/odisha-reporter/media/post_attachments/uploadimage/library/16_9/16_9_0/Sex_Worker_1748956251.jpg)
Sex Worker
ରାଜ୍ୟରେ ପ୍ରଥମଥର ପାଇଁ ସବୁ ଜିଲ୍ଲାରେ ଯୌନକର୍ମୀଙ୍କ ସଂଖ୍ୟାର ଆକଳନ ସହ ‘ହଟସ୍ପଟ୍’ ଅଂଚଳ ଚିହ୍ନଟ ହୋଇଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମହିଳା ଯୌନକର୍ମୀ, ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷ ଯୌନକର୍ମୀ, ହିଞ୍ଜଡ଼ା ଓ ତୃତୀୟ ଲିଙ୍ଗୀଙ୍କ ସମେତ ଡ୍ରଗ୍ସ ଇଞ୍ଜେକସନ୍ ନେଉଥିବା ବ୍ୟକ୍ତିମାନଙ୍କ ଭଳି ସମ୍ବେଦନଶୀଳ ଜନଗୋଷ୍ଠୀକୁ ଚିହ୍ନଟ କରାଯାଇଛି । ଏହି ଗୋଷ୍ଠୀଙ୍କ ମାଧ୍ୟମରେ ଏଚଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ବେଶୀ ରହିଛି । ଭାରତ ସରକାରଙ୍କ ସଂସ୍ଥା ନ୍ୟାସନାଲ ଏଡସ କଂଟୋଲ ଅର୍ଗାନାଇଜେସନ୍ (ନାକୋ) ଦ୍ୱାରା ପ୍ରସ୍ତୁତ ‘ପ୍ରୋଗ୍ରାମଟିକ୍ ମ୍ୟାପିଂ ଆଣ୍ଡ ପପୁଲେସନ୍ ସାଇଜ୍ ଏଷ୍ଟିମେଟ(ପିଏମପିଏସଇ) ରିପୋର୍ଟ ରାଜ୍ୟରେ ପ୍ରଥମଥର ପାଇଁ ସମସ୍ତ ୩୦ ଜିଲ୍ଲାରେ ଏଭଳି ସର୍ଭେକୁ ବାସ୍ତବରୂପ ଦେଇଛି ଯେଉଁଥିରେ ଯୌନକର୍ମୀଙ୍କ ସଂଖ୍ୟା, ହଟସ୍ପଟ , ନେଟୱାର୍କ ଅପରେଟର୍ସ ଆଦି ଚିହ୍ନଟ ସମ୍ଭବପର ହୋଇପାରିଛି । ବିଭିନ୍ନ ମାନଦଣ୍ଡରେ ପ୍ରସ୍ତୁତ ଏହି ରିପୋର୍ଟ ପ୍ରତିଷ୍ଠିତ ‘ଗ୍ଲୋବାଲ ପ୍ଲବିକ୍ ହେଲଥ’ ଜର୍ଣ୍ଣାଲର ୨୦୨୫ ମେ’ ମାସ ସଂସ୍କରଣରେ ପ୍ରକାଶିତ ହେବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ୟୁଏସଏଆଇଡି ଆଦି ସଂସ୍ଥା ମଧ୍ୟ ଅନୁମୋଦିତ ବୋଲି ଜଣାପଡ଼ିଛି । ଓଡ଼ିଶା ସମେତ ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୋଟ ୬୫୧ଟି ଜିଲ୍ଲାରେ ୨୦୨୦ ଜାନୁୟାରୀରୁ ୨୦୨୨ ନଭେମ୍ବର ମାସ ମଧ୍ୟରେ ଏହି ସର୍ଭେ ହୋଇଛି, ଯେଉଁଥିରେ ଏଚଆଇଭି ସଂକ୍ରମଣ ଆଶଙ୍କା ଥିବା ହଟସ୍ପଟ ଅଂଚଳର ମ୍ୟାପିଙ୍ଗ, ନେଟୱାର୍କ ଅପରେଟର୍ସ, ଲିଙ୍କ୍ ୱାର୍କସ ସ୍କିମ(ଏଲଡବ୍ଲ୍ୟୁଏସ) ଭିଲେଜରେ ଏହି ସମ୍ବେଦନଶୀଳ ଜନଗୋଷ୍ଠୀଙ୍କ ମାଧ୍ୟମରେ ଏଚଆଇଭି ସଂକ୍ରମଣର ଆକଳନ କରାଯାଇଛି ।
ଓଡ଼ିଶାର ସ୍ଥିତି
ପିଏମପିଏସଇ ରିପୋର୍ଟ ଅନୁସାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଛି । ରିପୋର୍ଟ ଅନୁସାରେ ରାଜ୍ୟର ୬ଟି ଜିଲ୍ଲାରେ ଲିଙ୍କ୍ ୱାର୍କସ ସ୍କିମ୍ ଓ ୨୪ଟି ଜିଲ୍ଲାକୁ ଟାର୍ଗେଟେଡ୍ ଇଣ୍ଟରଭେନସନ୍ (ଟିଆଇ) ଭାବେ ବର୍ଗୀକୃତ ହୋଇଛି । ଯେଉଁ ସମ୍ବେଦନଶୀଳ ଜନଗୋଷ୍ଠୀ ମାଧ୍ୟମରେ ଏଚଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ସେମାନଙ୍କ ସଂଖ୍ୟା ଓ ହଟସ୍ପଟ ଅଂଚଳକୁ ଚିହ୍ନଟ କରାଯାଇଛି । ଯାହାକି ଭବିଷ୍ୟତରେ ସରକାର ଓ ପ୍ରଶାସନ ପାଇଁ ଏଚଆଇଭିକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ।
ମହିଳା ଯୌନକର୍ମୀ(ଏଫଏସଡବ୍ଲ୍ୟୁ)
ଆନୁମାନିକ ସଂଖ୍ୟା-୨୪୬୨୦(ସର୍ବନିମ୍ନ ୨୧୫୨୮ରୁ ସର୍ବାଧିକ ୨୭୭୧୨)
ହଟସ୍ପଟ ଅଂଚଳ- ୨୧୧୩ଟି
ନେଟୱାର୍କ ଅପରେଟର୍ସ - ୧୯୦
ଏଲଡବ୍ଲ୍ୟୁଏସ୍ ଭିଲେଜ୍ - ୯୫୭
ପ୍ରତି ଏକ ହଜାର ପ୍ରାପ୍ତ ବୟସ୍କ ମହିଳାଙ୍କ ମଧ୍ୟରେ ୧.୯୭ଜଣ ଯୌନକର୍ମୀ ଚିହ୍ନଟ
ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷ ଯୌନକର୍ମୀ(ଏମଏସଏମ)
ଆନୁମାନିକ ସଂଖ୍ୟା-୫୯୭୭(ସର୍ବନିମ୍ନ ୫୨୬୦ରୁ ସର୍ବାଧିକ ୬୬୯୩)
ହଟସ୍ପଟ ଅଂଚଳ- ୬୧୮ଟି
ନେଟୱାର୍କ ଅପରେଟର୍ସ - ୨୪
ଏଲଡବ୍ଲ୍ୟୁଏସ୍ ଭିଲେଜ୍ - ୪୫୮
ପ୍ରତି ଏକ ହଜାର ପ୍ରାପ୍ତ ବୟସ୍କ ପୁରୁଷଙ୍କ ମଧ୍ୟରେ ୦.୪୭ଜଣ ଯୌନକର୍ମୀ ଚିହ୍ନଟ
ଡ୍ରଗ୍ସ ଇଞ୍ଜେକସନ୍ ନେଉଥିବା ବ୍ୟକ୍ତି(ପିଡବ୍ଲ୍ୟୁଆଇଡି)
ଆନୁମାନିକ ସଂଖ୍ୟା-୪୫୨୫(ସର୍ବନିମ୍ନ ୩୯୧୮ରୁ ସର୍ବାଧିକ ୫୧୩୩)
ହଟସ୍ପଟ ଅଂଚଳ- ୪୦୧ଟି
ନେଟୱାର୍କ ଅପରେଟର୍ସ - ୪୬
ଏଲଡବ୍ଲ୍ୟୁଏସ୍ ଭିଲେଜ୍ - ୯
ପ୍ରତି ଏକ ହଜାର ପ୍ରାପ୍ତ ବୟସ୍କ ପୁରୁଷଙ୍କ ମଧ୍ୟରେ ୦.୩୬ଜଣ ଚିହ୍ନଟ
ହିଞ୍ଜଡ଼ା/ଟ୍ରାନ୍ସଜେଣ୍ଡର
ଆନୁମାନିକ ସଂଖ୍ୟା-୭୨୦୯(ସର୍ବନିମ୍ନ ୬୨୭୭ରୁ ସର୍ବାଧିକ ୮୧୪୦)
ହଟସ୍ପଟ ଅଂଚଳ- ୭୧୭ଟି
ନେଟୱାର୍କ ଅପରେଟର୍ସ - ୯୧
ଏଲଡବ୍ଲ୍ୟୁଏସ୍ ଭିଲେଜ୍ - ୧୭୫
ପ୍ରତି ଏକ ହଜାର ପ୍ରାପ୍ତ ବୟସ୍କ ପୁରୁଷଙ୍କ ମଧ୍ୟରେ ୦.୫୭ଜଣ ଚିହ୍ନଟ
ନେଟୱାର୍କ ଅପରେଟର୍ସଙ୍କ ବୃଦ୍ଧି ଯୋଗୁଁ ଯୌନକାର୍ଯ୍ୟରେ ୧୪% ଅଧିକ ମହିଳା ଯୌନକର୍ମୀ, ୭% ପୁରୁଷ ଯୌନକର୍ମୀ ଓ ୮% ହିଞ୍ଜିଡ଼ା/ଟ୍ରାନ୍ସଜେଣ୍ଡର ନିୟୋଜିତ ଥିବା ଜଣାପଡ଼ିଛି । ଏହାବ୍ୟତୀତ ହଟସ୍ପଟ ଅଂଚଳରେ ଅଧିକ ଲୋକଙ୍କ ସକ୍ରିୟତା ଯୋଗୁ ଏଚଆଇଭି ସଂକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଓଡ଼ିଶାରେ ଏଚଆଇଭି ସଂକ୍ରମିତଙ୍କ ସ୍ଥିତି
ରାଜ୍ୟରେ ୨୦୨୪ ଡିସେମ୍ବର ଶେଷସୁଦ୍ଧା ମୋଟ ୬୩୭୪୨ଜଣ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯେଉଁଥିରେ ୨୦୯୩୫ଜଣ ମହିଳା । ତେବେ ୨୦୨୪ ମସିହାରେ ୨୫୫୧ଟି ନୂଆ ଏଚଆଇଭି ସଂକ୍ରମିତ ମାମଲା ଚିହ୍ନଟ ହେବା ରାଜ୍ୟରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯୧୫୫ଜଣ, କଟକରେ ୭୯୯୪ଜଣ, ଖୋର୍ଦ୍ଧାରେ ୪୨୧୦ଜଣ, ସମ୍ବଲପୁରରେ ୩୮୦୭ଜଣ, ଅନୁଗୁଳରେ ୨୬୪୧ଜଣ, ବଲାଙ୍ଗୀରରେ ୨୩୪୫ଜଣ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ୨୦୨୩ ମସିହା ସୁଦ୍ଧା ରାଜ୍ୟରେ ୬୦୮୮୬ଜଣ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗତ ମାର୍ଚ୍ଚମାସରେ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ୨୦୩୦ ମସିହା ସୁଦ୍ଧା ରାଜ୍ୟକୁ ନୂଆ ଏଚଆଇଭି ସଂକ୍ରମଣଶୂନ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ଦ୍ୱାରା ୧୬୭ଟି ଏଚଆଇଭି ପରାମର୍ଶ କେନ୍ଦ୍ର, ୧୨୩୨ଟି ଏଚଆଇଭି ପରୀକ୍ଷା କେନ୍ଦ୍ର, ୫୨ଟି ଟାର୍ଗେଟେଡ୍ ଇଣ୍ଟରଭେନସନ୍ ପ୍ରକଳ୍ପ ଜାରି ରହିଛି ।
ରାଜ୍ୟରେ ବ୍ୟାପକ ପ୍ରଚାର-ପ୍ରସାର ଓ ସଚେତନତାର ଅଭାବ ସହ ଲୋକାଭିମୁଖୀ ଯୋଜନା ନଥିବାରୁ ଏହି ସମ୍ବେଦନଶୀଳ ଜନଗୋଷ୍ଠୀ ମଧ୍ୟରେ ଏଚଆଇଭି ସଂକ୍ରମଣକୁ ରୋକିବା ନେଇ ଆବଶ୍ୟକ ପରିବେଶ ଓ ପ୍ରକ୍ରିୟା ବାସ୍ତବ ରୂପ ନେଇପାରିନଥିବା ଜଣାପଡ଼ିଛି । ଅବଶ୍ୟ ଏହି ପିଏମପିଏସଇ ରିପୋର୍ଟ ରାଜ୍ୟ ସରକାରଙ୍କୁ ନିଜର ନୀତି ନିର୍ଦ୍ଧାରଣ ନିମନ୍ତେ ପ୍ରୋତ୍ସାହିତ କରିବ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏକ ଉପାଦେୟ ତଥ୍ୟ ସାବ୍ୟସ୍ତ ହେବ । ସମଗ୍ର ବିଶ୍ୱରେ ଏଚଆଇଭି ସଂକ୍ରମଣ ହାରରେ ଭାରତ ଦ୍ୱିତୀୟ ଜନବହୁଳ ଦେଶ ଭାବେ ପରିଗଣିତ ହେଉଛି । ଯଦିଓ ଜାତୀୟ ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯୋଗୁ ଦେଶରେ ୨୦୧୦ରୁ ୨୦୨୩ ମସିହା ମଧ୍ୟରେ ନୂଆ ଏଚଆଇଭି ସଂକ୍ରମଣ ହାର ୪୪% ହ୍ରାସ ପାଇଛି ଓ ଏଡସ ସମ୍ବନ୍ଧିତ ମୃତ୍ୟୁହାର ମଧ୍ୟ ୭୯% କମିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
