ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀକ୍ଷେତ୍ର ଆସିଲା ଅତ୍ୟାଧୁନିକ ବସ୍‌, କାମରେ ଲାଗୁନି

ପୁରୀକୁ ଆସୁଥିବା ସାଧାରଣ ଭକ୍ତଙ୍କ ସୁବିଧା ଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ଏ ସବୁ ବସ୍ ଶ୍ରୀମନ୍ଦିର ପ୍ରଶାନକୁ ହସ୍ତାନ୍ତର କରାଯାଇଥିଲା। ବସରେ ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଷ୍ଟିକର ଲାଗିଛି।

୧୦ ମାସ ଧରି ଛିଡ଼ା ହୋଇଛି ବସ୍‌

  • Published: Tuesday, 08 October 2024
  • , Updated: 08 October 2024, 08:35 PM IST

ସାଧାରଣ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍‌। ହେଲେ ଆଜି ପର୍ଯ୍ୟନ୍ତ ସେହି ବସ୍‌ ଗୁଡ଼ିକ ଚାଲି ପାରିନାହିଁ। ଆଜିକୁ ପ୍ରାୟ ୧୦ ମାସ ଧରି ସେହି ଦାମୀ ଇ-ବସ୍‌ ଗୁଡ଼ିକ ପୁରୀ ସମଙ୍ଗ ପାର୍କିଂ ପ୍ଲେସରେ ଛିଡ଼ା ହୋଇଛି। ରେକ୍ଷଣା ବେକ୍ଷଣା ଅଭାବରୁ ସେହି ବସ୍‌ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ପୁରୀକୁ ଆସୁଥିବା ସାଧାରଣ ଭକ୍ତଙ୍କ ସୁବିଧା ଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ଏ ସବୁ ବସ୍ ଶ୍ରୀମନ୍ଦିର ପ୍ରଶାନକୁ ହସ୍ତାନ୍ତର କରାଯାଇଥିଲା। ବସରେ ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଷ୍ଟିକର ଲାଗିଛି। କିନ୍ତୁ ବିଡ଼ମ୍ବନା, କିଣାଯିବା ପରଠୁ ସାଧାରଣ ଭକ୍ତ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ଓ ସେବାରେ ଲାଗି ପାରିନି। ଫଳରେ ଅଚଳ ସ୍ଥିତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଭାଙ୍ଗିରୁଜି ଗଲାଣି କିଛି କିଛି ବସ। ତେଣୁ ବସ ଗୁଡ଼ିକ କାହିଁକି ଚାଲୁନି, ତାକୁ ନେଇ ତୀବ୍ର ଉଦବେଗ ପ୍ରକାଶ ସହ ଏହାର ତୁରନ୍ତ ଚଳାଚଳ ପାଇଁ ଦାବି କରିଛନ୍ତି ପୁରୀର ସଚେତନ ନାଗରିକ ଓ ବୁଦ୍ଧିଜୀବୀ।

ସୂଚନା ଅନୁସାରେ ପାର୍କିଂ ପ୍ଲେସ୍‌ରେ ଛିଡ଼ା ହୋଇଥିବା ଗୋଟିଏ ଗୋଟିଏ ବସର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ। ଅନୁମାନ କରାଯାଉଛି, ୩୫ଟି ବସର ଦାମ୍ ପ୍ରାୟ ୪୦ କୋଟି ହେବ। ୨୫ ସିଟ୍‌ ବିସିଷ୍ଟ ଏହି ବସରେ ସାଧାରଣ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସୁବିଧା ସାଙ୍ଗକୁ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ରାମ୍ପର ସୁବିଧା ମଧ୍ୟ ରହିଛି। ସିସିଟିଭି କ୍ୟାମେରା ସାଙ୍ଗକୁ ସବୁ ପ୍ରକାର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ପରିପୂର୍ଣ୍ଣ ଏ ବସରେ ଯାତ୍ରୀମାନେ କେବଳ ସୁବିଧା ନୁହେଂ, ସୁରକ୍ଷିତ ଯାତ୍ରା କରିପାରିବେ। ଏତେ ଦିନ ଧରି ବସ୍‌ ଗୁଡ଼ିକ ପଡ଼ି ରହିବା ପରେ ଆଗକୁ ଆସୁଥିବା କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଲାଗି ବ୍ୟବହାର କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ।

ସେପଟେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବସ୍ ପରିଚାଳନା ଲାଗି କିଛି ସାଧନ ନାହିଁ, ତେଣୁ ଏ ବସଗୁଡ଼ିକର ଚଳାଚଳ ଲାଗି ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

Related story