Advertisment

ଗାଁରେ ଏଲଇଡି ଲାଇଟ୍‌ ଯୋଜନା : ମିଟର୍‌ ନ ଲଗାଇ ୪୦% ଚଳୁ!

ସାରା ରାଜ୍ୟରେ ପ୍ରାୟ ୪୫୦ କୋଟି ଟଙ୍କାର ଏଲଇଡି ଲାଇଟ୍ ସ୍କାମ୍ ହୋଇଛି।

author-image
Ordigital Desk
ଅଦ୍ୟତନ ହୋଇଛି
LED

LED

କେନ୍ଦୁଝରର ଯେକୌଣସି ପଂଚାୟତର ଗୋଟିଏ ଗାଁ ହେଉ କି ନୟାଗଡ଼ର ଯେକୌଣସି ପଂଚାୟତର ଗୋଟିଏ ଗାଁ ହେଉ। ସାରା ରାଜ୍ୟର ୬,୭୯୪ ପଂଚାୟତର ଗୋଟିଏ ଲେଖାଏ ଗାଁରେ ଏଲଇଡି ଷ୍ଟ୍ରିଟ୍ ଲାଇଟରେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ଦେଖାଯାଉଛି। ପ୍ରତି ଜିଲ୍ଲାର କାମକୁ ଗୋଟିଏ ଗୋଟିଏ ଏକଜିକ୍ୟୁଟିଭ୍ ଏଜେନସି ବା ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ବାଣ୍ଟି ଦିଆଯାଇଛି।

Advertisment

ଆଉ ସେହି କଣ୍ଟ୍ରାକ୍ଟରମାନେ ଟେଣ୍ଡର ବା ଓ୍ବାର୍କଅର୍ଡର ମୁତାବକ ଅଧିକାଂଶ ଜାଗାରେ କେବଲ୍ ସହିତ ମିଟର ନ ଲଗାଇ କେବଳ ଖୁଣ୍ଟିରେ ଏଲଇଡି ବଲ୍ବ ଲଗାଇ ଛାଡ଼ି ଦେଇଛନ୍ତି। ଆଉ ଏହି ବାଟରେ ପ୍ରତି ପଂଚାୟତ ପାଇଁ ରହିଥିବା ପ୍ରାୟ ୧ ଲକ୍ଷ ୨ ହଜାର ଟଙ୍କା କାମରୁ ୪୦ ହଜାର ଟଙ୍କାରୁ ଅଧିକ ଟଙ୍କାର ଯନ୍ତ୍ରାଂଶ ଓ ଲଗାଇବା ଖର୍ଚ୍ଚକୁ ଚଳୁ କରିଦେଇଛନ୍ତି। ଓ୍ବାର୍କ ଅର୍ଡର ମୁତାବକ କେବଲ ବାବଦରେ ୨୫ ହଜାର ଟଙ୍କା ରହିଥିବାବେଳେ ବିଦ୍ୟୁତ ମିଟର ପାଇଁ ୧ ହଜାର ଟଙ୍କା ରହିଥିଲା। ମିଟର ପରିବହନ ଓ ଲଗାଇବା ଖର୍ଚ୍ଚ ଦେଖିଲେ ପ୍ରାୟ ୪୧, ୬୧୮ ଟଙ୍କା ଆତ୍ମସାତ୍ କରାଯାଇଥିବା ଦେଖାଯାଉଛି। ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ ବୋଲି କହିଛନ୍ତି ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଓ ବିଦ୍ୟୁତ ଇଂଜିନିୟର ଇଂ. ଅଜିତ କୁମାର ଭୂୟାଁ।

୨୦୧୫ରେ ଆରମ୍ଭ ହୋଇଥିବା ଜାତୀୟ ଷ୍ଟ୍ରିଟ୍ ଲାଇଟିଂ ପ୍ରୋଗ୍ରାମରେ ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ଏଥିରେ ବର୍ଷେ ପର୍ଯ୍ୟନ୍ତ ଗ୍ୟାରେଣ୍ଟି ପରିୟଡ ରହିଛି। ତା’ ପରେ କଣ୍ଟ୍ରାକ୍ଟର ଆବଶ୍ୟକସ୍ଥଳେ ୫ ବର୍ଷ ପାଇଁ ଅଚଳ ଲାଇଟ୍ ମରାମତି କରିବା କଥା। ମାତ୍ର ଅଧିକାଂଶ ସ୍ଥାନରେ କୌଣସି ମରାମତି ନ କରି ୫ ବର୍ଷର ମରାମତି ଖର୍ଚ୍ଚ ବାବଦକୁ ରହିଥିବା ପ୍ରାୟ ୨୮, ୭୨୦ ଟଙ୍କା ନେଇଯାଇଛନ୍ତି କଣ୍ଟ୍ରାକ୍ଟର।

Advertisment

ବିଦ୍ୟୁତ ମିଟର ଲାଗିନଥିବାରୁ ପଂଚାୟତଗୁଡ଼ିକୁ ଷ୍ଟାଣ୍ଡାର୍ଡ ରେଟରେ ବିଜୁଳି ବିଲ୍ ଭରିବାକୁ କୁହାଯାଇଛି। ପଂଚାୟତଗୁଡ଼ିକ ଏହି ବିଲ ନିଜ ପାଣ୍ଠିରୁ ଦେବେ। ଅଧିକାଂଶ ଗାଁରେ ମିଟର ଲାଗିନଥିବାରୁ ବା ମିଟର ଥିଲେ ବି କେବଲ୍ ନଥିବାରୁ ଦୁଇ ଗୁଣ ବିଲ ଆସୁଛି। ମିଟର ଲାଗିଥିଲେ ଯେଉଁଠି ପଞ୍ଚାୟତ ପାଇଁ ମାସିକ ବିଜୁଳି ବିଲ୍ ପ୍ରାୟ ୨୬୦୦ ଟଙ୍କା ପଡ଼ିଥାନ୍ତା ତାହା ୪୬୦୦ ହୋଇଯାଉଥିବା ଦେଖାଯାଉଛି। ଦେଖାଯାଉଛି, ବର୍ଷ ବର୍ଷ ଧରି ଏଲଇଡି ଲାଇଟ୍ ନ ଜଳିଲେ ବି ବିଲ୍ ଆସୁଛି। ମରାମତି ପାଇଁ ଠିକାଦାର ଧରାଛୁଆଁ ଦେଉନାହାନ୍ତି। ବର୍ଷେ ହେଲା ଆମ ପଂଚାୟତ ସଲେଇକଳାରେ ଏଲଇଡି ଲାଇଟ୍ ଜଳୁନି, ବିଲ୍ ଆସୁଛି, କେହି କିଛି ଶୁଣୁନାହାନ୍ତି କହିଛନ୍ତି ସରପଞ୍ଚ ପାଙ୍ଗେଲା ମୁଣ୍ଡା।

ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ପାଇଁ ଟେଣ୍ଡର ଆହ୍ବାନ କରିଥିବା ବେଳେ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀମାନେ ଓ୍ବାର୍କ ଅର୍ଡର ଦେଇଥିଲେ। ସାରା ରାଜ୍ୟରେ ଏଭଳି ପ୍ରାୟ ୪୫୦ କୋଟି ଟଙ୍କା ଆତ୍ମସାତ୍ ହୋଇଥିବା ବେଳେ ଏଥିପାଇଁ କାହାକୁ ଦାୟୀ କରାଯିବ?

ଏ ନେଇ ଆମେ ରାଜ୍ୟ ସ୍ତରରେ ଟେଣ୍ଡର କରିଥିବା ଆରଡବ୍ଲ୍ୟୁଏସର ସର୍ବୋଚ୍ଚ ଯନ୍ତ୍ରୀ ଜୟନାରାୟଣ ସିଟଙ୍କ ପ୍ରତିକ୍ରିୟା ନେଇଥିଲୁ। ସେ କହିଥିଲେ, ଆମେ କେବଳ ଟେଣ୍ଡର କରିଥିଲୁ, ଜିଲ୍ଲାସ୍ତରରେ ଯେଉଁମାନେ ଓ୍ବାର୍କଅର୍ଡର ଦେଇ ପେମେଣ୍ଟ ଦେଇଛନ୍ତି ସେମାନେ ଏସବୁ ଦେଖିବା କଥା। ତେବେ ଏ ନେଇ ତର୍ଜମା ଚାଲିଛି କହିଛନ୍ତି କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (CDO-cum-EO) ଶ୍ରୀକୁମାର ନାଗଭୂଷଣ।

ଇତିମଧ୍ୟରେ ନୟାଗଡ଼ ଜିଲ୍ଲପାଳ ସଂପୃକ୍ତ ଠିକାଦାରଙ୍କ ପ୍ରାପ୍ୟରୁ ୫ ବର୍ଷର ମରାମତି ଖର୍ଚ୍ଚ ବାବଦରେ ଆଗୁଆ ନେଇଯାଇଥିବା ୨୩.୮୧ ଲକ୍ଷ ଟଙ୍କା କାଟି ଦେଇଛନ୍ତି। ମାତ୍ର କେବଲ୍ ଓ ମିଟର ବାବଦରେ ଆତ୍ମସାତ୍ ହୋଇଥିବା ପ୍ରାୟ ୪୦ ପ୍ରତିଶତ ଅର୍ଥ ସଂପର୍କରେ କିଛି ପଦକ୍ଷେପ ନେଇନାହାନ୍ତି। ମନ୍ତ୍ରୀ, ଇଂଜିନିୟର, ଅଫିସରଙ୍କ ତତ୍ବାବଧାନରେ ସରକାରୀ ଯୋଜନା କିଭଳି ବିଫଳ ହେଉଛି, ତାର ସ୍ପଷ୍ଟ ଚିତ୍ର ପଦାକୁ ଆସିଛି।

ରିପୋର୍ଟ: କେନ୍ଦୁଝରରୁ ପ୍ରଣୟ ପାଣି, ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Odisha LED Scam