Advertisment

ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ, ବାରଣ୍ଡାରେ ୩ ଭାଲୁ

ଆଜି ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଏହି ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
3 bears in the school premises

3 bears in the school premises

ସ୍କୁଲ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ, ସ୍କୁଲ ବାରଣ୍ଡାରେ ପହଞ୍ଚିଲେ ୩ ଭାଲୁ। ଭାଲୁ ଦେଖି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କ ସମେତ ପ୍ରାଣ ରକ୍ଷା ନିମନ୍ତେ ଶ୍ରେଣୀ ଗୃହ କବାଟ ଦେଇ ଭିତରେ ବସିଛନ୍ତି। ଭାଲୁମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ ସେମାନେ ପ୍ରତି ଆକ୍ରମଣ କରିବାରୁ ଭୟରେ ଗାଁ ଲୋକେ ଲୁଚି ରହି ବନ ବିଭାଗ ସହାୟତା ନେଇଛନ୍ତି। ପ୍ରବଳ ବର୍ଷା ସାଙ୍ଗକୁ ସ୍କୁଲ ଭିତରେ ଭାଲୁ ଆତଙ୍କ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଏହି ଘଟଣା ଘଟିଛି।

Advertisment

୩ ଭାଲୁ ଭିତରେ ଗୋଟିଏ ମା ଭାଲୁ ଓ ତାର ଦୁଇଟି ଛୁଆ ଅଛନ୍ତି। କିଛି ସମୟ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେବା ପରେ ସ୍କୁଲର ଦୁଇ ପାଇଖାନା ମଝିରେ ଏହି ଭାଲୁମାନେ ଆଶ୍ରୟ ନେଇଛନ୍ତି। ଖବର ପାଇ ବନ ବିଭାଗ ଟିମ ପହଞ୍ଚି ଭାଲୁମାନଙ୍କୁ ଜଙ୍ଗଲ ପାର୍ଶ୍ୱକୁ ଘଉଡ଼ାଇବାକୁ ଉଦ୍ୟମ କରୁଛି। 

ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠପଢ଼ନ୍ତି। ସେମାନଙ୍କୁ ପାଠପଢ଼ାଇବା ପାଇଁ ଏଠାରେ ୧୬ ଜଣ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ ରହିଛନ୍ତି। 

Advertisment

ଏନେଇ ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି, ଭାଲୁମାନେ ସ୍କୁଲ ପରିସରରେ ଥିବା ଜଣାପଡ଼ିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବାରମ୍ୱାର ଭାଲୁମାନେ ସ୍କୁଲ ଭିତରକୁ ଆସୁଥିବାରୁ ପିଲାମାନଙ୍କ ଜୀବନ ବିପଦରେ ରହିଛି। ଗତବର୍ଷ ମଧ୍ୟ ଏଭଳି ଭାଲୁ ଉତ୍ପାତ ସ୍କୁଲରେ ଦେଖିବାକୁ ମିଳିଥିଲା। ପିଲାମାନଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ଏହି ଭାଲୁମାନଙ୍କୁ ଏଠାରୁ ଧରି ନେଇ ଅନ୍ୟ ଜଙ୍ଗଲରେ ଛଡ଼ା ଯାଉ।

ନବରଙ୍ଗପୁର ବନଖଣ୍ଡ ଡିଭିଜନର ଏସିଏଫ୍‌ ଧନୁର୍ଜୟ ମହାପାତ୍ର କହିଛନ୍ତି, ଖବର ପାଇବା ପରେ ବନ ବିଭାଗ ଟିମ୍‌ ସ୍କୁଲରେ ପହଞ୍ଚିଛନ୍ତି। ଭାଲୁମାନଙ୍କୁ ଜଙ୍ଗଲକୁ ତଡ଼ିବା ନିମନ୍ତେ କାମ କରୁଛନ୍ତି। ତେବେ ବିଶେଷ ଭାବେ ୪ଟି କାରଣ ପାଇଁ ଜଙ୍ଗଲି ପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ଜଙ୍ଗଲ ନଷ୍ଟ କରାଯିବା, ଖାଦ୍ୟ ଅଭାବ, ମକା ଚାଷର ବାସ୍ନା ଓ ସ୍କୁଲରେ ଛାତ୍ରଛାତ୍ରୀମାନେ ଖାଇଥିବା ଖାଦ୍ୟ ବଳିବା ପରେ ଏଣେତେଣେ ଫୋପାଡ଼ି ଦେଉଥିବାରୁ ଏହାର ବାସ୍ନାରେ ଭାଲୁମାନେ ଜନବସତି ମୁହାଁ ହେଉଛନ୍ତି। 

Bear Attack School Students Life In Danger Nabarangpur