ଯୁଦ୍ଧରେ ଥରହର ଇସ୍ରାଏଲ, ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ

ଇସ୍ରାଏଲର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ର ପଢ଼ୁଛନ୍ତି। ଯୁଦ୍ଧ ପରିସ୍ଥିତି ଯୋଗୁ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଘରୁ ବାହାରକୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ତୁରନ୍ତ ବଙ୍କର ଭିତରକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇସ୍ରାଏଲରେ ଫସି ରହିଥିବା ଓଡ଼ିଆ ଛାତ୍ରୀ ।

  • Published: Wednesday, 11 October 2023
  • , Updated: 11 October 2023, 11:02 AM IST

ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧରେ ଥରହର ହେଉଛି ସମଗ୍ର ବିଶ୍ୱ । ଏହି ରକ୍ତପାତରେ ଏଯାବତ ୩ ହଜାରରୁ ଅଧିକ ଜୀବନ ଗଲାଣି। ବହୁ ସମ୍ପତି ଆଖି ଆଗରେ ଛାରଖାର ହୋଇ ଯାଉଛି। ଏପରି ସମୟରେ ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୫୦ ଛାତ୍ରଛାତ୍ରୀ ପଢୁଥିବା ସୂଚନା ମିଳିଛି । ଏବେ ଏହି ପିଲାଙ୍କ ବାପାମା’ଙ୍କ ଆଖିରୁ ନିଦ ହଜି ଯାଇଥିବା ବେଳେ ସେମାନେ କେବଳ ଭଗବାନଙ୍କ ନିକଟରେ ସେମାନଙ୍କ ଶୁଭ ମନାସି ନିଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ।

ଇସ୍ରାଏଲର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ର ପଢ଼ୁଛନ୍ତି। ଯୁଦ୍ଧ ପରିସ୍ଥିତି ଯୋଗୁ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଘରୁ ବାହାରକୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ତୁରନ୍ତ ବଙ୍କର ଭିତରକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପରିକି ବଙ୍କର ଭିତରକୁ କିପରି ପ୍ରବେଶ କରିବେ, ସେଠାରେ କିପରି ସୁରକ୍ଷିତ ରହି ପାରିବେ ସେ ନେଇ ସେନା ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇଛି । ଏଥିସହ ୭୨ ଘଣ୍ଟା ପାଇଁ ଖାଦ୍ୟପେୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଇସ୍ରାଏଲରେ ଫସିଥିବା ଅର୍ପିତା ପଣ୍ଡା ନାମ୍ନୀ ଛାତ୍ରୀଙ୍କ ବାପା ରତ୍ନାକର ପଣ୍ଡା କହିଛନ୍ତି, ମୋ’ ଝିଅ ନିଜ ୟୁନିଭରସିଟିରେ ସୁରକ୍ଷିତ ଅଛି । ସେଠାରୁ ଜଣେ ଆତଙ୍କବାଦୀ ଧରା ପଡ଼ିଛନ୍ତି । ଭାରତୀୟ ଦୂତାବାସ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି।

ଝିଅ ରହୁଥିବା ହଷ୍ଟେଲର ପ୍ରତି ରୁମ୍‌ରେ ସାଇରନ୍‌ ଅଛ। ସାଇରନ୍‌ ବାଜିଲେ ବଙ୍କର ଭିତରକୁ ଯିବାକୁ କୁହାଯାଇଛି। ଇସ୍ରାଏଲ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭୟଭୀତ ନ ହେବାକୁ କୁହାଯିବା ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି। ୟୁନିଭରସିଟି କର୍ତ୍ତୃପକ୍ଷ ବି ସବୁ ପ୍ରକାର ସହଯୋଗ କରୁଛନ୍ତି। ତେଣୁ ଇସ୍ରାଏଲରେ ଏବେ ଯୁଦ୍ଧ ପରିସ୍ଥିତି ଥିଲେ ବି ଝିଅ ଭୟଭୀତ ନ ଥିବା କହିଛନ୍ତି ଅର୍ପିତାଙ୍କ ବାପା ।

Related story