/odisha-reporter/media/post_attachments/uploadimage/library/16_9/16_9_0/Rath_1751468912.jpg)
Rath
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆଜି ଆଉ ୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏହି ଅଫିସରମାନେ ସମସ୍ତେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତରେ ସହଯୋଗ କରିବେ । ପୁରୀ ଶରଧାବାଲିରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ୩ରଥ ପହଂଚିବା ପରେ ସେଠାରେ ଠେଲାପେଲା ଓ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିଲେ ।
ସରକାର ଏହି ଘଟଣାର ତଦନ୍ତ ଦାୟିତ୍ୱ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଦେବା ସହ ଜିଲ୍ଲାପାଳ-ଏସପିଙ୍କୁ ହଟାଇ ଦେଇଥିଲେ । ତେବେ ଏହି ଦଳାଚକଟା ଘଟଣାରେ ବିରୋଧୀ ବିଜେଡି ନିରବ ରହିଥିବାବେଳେ ବିଚାରବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରୁଛି । ମାତ୍ର ସରକାର ଆଜି ଏହି ୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ନିଯୁକ୍ତି ଦେବା ବେଶ୍ ଗୁରୁତ୍ୱ ବହନ କରୁଛି ।
୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ଟିମ୍ ଗଠିତ
ବରିଷ୍ଠ ଓଏଏସ୍ ଅଫିସର ମାନସ ରଞ୍ଜନ ସାମଲ, ବିନୟ କୁମାର ଦାଶ, ରଶ୍ମିରଞ୍ଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁମାନେକି ଗୁଣ୍ଡିଚା ମନ୍ଦିର ସମ୍ମୁଖ ଦଳାଚକଟା ଘଟଣାର ତଦନ୍ତ ପ୍ରକ୍ରିୟାରେ ଉନ୍ନୟନ କମିଶନରଙ୍କୁ ସହଯୋଗ କରିବେ । ଏହି ୪ଜଣ ଅଫିସର ନିଜର ଦାୟିତ୍ୱ ସହ ପ୍ରତ୍ୟେକ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି । ଶ୍ରୀ ସାମଲ ଏବେ ଇଷ୍ଟେଟ ଯୁଗ୍ମ ନିର୍ଦ୍ଦେଶକ ଥିବାବେଳେ ଶ୍ରୀ ଦାସ, ଶ୍ରୀ ନାୟକ ଓ ଶ୍ରୀ ସାହୁଙ୍କର ପୁରୀରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ତଥା ଏହି ୩ଜଣ ଅଫିସର ଏବେ ପୁରୀରେ ରଥଯାତ୍ରା ନିମନ୍ତେ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ମୁତୟନ ଅଛନ୍ତି ।
ପ୍ରାଥମିକ ତଦନ୍ତ କରି ଫେରିଛନ୍ତି ଉନ୍ନୟନ କମିଶନର
ଗୁଣ୍ଡିଚାର ମନ୍ଦିର ସାମ୍ନାରେ ୨୯ତାରିଖ ଭୋର ସମୟରେ ଦଳାଚକଟା ଘଟଣାର ପ୍ରାରମ୍ଭିକ ତଦନ୍ତ କରିଛନ୍ତି ଉନ୍ନୟନ କମିଶନର । ସେ ପୁରୀ ଯାଇ ସେଠାରେ କେଉଁ ପରିସ୍ଥିତିରେ ଏଭଳି ଠେଲାପେଲା ଓ ଦଳାଚକଟା ହେଲା ତା’ର କାରଣ ଖୋଜିବା ସହ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସକ, ସେବାୟତ ଓ ସାଧାରଣ ଲୋକଙ୍କ ସଙ୍ଗେ ଆଲୋଚନା କରିଛନ୍ତି । ସରକାର ତାଙ୍କୁ ଏହି ତଦନ୍ତ ରିପୋର୍ଟ ଦାଖଲ ନିମନ୍ତେ ଏକମାସ ସମୟ ଦେଇଛନ୍ତି । ମାତ୍ର ସେ ଏହି ଅବଧି ପୂର୍ବରୁ ନିଜର ତଦନ୍ତ ରିପୋର୍ଟ ସରକାରଙ୍କୁ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ, ପୁରୀ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ବିଶେଷକରି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଠେଲାପେଲା ଓ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପୁରୀ ଜିଳ୍ଲାପାଳ ଓ ଏସପିଙ୍କୁ ତୁରନ୍ତ ବଦଳି କରିବା ସହ ଦୁଇଜଣ ପୁଲିସ ଅଧିକାରୀ(ସୁରକ୍ଷା ଦାୟିତ୍ୱ)ଙ୍କୁ ନିଲମ୍ବନ କରିଛନ୍ତି ।
ଏହାସହିତ ବରିଷ୍ଠ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ସମଗ୍ର ରଥଯାତ୍ରା ପରିଚାଳନାର ତଦାରଖ ଦାୟିତ୍ୱ ନ୍ୟସ୍ତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗତକାଲି ପୁଣିଥରେ ପୁରୀ ଯାଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ବାହୁଡ଼ା, ସୁନାବେଶ ଓ ନିଳାଦ୍ରିବେଶ ଆଦି ବେଳେ ଭିଡ଼ ନିୟନ୍ତ୍ରଣ ଓ କୌଣସି ପ୍ରକାରର ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ୍ କରିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
