Advertisment

ଆସିଲା ୩୦୦ ଆଳୁ ଟ୍ରକ୍‌; ହେଲେ ଖୁଚୁରା ବଜାରରେ କମୁନି

ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆସିଛି।

Patato

Patato

Advertisment

ରାଜ୍ୟରେ ୪୦ ଟଙ୍କା ତଳକୁ ଖସିଲା ଆଳୁ ଦର। କାରଣ ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆସିଛି। ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ମଧ୍ୟ ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୁଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି। ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି।

Advertisment

ରାଜ୍ୟକୁ ଏକକାଳୀନ ଏତେ ସଂଖ୍ୟକ ଆଳୁ ଗାଡ଼ି ଆସିଥିବାରୁ ପାଇକାରୀ ବଜାରରେ ଦର ଏବେ କିଲୋ ପିଛା ୩୦ ଟଙ୍କା ରହିଛି। ଯଦିଓ ପାଇକାରୀ ଦର କିଲୋ ପିଛା ୫ ଟଙ୍କା ପର୍ଯ୍ୟନ୍ତ ଖସିଛି, ଆଳୁର ଖୁଚୁରା ଦର କିନ୍ତୁ ଖସୁନି। ଏବେ ମଧ୍ୟ ଖୁଚୁରା ବଜାରରେ କେଉଁଠି କେଉଁଠି ଆଳୁ କିଲୋ ୪୦ ଟଙ୍କା ଉପରେ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଏକ ନମ୍ବର ହାଟରେ ଚଢ଼ଉ କରାଯାଇ କିଲୋ ପିଛା ୩୫ରୁ ୩୮ ଟଙ୍କାରେ ବିକିବାକୁ ତାଗିଦ କରାଯାଇଛି।

ଅନ୍ୟପଟେ ବଜାର ଦରରେ ସ୍ଥିରତା ଆଣିବାକୁ ସରକାର ନିଜେ ଆଳୁ ବେପାରକୁ ଓହ୍ଲାଇଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ କିଣାଯାଇ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ବିକ୍ରି ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଖାଉଟିଙ୍କୁ ଶସ୍ତାରେ ଆଳୁ ଯୋଗାଣ ଆରମ୍ଭ ହୋଇଛି। ଏସବୁ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଲୋକମାନେ ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇପାରିବେ। ଯେ ପର୍ଯ୍ୟନ୍ତ ବଜାର ଦରରେ ସ୍ଥିରତା ନ ଆସିଛି, ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଣ ଜାରି ରହିବ ବୋଲି କୁହାଯାଇଛି।

Advertisment

ଅନ୍ୟପଟେ ଆଳୁର ଚଢ଼ା ଦର ଦେଖି ଷ୍ଟ୍ରିଟ୍‌ ଫୁଡ୍‌ ଭେଣ୍ଡର ଦହିବରା ଆଳୁଦମ, ଦୋସା ଆଦିରୁ ଆଳୁ ପରିମାଣ କମାଇ ଦେଲେଣି। ସେମାନଙ୍କ କହିବା କଥା, ଖାଦ୍ୟ ଦାମ ବଢ଼େଇଲେ ଗ୍ରାହକ ଗ୍ରହଣ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଖାଦ୍ୟ ସାମଗ୍ରୀରେ ଆଳୁ ପରିମାଣକୁ କମ କରିବାକୁ ପଡୁଛି।

Bhubaneswar Patato Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe