Advertisment

ବିପନ୍ନଙ୍କୁ କଟୁ କଥା କହି ୪ ଅଧିକାରୀ ନିଲମ୍ବିତ, ମନ୍ତ୍ରୀ କହିଲେ- କାହାକୁ ଛଡ଼ାଯିବନି

ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଏପରି ଅଭିଯୋଗ ଆସିଲେ କାହାକୁ ବି ଛଡ଼ା ଯିବନି ବୋଲି ଚେତାଇ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

author-image
Niharika Rout
ଅଦ୍ୟତନ ହୋଇଛି
Minister Suresh Pujari

Minister Suresh Pujari

ବାତ୍ୟା ‘ଦାନା’ର ମୁକାବିଲା ନିମନ୍ତେ ତୃଣମୂଳ ସ୍ତରରେ ମୁତୟନ ହୋଇଥିଲେ ଅଧିକାରୀ। ବିପନ୍ନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ସହ ସ୍ଥିତିର ପରିଚାଳନା ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଏପରି ଅଭିଯୋଗ ଆସିଲେ କାହାକୁ ବି ଛଡ଼ା ଯିବନି ବୋଲି ଚେତାଇ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପଚିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସେମାନଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ପିଇଓ ଓ ଜଣେ ଆରଆଇ ଅଛନ୍ତି।

ଏଥିସହ ଆଉ କିଛି ଅଧିକାରୀଙ୍କ ବିରୋଧରେ ବି ସମାନ ଅଭିଯୋଗ ଆସିଛି। ଯାଞ୍ଚ ପରେ ଏହା ସତ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Advertisment

ବିପର୍ଯ୍ୟୟ ସମୟରେ ଯେଉଁମାନେ ବିପନ୍ନଙ୍କୁ ଅପମାନିତ କରିଛନ୍ତି, କଟୁ କଥା କହିଛନ୍ତି କାହାକୁ ଛଡ଼ାଯିବନି। ଏଥିସହ ଯେଉଁ ଅଧିକାରୀମାନେ ବିପନ୍ନଙ୍କ ରକ୍ଷା କର୍ତ୍ତା ସାଜିବା ସହ ନିଜ ଦାୟିତ୍ୱ ସୁଚାରୂ ରୂପେ ତୁଲାଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ।

ବାତ୍ୟା ଦାନା ଯିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ବିମାନ ସେବା, ରେଳ ସେବା ସ୍ୱାଭାବିକ ହେବା ସହ ରାସ୍ତା ସଂଯୋଗ ହୋଇ ସାରିଲାଣି। ଯାନବାହନ ଚଳାଚଳ ବି ସ୍ୱାଭାବିକ ହେଲାଣି। ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ଲୋକଙ୍କ ଘରକୁ ବିଜୁଳି ସଂଯୋଗ ଦିଆ ସରିଲାଣି ।

ଗତକାଲି ବର୍ଷା ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜି ସକାଳୁ ପୁଣି ଥରେ କାମ ଆରମ୍ଭ ହୋଇଛି । ତେବେ ସନ୍ଧ୍ୟା ସୁଦ୍ଧା ବିଜୁଳି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଫଳରେ ଓଡ଼ିଶା ବାତ୍ୟା ପୂର୍ବର ଓଡ଼ିଶା ପରି ସାମାନ୍ୟ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବାତ୍ୟାରେ ଘର ସମ୍ପୂର୍ଣ୍ଣ ହରାଇଥିବା ପରିବାର ଆଶ୍ରୟସ୍ଥଳୀରେ ରହିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଘରର ବିକଳ୍ପ ହେବା ଯାଏଁ ବାତ୍ୟା ଆଶ୍ରୟସ୍ଥଳୀରେ ସେମାନଙ୍କ ରହିବାର ବ୍ୟବସ୍ଥା କରାଯିବ । ୭ ଦିନ ମଧ୍ୟରେ ସବୁ କିଛି ସ୍ୱାଭାବିକ ହେବା ନେଇ ଆଶା ଥିବା ସେ କହିଛନ୍ତି । ମାତ୍ର ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବାଦ ସେ କହିଛନ୍ତି ବାତ୍ୟା କ୍ଷୟକ୍ଷତିଜନିତ ପ୍ରାଥମିକ ରିପୋର୍ଟ ଗତକାଲି ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି। ଏହାପରେ ରାଜସ୍ୱ ବିଭାଗ, କୃଷି ବିଭାଗ, ସମବାୟ ବିଭାଗ, ଷ୍ଟାଟିଷ୍ଟିକାଲ ବିଭାଗ କର୍ମଚାରୀ ତୃଣମୂଳ ସ୍ତରକୁ ଯାଇ ସର୍ଭେ କରିବାକୁ କୁହାଯାଇଛି। ରିପୋର୍ଟରେ ସାମାନ୍ୟ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଚେତାବନୀ ଦିଆଯାଇଛି।

କେନ୍ଦ୍ର ସରକାରଙ୍କୁ ଏହି କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରଦାନ କରାଯିବ । ଏହାପରେ ଏକ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ ନିମନ୍ତେ ଆସିବେ। ମାତ୍ର କେନ୍ଦ୍ରରୁ ସହାୟତା ଆସିବା ପୂର୍ବରୁ ରାଜ୍ୟ ସରକାର ବିପନ୍ନଙ୍କୁ ସହାୟତା ଦେବା ଆରମ୍ଭ କରିଦେବେ ବୋଲି ସେ ଘୋଷଣା କରିଛନ୍ତି।

Suresh Pujari Suspend; Cyclone Dana