ଦାଦନ ଯନ୍ତ୍ରଣା! ଏ ଯନ୍ତ୍ରଣାରୁ ମୁକୁଳାଇବା ପାଇଁ ରାଜ୍ୟ ସରକାର ମାଳ ମାଳ ଯୋଜନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତାହାହେଲେ କାହିଁକି ଦାଦନ ଯନ୍ତ୍ରଣା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲାର ଗରିବ ଓ ଆଦିବାସୀ? କ’ଣ ପାଇଁ ଦାଦନ ଖଟିବାକୁ ଯାଇ ପାରିଶ୍ରମିକ ନପାଇ ମାଇଲ୍ ମାଇଲ୍ ଦୂର ଚାଲିଚାଲି ଗାଁକୁ ଫେରିବାକୁ ପଡ଼ୁଛି? ଏହା ଉତ୍ତର ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବା ରାଜନେତାଙ୍କ ପାଖରେ ଅଛି କି?
ଗାଁରେ କାମ ମିଳିଲା ନାହିଁ। ତେଣୁ ରୋଜଗାର ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଭାଲୁକନାଡୀ ଗାଁର ୫ ଜଣ ଯୁବକ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିଲେ। ସେମାନେ ବିଶାଖାପାଟଣାରେ ଏକ ଫ୍ୟାକ୍ଟ୍ରୀରେ କୁଲି ଭାବେ କାମ କରୁଥିଲେ। ୩ ମାସ ଧରି କାମ କରିଥିଲେ। ହେଲେ ମିଳୁନଥିଲା ଦରମା। ପାରିଶ୍ରମିକ ମାଗିଲେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା।
ତେବେ ନିର୍ଯାତନା ଅସହ୍ୟ ହେବାରୁ ଗତ ମଙ୍ଗଳବାର ରାତି ଅଧିରେ ଫ୍ୟାକ୍ଟ୍ରୀରୁ ଲୁଚି ପଳାଇ ଆସିଥିଲେ। ହେଲେ ପାଖରେ ଚାରଣୀଟିଏ ନଥିବାରୁ କେମିତି ଘରକୁ ଫେରିବେ? ସେହି ଚିନ୍ତାରେ ପଡ଼ି ଯାଇଥିଲେ ୫ ଶ୍ରମିକ। ଶେଷରେ କିଛି ଉପାୟ ନପାଇ ଚାଲି ଚାଲି ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ କାଳ ବିଳମ୍ୱ ନକରି ରାତିରେ ଚାଲିବା ଆରମ୍ଭ କରିଥିଲେ। ରାତି ସାରା ଚାଲିଲେ। ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲିଥିଲେ।
ଆଉ ଚାଲି ପାରିଲେ ନାହିଁ। ସାଲୁର ଘାଟିରେ ବସିଥିଲେ। ଯିବା ଆସିବା କରୁଥିବା ଗାଡ଼ିକୁ ସାହାଯ୍ୟ ମାଗିଥିଲେ। ହେଲେ କେହି ସହାୟତାର ହାତ ବଢ଼ାଇନଥିଲେ। ଶେଷରେ ତାଙ୍କ ପାଖରେ ପିକଅପ୍ ଭ୍ୟାନ ଅଟକିଥିଲା। ସେ ସବୁ କଥା ଶୁଣିବା ପରେ ୫ ଜଣ ଶ୍ରମିକଙ୍କୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପର୍ଯ୍ୟନ୍ତ ଆଣିଥିଲେ। ପଟ୍ଟାଙ୍ଗୀ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ସେମାନଙ୍କୁ ଖାଇବା ପିଇବା ବ୍ୟବସ୍ଥା କରିବା ସହିତ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ପରେ ସେମାନଙ୍କୁ ଗାଁରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଏ ସମ୍ପର୍କରେ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ।
ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା