Advertisment

୨୦ ବର୍ଷରେ ଓଡ଼ିଶାରୁ ଫେରିଗଲେ ୨୧ ଶିଳ୍ପ !

କେଉଁଠି ଜମି ଅଧିଗ୍ରହଣରେ ସମସ୍ୟା ତ କେଉଁଠି ଏମଓୟୁ ପରେ ବି ଖଣି ଯୋଗାଇପାରିନାହାନ୍ତି ସରକାର। ଆଉ କେଉଁଠି ନିଜେ କମ୍ପାନୀ ଦେବାଳିଆ ହୋଇ ବିକ୍ରି ହୋଇଯାଇଛନ୍ତି ବା ପ୍ରକଳ୍ପରୁ ଓହରିଯାଇଛନ୍ତି।

Odisha

Odisha

Advertisment

୨୦୧୬, ୨୦୧୮ ଓ ୨୦୨୨ରେ ଓଡ଼ିଶାରେ ହୋଇଥିଲା ତିନିଟି ମେକ ଇନ୍‌ ଓଡ଼ିଶା କନକ୍ଲେଭ୍। ତା` ପରେ ଏବେ ୨୦୨୫ରେ ହୋଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ। ପୁଞ୍ଜି ଓ ଶିଳ୍ପକୁ ଆକର୍ଷିତ କରିବାକୁ ତିଆରି କରାଯାଇଛି ଅନେକ ଶିଳ୍ପ ନୀତି। ହେଲେ ବାସ୍ତବତା ଅଲଗା। ଗତ ୨୦ ବର୍ଷରେ ଅର୍ଥାତ୍ ୨୦୦୪ରୁ ୨୦୨୪ ମସିହା ମଧ୍ୟରେ ୨୧ଟି ବଡ଼ ଶିଳ୍ପ ସରକାରଙ୍କ ସହ ବୁଝାମଣା ପତ୍ର ବା ଏମଓୟୁ ସ୍ବାକ୍ଷର କରି ବି ଶିଳ୍ପ ପ୍ରତିଷ୍ଠାରୁ ଓହରିଯାଇଛନ୍ତି।

Advertisment

ବିଶେଷ କରି ଲୌହ, ଆଲୁମିନିୟମ ଓ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠାରୁ ଓହରିଯାଇଛନ୍ତି ୨୧ଟି ଶିଳ୍ପ ପ୍ରତିଷ୍ଠାନ। କେଉଁଠି ଜମି ଅଧିଗ୍ରହଣରେ ସମସ୍ୟା ତ କେଉଁଠି ଏମଓୟୁ ପରେ ବି ଖଣି ଯୋଗାଇପାରିନାହାନ୍ତି ସରକାର। ଆଉ କେଉଁଠି ନିଜେ କମ୍ପାନୀ ଦେବାଳିଆ ହୋଇ ବିକ୍ରି ହୋଇଯାଇଛନ୍ତି ବା ପ୍ରକଳ୍ପରୁ ଓହରିଯାଇଛନ୍ତି।

ଚାର୍ଟଡ ଆକାଉଣ୍ଟାଣ୍ଟ ରାଜନାରାୟଣ ତ୍ରିପାଠୀ କହିଛନ୍ତି, “ସରକାର ଶିଳ୍ପ ପ୍ରତିଷ୍ଠାନ ପାଇଁ ଏମଓୟୁ କଲା ପରେ ଖଣି ଦେଇ ନପାରିବା ଏକ ସରକାରୀ ବିଫଳତା। ବଡ଼ କମ୍ପାନୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନକଲେ ଏହା ବିଦେଶରେ ବି ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିଥାଏ। ଅନ୍ୟ ଶିଳ୍ପାନୁଷ୍ଠାନ ରାଜ୍ୟକୁ ଆସିବାକୁ ଆଗ୍ରହ ଦେଖାଇବେ ନାହିଁ। ତେବେ କିଛି କମ୍ପାନୀ ଚୁକ୍ତି କଲା ପରେ ବି ଦେବାଳିଆ ହେବାରେ କିଛି ଅସ୍ୱଭାବିକତା ନାହିଁ।”

Advertisment

ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଦେଇଥିବା ଉତ୍ତର ଦେଖିଲେ ଜଣାପଡ଼ିଛି ଯେ ଏହି କୋଡିଏ ବର୍ଷରେ ରାଜ୍ୟ ସରକାର ୧୦୯ଟି ବୃହତ୍ ଶିଳ୍ପ ସଂସ୍ଥା ସହ ଶିଳ୍ପ ପ୍ରତିଷ୍ଠା ପାଇଁ ଏମଓୟୁ କରିଥିଲେ। ଏବେ କେବଳ ୨୦୨୫ରେ ୧୪୫ଟି ଏମଓୟୁ ହୋଇଛି। ପାରାଦୀପରେ ପସ୍କୋ, କେନ୍ଦୁଝରରେ ଆର୍ସେଲର ମିତ୍ତଲ ଭଳି ବଡ଼ ଶିଳ୍ପ କମ୍ପାନୀ ଜମି ଅଧିଗ୍ରହଣ ସମସ୍ୟା ପାଇଁ ପ୍ରକଳ୍ପରୁ ଓହରିଯାଇଥିବାବେଳେ ଆରଏସବି ମେଟାଲଟେକ୍ ପ୍ରାଇଭେଟ ଲିମିଟେଡ୍ ଖଣି ନ ପାଇ ଢେଙ୍କାନାଳ ଓ ରାୟଗଡ଼ାରେ ଆଲମୁନିୟମ ସ୍ମେଲଟର ପ୍ଲାଣ୍ଟ ବସାଇପାରିନଥିବା ଦେଖାଯାଇଛି।

ଆର୍ଥିକ ଭାବେ ଦେବାଳିଆ ହୋଇପଡ଼ିବାରୁ କଟକ ଆଠଗଡ଼ରେ ଭିସା ପାୱାର ଲିମିଟେଡ୍, କେଭିକେ ନୀଳାଚଳ ପାୱାର ପ୍ରାଇଭେଟ୍ ଲିମିଟେଡ୍, ଅନୁଗୁଳରେ ମନେଟ୍ ଇସ୍ପାତ ଆଣ୍ଡ୍ ଏନର୍ଜି ଲିମିଟେଡ ଭଳି କମ୍ପାନୀ କାରଖାନା ବସାଇପାରିନଥିଲେ ବୋଲି ଦର୍ଶାଯାଇଛି।

ଉତ୍କଳ ଚାମ୍ବର ଅଫ୍ କମର୍ସ ସମ୍ପାଦକ ଡ ସଂଜୀବ ମହାପାତ୍ର କହିଛନ୍ତି, “କେବଳ ସିଙ୍ଗଲ-ଓ୍ବିଣ୍ଡୋ କହିଲେ କହି ମଲଟିପୁଲ ରୁମ୍ ରଖିଲେ ହେବ ନାହିଁ। ସିଙ୍ଗଲ-ଓ୍ବିଣ୍ଡୋ ମାନେ ସିଙ୍ଗଲ-ଓ୍ବିଣ୍ଡୋ ହେଲେ ହିଁ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକ ଓଡ଼ିଶା ଆସିବେ। ବର୍ତ୍ତମାନର ସରକାର ଏଦିଗରେ ନିଷ୍ଠା ଦେଖାନ୍ତୁ।”

ଅନ୍ୟପଟରେ ଫେବ୍ରୁଆରୀ ୨୧ ତାରିଖରେ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଦେଇଥିବା ଉତ୍ତର ଦେଖିଲେ ରାଜ୍ୟରେ ଚୌଦ୍ୱାରରେ ଓଟିଏମଠାରୁ ଆରମ୍ଭ କରି ଝାରସୁଗୁଡ଼ାର ଭାସ୍କର ଟେକ୍ସଟାଇଲ, କୋଣାର୍କର ଲିବ୍ରା କାର୍ପେଟ୍, ଯାଜପୁରର କୋଣାର୍କ ଝୋଟ କଳ, କୋରାପୁଟର ବାଲାରପୁର କାଗଜ କଳ ଭଳି ୪୩ଟି ବୃହତ୍ ଶିଳ୍ପ ବନ୍ଦ ହୋଇପଡ଼ିଛି। ୨୦୨୦ରୁ ୨୦୨୪ ଅର୍ଥାତ୍ ୫ ବର୍ଷ ଭିତରେ ମାତ୍ର ୩୦ଟି ବୃହତ ଶିଳ୍ପ କିଛି ମାତ୍ରାରେ କାର୍ଯ୍ୟକ୍ଷମ ହୋଇଛି। ଆଉ ଏଥିରୁ ମାତ୍ର ୨୦ ହଜାର କୋଟିର ପୁଞ୍ଜି ଆସିଛି। ଯେଉଁଥିରେ ୨୦ ହଜାରରୁ ବି କମ୍ ନିଯୁକ୍ତି ସୃଷ୍ଟି ହୋଇଥିବା ଦର୍ଶାଯାଇଛି।

ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ପୂର୍ବ ତୁଳନାରେ ସରକାର ଏବେ ଏମଓୟୁ କରିଥିବା ଶିଳ୍ପାନୁଷ୍ଠାନ ପାଇଁ ଯେଭଳି ସମସ୍ୟା ସୃଷ୍ଟି ନ ହେବ ସେ ନେଇ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସବୁ ସଚିବଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆଶା କରୁଛୁ ଏବେ ଓଡ଼ିଶାକୁ ଅଧିକ ଶିଳ୍ପ ଆସିପାରିବ।”

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Odisha Industrial Land Industry Leaving Odisha Odisha Industry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe