/odisha-reporter/media/post_attachments/uploadimage/library/16_9/16_9_0/Lightning__1724240166.jpg)
Lightning
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଭାଇ ମଧ୍ୟ ଅଛନ୍ତି।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମହୁଲପଡ଼ା ନିକଟରେ ଏକ ପଥର ଖଣିରେ ପଥର କାଟୁଥିବା ବେଳେ ବଜ୍ରପାତ ହେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ଦୁଇ ଭାଇ। ସେମାନେ ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ମହାଲକ୍ଷ୍ମୀପୁର ଗାଁର କମଳାକାନ୍ତ ଦେହୁରୀ ଓ ନରେଶ ଦେହୁରୀ। ଗୁରୁତର ଆହତମାନେ ହେଉଛନ୍ତି ମିଥୁନ କିସ୍କୁ ଓ ଦିବା ଯାରିକା।
ବଜ୍ରପାତରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଅଁଳପଡ଼ା ଗ୍ରାମର ସାଗର ବେହେରାଙ୍କ ମୃତ୍ୟୁ ଘଟିଛି। ଜଣଙ୍କ ଧାନ କ୍ଷେତରେ ସେ ତଳି ଉପାଡ଼ୁ ଥିବାବେଳେ ବିଜୁଳି ମାରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡେଲାଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
ସେହିଭଳି ବଜ୍ରପାତରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ହଳଦିଆପଦାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାରର ବ୍ରହ୍ମପୁର ପଞ୍ଚାୟତର କାଞ୍ଜିଆ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଶିଖରପୁର ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଖାରିଗୁଡ଼ା ଗାଁରେ ଗାଈ ଚରାଉଥିବା ବେଳେ ବଜ୍ରପାତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
