୧୫ କୋଟି ୩୫ ଲକ୍ଷ ୭୨ ବଲକ୍‌ ଲିଟର ବିୟର ପିଇଦେଲେ ମଦୁଆ

ଗତ ୧୦ ବର୍ଷର ତଥ୍ୟ ରଖି ଅବକାରୀ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି।

Representative Image

  • Published: Saturday, 07 December 2024
  • , Updated: 07 December 2024, 09:20 PM IST

ଓଡ଼ିଶାରେ ମଦ ବିକ୍ରି ବଢିଛି। ଅବକାରୀ ରାଜସ୍ୱ ଆୟ ମଧ୍ୟ ବଢ଼ି ଚାଲିଛି। ବିଦେଶୀ ହେଉ କି ଦେଶୀ ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ। ଚଳିତବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ ଲକ୍ଷ ୭୨ ବଲକ୍‌ ଲିଟର ବିୟର।

ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନର ଉତ୍ତର ରଖି ଏଭଳି ଆଖି ତରାଟିଲା ଭଳି ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗତ ୧୦ ବର୍ଷର ତଥ୍ୟ ରଖି ଅବକାରୀ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି। ସେହିପରି ୪୮୨ଟି ଦେଶୀ ମଦ ଦୋକାନରେ ମହୁଲି ମଦ ବିକ୍ରି ହେଉଛି। ପ୍ରତିବର୍ଷ ମଦ ବିକ୍ରି ବଢି ବଢି ଚାଲିଛି ଓ ୨୦୨୩-୨୪ ମସିହାରେ ଅବକାରୀ ରାଜସ୍ୱ ଆୟ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି।

ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର LP ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଏଲପି ଲିଟର ବିକ୍ରି ହୋଇଛି। ସେହିପରି ୨୦୨୨-୨୩ରେ ୧୨କୋଟି ୯ ଲକ୍ଷ ୬୭ ହଜାର ବଲ୍‌କ ଲିଟର ବିୟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ଏହା ବଢ଼ି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟରରେ ପହଞ୍ଚିଛି। ଏଥିସହ ୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୯୮ ଲକ୍ଷ ୪୩ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଛି।

ଗୋଟିଏ ପଟେ ରାଜ୍ୟରେ ମଦ ବ୍ରିକି ବଢିବା ସହ ଅବକାରୀ ରାଜସ୍ୱ ଆୟ ବଢୁଥିଲେ ମଧ୍ୟ ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ନିଶାମୁକ୍ତି ଅଭିଯାନ ସଂଗଠନ। ସେମାନଙ୍କ ମତରେ ମଦ ବିକ୍ରି ବଢିବା ସହ ମଦୁଆଙ୍କ ସଂଖ୍ୟା ମଧ୍ୟ ହୁ ହୁ ବଢ଼ି ଚାଲିଛି। ସମାଜ ଉପରେ କୁପ୍ରଭାବ ପଡ଼ିବା ସହ ଅପରାଧ ଗ୍ରାଫ୍‌ ମଧ୍ୟ ଉପର ମୁହାଁ ହେବାରେ ଲାଗିଛି। ବହୁ ପରିବାର ଉଜୁଡୁଛି ଓ ମଦ୍ୟପାନ ଯୋଗୁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ତେଣୁ ସରକାର କେବଳ ଆୟ ବୃଦ୍ଧି କଥା ନଭାବି ମଦର କୁପ୍ରଭାବ ଦିଗରେ ଚିନ୍ତା କରିବା ଅତ୍ୟନ୍ତ ଜରୁରୀ।

ସେହିପରି ପୂର୍ବତନ ଅବକାରୀ କମିଶନରଙ୍କ ସୂଚନା ଅନୁସାରେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ୩୨ ପ୍ରତିଶତ ଲୋକ ମଦ୍ୟପାନରେ ଅଭ୍ୟସ୍ତ। ଯାହାଙ୍କ ଭିତରେ ୫ ପ୍ରତିଶତ ମହିଳା ଅଛନ୍ତି। ଏହା ଏକ ଉଦବେଗର ବିଷୟ, ସରକାର ଆଉ ଅଧିକ ମଦଦୋକାନ ନଖୋଲି ଡିମାଣ୍ଡ ହ୍ରାସ ଦିଗରେ ଦୃଷ୍ଟି ଦେବା ଦରକାର।

ମଦ ବିକ୍ରି ତଥ୍ୟ ଉପସ୍ଥାପନ ଭିତରେ ବିଧାନସଭାରେ ଆଜି ବିଧାୟକ ସନାତନ ମହାକୁଡ଼ କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସନାତନ କହିଛନ୍ତି, କାଚ ବୋତଲରେ ମଦ ବିକ୍ରି ଯୋଗୁ ଲୋକେ ବ୍ୟବହାର ପରେ ଏହାକୁ ଏଣେ ତେଣେ ଫିଙ୍ଗୁଛନ୍ତି। ଯାହାଦ୍ୱାରା ପରିବେଶ ନଷ୍ଟ ହେବା ସହ ଅକାରଣରେ ମଣିଷ ଓ ପ୍ରାଣୀ ଆହତ ହେଉଛନ୍ତି।

Related story