Computer
ରାଜ୍ୟ ପୁଲିସର ସାମଗ୍ରୀ କିଣାରେ ସ୍ୱଚ୍ଛତା ଓ ପାରଦର୍ଶିତାର ଅଭାବ ଯୋଗୁ ପୁଣିଥରେ ଏକ ବିବାଦ ମୁଣ୍ଡ ଟେକିଛି । ସରକାରଙ୍କ ସବୁ ନିୟମକୁ ଖୋଲା ଉଲ୍ଲଘଂନ କରି ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇବା ଭଳି ମୋଟ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ୪୧୧୦ଟି କମ୍ପ୍ୟୁଟର ଓ ଲାପଟପ୍ କ୍ରୟ ପାଇଁ ଟେଣ୍ଡର ସର୍ତ୍ତାବଳୀରେ ବାରମ୍ବାର ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ରାଜ୍ୟ ସରକାରଙ୍କ ଆର୍ଥିକ ନିୟମାବଳୀ(ଓଜିଏଫଆର), ସରକାରୀ ଇ-ମାର୍କେଟପ୍ଲେସ(ଜେଇଏମ) ଓ ଆଇଟି ମନ୍ତ୍ରଣାଳୟର ନିୟମାବଳୀକୁ ମଧ୍ୟ ଉଲ୍ଲଘଂନ କରିବାକୁ ଓଡ଼ିଶା ପୁଲିସ ପଛାଇ ନାହିଁ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜ୍ୟ ପୁଲିସ ନିଜର ସାମଗ୍ରୀ ଓ ଉପକରଣ କ୍ରୟକୁ କାହିଁକି ସ୍ୱଚ୍ଛ ଓ ପାରଦର୍ଶୀ କରୁନି ତଥା ସରକାର ମଧ୍ୟ ଏଦିଗରେ ପୁଲିସ ଉପରେ ଅଙ୍କୁଶ ଜାରି କରିବାରେ କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ମନଇଚ୍ଛା ଟେଣ୍ଡର ଆହ୍ୱାନ, ସର୍ତ୍ତାବଳୀ ସଂଶୋଧନରେ ଅସଙ୍ଗତି
ସୂଚନା ଅନୁସାରେ, ୨୦୨୫ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଓଡ଼ିଶା ପୁଲିସ ୩ଟି ଟେଣ୍ଡର ଆହ୍ୱାନ କରିଛି । ସେଥିରେ ଓଡ଼ିଶା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ(ଏସସିଆରବି) ପାଇଁ ୧୪୧୦ଟି ଡେସ୍କଟପ୍ ଓ ୭୦୦ଟି ଡେସ୍କଟପ୍ ପାଇଁ ଜୁଲାଇ ୧୨ରେ ଓ ଅଗଷ୍ଟ ୧ତାରିଖରେ ଟେଣ୍ଡର ଡକା ହୋଇଥିବାବେଳେ କ୍ରାଇମବ୍ରାଂଚ ପାଇଁ ୨ହଜାର ଲାପଟପ୍ ଜୁନ୍ ୨୦ ତାରିଖରେ ଡ଼କାଯାଇଛି । ମାତ୍ର ୧୮ ଦିନ ବ୍ୟବଧାନରେ ଏସସିଆରବି ଦ୍ୱାରା ଏହି ଡେସ୍କଟପ୍ କିଣା ପାଇଁ କାହିଁକି ଦୁଇଟି ଟେଣ୍ଡର ଡକାଗଲା ଓ ଏକକ ଟେଣ୍ଡର ଡାକିବାରେ କ’ଣ ସମସ୍ୟା ରହିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏହା ମଧ୍ୟ ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ରୁଲସକୁ ଉଲ୍ଲଘଂନ କରୁଛି ଓ ଏଭଳି ଭାଗ କରାଯିବା ଦ୍ୱାରା ଦରରେ ରିହାତି ମିଳିବ ନାହିଁ ଓ ଦର ନିର୍ଦ୍ଧାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଇସିଜେଏସ୍ ( ଇଂଟର ଅପରେବଲ୍ କ୍ରିମିନାଲ ଜଷ୍ଟିସ ସିଷ୍ଟମ) ଦ୍ୱାରା ନିର୍ଦ୍ଧାରିତ ଟେକନିକାଲ ସ୍ପେସିଫିକେସନକୁ ଉଲ୍ଲଘଂନ ସହ ଅନାବଶ୍ୟକ ‘ଉବନଟୁ’ ସାର୍ଟିଫିକେଟକୁ ଜରୁରୀ କରି ଏହି ୨୧୧୦ଟି ଡେସ୍କଟପ୍ କିଣା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ଡେସ୍କଟପ୍ କମ୍ପ୍ୟୁଟର ସହ ଅନାବଶ୍ୟକ ଭାବେ ୟୁପିଏସ(ବ୍ୟାଟେରୀ) ମଧ୍ୟ ସାମିଲ କରାଯାଇଛି । ନିର୍ଦ୍ଦିଷ୍ଟ କମ୍ପାନୀ ଯେଭଳି ଏହି ଡେସ୍କଟପ୍ କିଣା ଟେଣ୍ଡରରେ ସାମିଲ ହୋଇ ତାକୁ ହାତେଇପାରିବ ସେଥିପାଇଁ ଏଭଳି ଦସ୍ତାବିଜ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି କ୍ରାଇମବ୍ରାଂଚ ମଧ୍ୟ ୨ହଜାର ଲାପଟପ୍ ପାଇଁ ଡାକିଥିବା ଟେଣ୍ଡରରେ ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇବା ଭଳି ଟେକନିକାଲ ସ୍ପେସିଫିକେସନ୍ ଧାର୍ଯ୍ୟ କରିଥିବା ଜଣାପଡ଼ିଛି । ସବୁଠୁ ବଡ଼କଥା ହେଲା, ଏହି ଟେଣ୍ଡର ସର୍ତ୍ତାବଳୀକୁ ବାରମ୍ବାର ସଂଶୋଧନ ପାଇଁ ବିଜ୍ଞାପନ ଦିଆଯାଇଥିବା ସୂଚନା ମିଳିଛି ।
ଜେଇଏମ୍ ସହ ଗୃହ ମନ୍ତ୍ରଣାଳୟର ଆଇସିଜେଏସ୍ ନିୟମରେ ମଧ୍ୟ ଏହି ‘ଉବନଟୁ’ ସାର୍ଟିଫିକେଟ୍ ଓ ଅନ୍ୟ ବିଦେଶୀ ସର୍ତ୍ତାବଳୀ ଆବଶ୍ୟକ ନଥିବାବେଳେ କାହିଁକି ଓ କାହା ନିର୍ଦ୍ଦେଶରେ ଓଡ଼ିଶା ପୁଲିସ ଏହି ସାର୍ଟିଫିକେଟକୁ ଯୋଡ଼ି ଟେଣ୍ଡର ଡାକିଛି ଓ କେଉଁ ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇବା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବକେୟା ବିଲ୍ ଦେଉନାହିଁ ଓଡ଼ିଶା ପୁଲିସ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ
ଓଡ଼ିଶା ପୁଲିସର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ୩ହଜାର ଲ୍ୟାପଟପ୍ ଦେବାକୁ ଚୁକ୍ତିବଦ୍ଧ ହୋଇଥିବା ଓମଷ୍ଟ୍ରନ୍ ପାୱାର ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀକୁ ତା’ର ଦେୟ ପ୍ରଦାନରେ ପୁଲିସ ଟାଳଟୂଳ ନୀତି ଅବଲମ୍ବନ କରୁଛି । ଏନେଇ କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛି । କମ୍ପାନୀର ଅଭିଯୋଗ ଅନୁସାରେ, ୨୦୨୫ ମାର୍ଚ୍ଚ ୨୭ତାରିଖରେ ଓଡ଼ିଶା ପୁଲିସର କ୍ରାଇମବ୍ରାଂଚକୁ ୩ହଜାର ଲ୍ୟାପଟପ୍ ଦେବା ପାଇଁ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟାରେ କମ୍ପାନୀ ଚୟନ ହୋଇଥିଲା । କମ୍ପାନୀ ଏହି ଅର୍ଡର ଦେବାପାଇଁ ୧୭.୮୩ କୋଟି ଟଙ୍କାରେ ଚୁକ୍ତି ବଦ୍ଧ ହୋଇଥିଲା । କିନ୍ତୁ ପ୍ରାୟ ୩ମାସ ଧରି କମ୍ପାନୀକୁ ତା’ର ବକେୟା ମିଳୁନାହିଁ । କମ୍ପାନୀ ବାରମ୍ବାର ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟର ଦ୍ୱାରସ୍ଥ ହୋଇ ବିଫଳ ହେବାପରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇଥିବା ଜଣାପଡ଼ିଛି । କେଉଁ ଅଦୃଶ୍ୟ କାରଣରୁ ଟେଣ୍ଡର ନେଇଥିବା ସଂସ୍ଥାକୁ ତା’ର ବିଲ୍ ପ୍ରଦାନ କରିବାରେ ଓଡ଼ିଶା ପୁଲିସ ଟାଳଟୂଳ ନୀତି ଅବଲମ୍ବନ କରୁଛି ଓ ଯଦି ସଂସ୍ଥା ଉଚିତ୍ ସେବା ଦେଇନାହିଁ ତା’ର ଟେଣ୍ଡର ବାତିଲ କରିବାରେ କ’ଣ ସମସ୍ୟା ରହିଛି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ଓଡ଼ିଶା ପୁଲିସର ବିଶ୍ୱସନୀୟତା ସମଗ୍ର ଦେଶରେ ରହିଥିବାବେଳେ କେଉଁ ନିର୍ଦ୍ଦିଷ୍ଟ ଅଫିସରମାନଙ୍କ ତ୍ରୁଟି ଓ ଅବହେଳା ଯୋଗୁ ଏବେ ଏସବୁ ବିବାଦ ଓ ଅଭିଯୋଗ ଆସୁଛି ତା’ର ଉଚ୍ଚସ୍ତରୀୟ ଖୋଳତାଡ଼ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Computer__1755875945.jpg)