ବାର୍ଡ ଫ୍ଲୁ: ମରାଗଲାଣି ୨୬ ହଜାର କୁକୁଡ଼ା

‘ବାର୍ଡ ଫ୍ଲୁକୁ ନେଇ ଲୋକମାନେ ଚିନ୍ତିତ ହେବା ଅନୁଚିତ। ତେବେ ମଣିଷମାନେ ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ଆସିବା ଉଚିତ ନୁହେଁ।’

Representational Image

  • Published: Monday, 26 August 2024
  • , Updated: 26 August 2024, 09:08 PM IST

ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ। ପିପିଲି ଓ ସତ୍ୟବାଦୀରେ ଆଜିକୁ ମିଶାଇ ତୃତୀୟ ଦିନରେ ୨୬ ହଜାରରୁ ଅଧିକ କୁକୁଡ଼ା ମରା ସରିଲାଣି। ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ଯେପରି ମଣିଷଙ୍କୁ ସଂକ୍ରମଣ ନକରେ, ସେଥିପ୍ରତି ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାକୁ ଆଡଭାଇଜରି ଜାରି କରିଛି। ତା’ସହ ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।

ସାରଙ୍ଗଯୋଡ଼ି ଓ ତେଇଶପୁର ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ଫାର୍ମରେ ୨୬ ହଜାରରୁ ଅଧିକ କୁକୁଡ଼ା ମାରି ସାରିଲାଣି ରାପିଡ୍ ରେସପନ୍ସ ଟିମ୍। ମୃତ କୁକୁଡ଼ାଙ୍କୁ ଥ୍ରୀ ଲେୟାର ବ୍ଲିଚିଂ ଓ ଚୂନ ପକାଯାଇ ପୋତା ଯାଉଛି। କୁକୁଡ଼ା ମାରି ପୋତିବା ପରେ ଫାର୍ମଗୁଡ଼ିକୁ ଭଲ ଭାବେ ସାନିଟାଇଜ୍ କରାଯାଉଛି। ତା’ସହ ସଂକ୍ରମିତ ସ୍ଥାନରେ ବ୍ୟାନର ମରାଯାଇ ଉକ୍ତ ଅଞ୍ଚଳକୁ ନପଶିବାକୁ କୁହାଯାଉଛି। 

କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ଦେଇ ଆଗାମୀ ୬ ମାସ ଯାଏଁ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପରାମର୍ଶ ଦେଉଛି ପ୍ରାଣୀ ସଂପଦ ବିଭାଗ। ହେଲେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଫାର୍ମ ମାଲିକ।

କେମିତି ଜାଣିବେ ଯେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛି ? 

ବାର୍ଡ ଫ୍ଲୁ ନେଇ OUATର କୁକ୍କଟ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ଦାଶ କହିଛନ୍ତି,ଏହା (ବାର୍ଡ ଫ୍ଲୁ) ଏକ ସାମୟିକ ଓ ଭୂତାଣୁ ଜନିତ ରୋଗ। ଏହା H5N1 ଭୂତାଣୁ ଯୋଗୁଁ ହେଉଛି। ଏହା କୁକୁଡ଼ାରୁ କୁକୁଡ଼ାକୁ ଶୀଘ୍ର ବ୍ୟାପିଥାଏ। କୁକୁଡ଼ାରୁ ମଣିଷଙ୍କୁ ବିଳମ୍ବରେ ବ୍ୟାପିଥାଏ। ତେଣୁ ବାର୍ଡ ଫ୍ଲୁକୁ ନେଇ ଲୋକମାନେ ଚିନ୍ତିତ ହେବା ଅନୁଚିତ। ତେବେ ଯେଉଁମାନେ କୁକୁଡ଼ା ଫାର୍ମରେ କାମ କରୁଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଆମେ ଯେଉଁଭଳି ଭାବେ ସିଝାଇ କୁକୁଡ଼ା ମାଂସ ଖାଉଛନ୍ତି, ସେଥିରେ ବାର୍ଡ ଫ୍ଲୁ ଦ୍ଵାରା କୌଣସି ଅସୁବିଧା ହେବ ନାହିଁ। ତେବେ ମଲା କୁକୁଡ଼ା ନ ଖାଇବା ଭଲ।

ସେ ଆହୁରି କହିଛନ୍ତି, ବାର୍ଡ ଫ୍ଲୁ ହେଲେ କୁକୁଡ଼ା ରୋଗାକ୍ରାନ୍ତ ହେବ । ତା’ର ପର ଫୁଲିଲା ଭଳି ଲାଗିବ । ନାକ ଓ କାନରୁ ପାଣି ବାହାରିବ। କୁକୁଡ଼ା ଚାଲି ପାରିବ ନାହିଁ ଓ ପଡ଼ି ରହିବ। ଯେଉଁଠି ବାର୍ଡ ଫ୍ଲୁ ଚିହ୍ନଟ ହୁଏ, ତାର ଗୋଟେ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଏହା ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ସେତିକି ଅଞ୍ଚଳରେ କୁକୁଡ଼ାକୁ ମାରି ଦିଆଯିବା ଉଚିତ୍ ।

ମଣିଷମାନେ ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ଆସିବା ଉଚିତ ନୁହେଁ

ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,ବାର୍ଡ ଫ୍ଲୁକୁ ନେଇ ସ୍ଵାସ୍ଥ୍ୟ ବିଭାଗ ସଚେତନ ଅଛି। ଜିଲ୍ଲାଗୁଡିକୁ ଆଡ଼ଭାଇଜରି ଦିଆଯାଇଛି।ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ଜ୍ଵର, ଥଣ୍ଡା ଓ କାଶ ହେବ। ଆମେ ଜିଲ୍ଲା ୱାରୀ ଫିଭର ସର୍ଭେଲାନ୍ସ କରୁଛୁ। ପିପିଲି ବାର୍ଡ ଫ୍ଲୁର ଉତ୍ସ। ତେଣୁ ରାପିଡ ରେସପନ୍ସ ଟିମ ପିପିଲି ଯାଇଛନ୍ତି। ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରି ଦିଆଯାଉଛି। ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର। ସବୁ ଦିନ ପବ୍ଲିକ୍ ହେଲ୍‌ଥ ୟୁନିଟ୍ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି। ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ।

Related story