Advertisment

‘ଅପରେସନ୍ ଅଜୟ’, ଇସ୍ରାଏଲରୁ ଫେରିଲେ ଆଉ ୭ ଓଡ଼ିଆ

--‘ଅପରେସନ ଅଜୟ’ ଜରିଆରେ ଚତୁର୍ଥ ପର୍ଯ୍ୟାୟରେ ଇସ୍ରାଏଲରୁ ଭାରତ ମୋଟ ୨୭୪ ଭାରତୀୟ ଆସିଛନ୍ତି ।

author-image
Tapaswini Nayak
Bhubaneswar

Bhubaneswar

ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି ଆଉ ୭ ଜଣ ଓଡ଼ିଆ। ‘ଅପରେସନ୍ ଅଜୟ’ ଜରିଆରେ ସେମାନଙ୍କୁ ଇସ୍ରାଏଲରୁ ଉଦ୍ଧାର କରାଯାଇଛି।ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି। ଏହାସହ ଯୁଦ୍ଧ ବିଭିଷୀକାକୁ ଅତି ନିକଟରୁ ଦେଖିଥିବା ଏମାନେ ବଖାଣିଛନ୍ତି ଇସ୍ରାଏଲର ଛାତିଥରା ଅନୁଭୂତି।

Advertisment

ଓଡ଼ିଶାରେ ପହଞ୍ଚିବା ପରେ ସେମାନେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୯ଜଣ ପ୍ରତ୍ୟାବର୍ତ୍ତନ କରିଥିଲେ। ‘ଅପରେସନ ଅଜୟ’ ଜରିଆରେ ଚତୁର୍ଥ ପର୍ଯ୍ୟାୟରେ ଇସ୍ରାଏଲରୁ ଭାରତ ମୋଟ ୨୭୪ ଭାରତୀୟ ଆସିଛନ୍ତି ।

ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ରୁ ୨୦ ହଜାର ଭାରତୀୟ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର ଲୋକ ଇସ୍ରାଏଲୀ ବୟୋବୃଦ୍ଧଙ୍କ କେୟାର ଗିଭର୍ ଭାବେ କାର୍ଯ୍ୟ କରନ୍ତି। ଅନ୍ୟମାନେ ମୁଖ୍ୟତଃ ହୀରା ବ୍ୟବସାୟୀ, ଆଇଟି ପ୍ରଫେସନାଲ୍ ଓ ଡାକ୍ତରୀ ଛାତ୍ରଛାତ୍ରୀ। ‘ଅପରେସନ ଅଜୟ’ ଜରିଆରେ ସମସ୍ତେ ସୁରକ୍ଷିତ ନିଜ ଦେଶକୁ ଫେରିଥିବା ଭାରତୀୟ କେନ୍ଦ୍ର ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା। ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଉଭୟ ପକ୍ଷର ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଭାରତୀୟ ବି ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି।

Bhubaneswar Israel