ସମ୍ପତ୍ତି ଓ ମୂଲ୍ୟବାନ ଅଳଙ୍କାରର ସୁରକ୍ଷା ଏବଂ ପାରଦର୍ଶିତା ନିଶ୍ଚିତ କରିବ। ରତ୍ନଭଣ୍ଡାର ସବକମିଟି ଏହି କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବ ଓ ସମସ୍ତ ସାମଗ୍ରୀର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବ।
୧୪ଟି ସବକମିଟି: ଶ୍ରୀମନ୍ଦିର ପରିଚାଳନାରେ ବ୍ୟାପକ ସଂସ୍କାର
ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ୧୪ଟି ସବକମିଟି ଗଠନ କରାଯାଇଛି ।
ସାମ୍ବିିଧାନିକ ସବକମିଟି: ଅର୍ଥ, ନୀତି, ରତ୍ନ ଭଣ୍ଡାର ଏବଂ ଅପିଲ ସଂପର୍କିତ ।
ସୁରକ୍ଷା ସବକମିଟି: ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ପୁରୀ ଏସପି ଏବଂ ଶ୍ରୀମନ୍ଦିରର ସେବାୟତମାନେ ସାମିଲ ରହିବେ । ଶ୍ରୀମନ୍ଦିର ପରିସରରେ ସିସିଟିଭି ନିରୀକ୍ଷଣ, ସୁରକ୍ଷା କର୍ମଚାରୀଙ୍କ ତାଲିମ ଏବଂ ଜରୁରୀକାଳୀନ ଯୋଜନା ଉପରେ ଏହି କମିଟି କାର୍ଯ୍ୟ କରିବ ।
ଗବେଷଣା ଓ ପ୍ରକାଶନା: ଶ୍ରୀ ଜଗନ୍ନାଥ ସଂସ୍କୃତି, ପରଂପରା ଓ ଇତିହାସର ସଂରକ୍ଷଣ ଏବଂ ପ୍ରଚାର ।
ସେବାୟତ କଲ୍ୟାଣ: ସେବାୟତଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟ ।
ଭୂମି ପରିଚାଳନା: ମନ୍ଦିର ସମ୍ପତ୍ତିର ସୁରକ୍ଷା ଓ ବ୍ୟବସ୍ଥାପନା ।
ନୀତିକାନ୍ତି: ଶ୍ରୀମନ୍ଦିରର ନୀତିକାନ୍ତି ଓ ଅନୁଷ୍ଠାନର ସୁଚାରୁ ପରିଚାଳନା ।
ଏସବୁ ସମେତ ପରିଚାଳନା ବୈଠକରେ ଆସନ୍ତା ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାର ଏହାକୁ ଗଠନ ଦିଗରେ ବିଳମ୍ବ କରିଥିଲେ । ଗତମାସରେ ଏହି କମିଟି ପୁଣିଥରେ ଗଠନ ହେବାପରେ ଆଜି ତା’ର ପ୍ରଥମ ବୈଠକ ହୋଇଥିଲା । ଏହି ନୂଆ କମିଟିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷ ଥିବାବେଳେ ସଦସ୍ୟ ଭାବେ ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ର୍ମୁମୁ, ଶ୍ରମନ୍ଦିର ସେବାୟତ ସମେତ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ରହିଛନ୍ତି ।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ପାଢ଼ୀ କହିଛନ୍ତି ଯେ, ସବକମିଟିଗୁଡ଼ିକ ଶୀଘ୍ର ନିଜ ନିଜ କାର୍ଯ୍ୟ ଯୋଜନା ଉପରେ କାମ ଆରମ୍ଭ କରିବେ । ଭକ୍ତଙ୍କୁ ଉନ୍ନତ ଅନୁଭବ ପ୍ରଦାନ କରିବା ଏବଂ ମନ୍ଦିରର ସମସ୍ତ ଦିଗରେ ସୁବ୍ୟବସ୍ଥିତ ପରିଚାଳନା ନିଶ୍ଚିତ କରିବା ଆମର ପ୍ରାଥମିକତା । ଧାଡ଼ି ଦର୍ଶନ ପ୍ରଣାଳୀ ସଫଳ ହେଲେ, ଏହାକୁ ସ୍ଥାୟୀ ଭାବେ ଲାଗୁ କରାଯାଇପାରେ । ଏହା ସହିତ ଡିଜିଟାଲ ସୁବିଧା, ଅନଲାଇନ ଦର୍ଶନ ବୁକିଂ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଭକ୍ତଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଯୋଜନା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puri_1756906547.jpg)