SHG
ଦୁଧିଆଳି ଗାଈ କିଣିବା ନାଁରେ ସରକାରୀ ଯୋଜନାରେ ନେଇଥିବା ଆର୍ଥିକ ସହାୟତାକୁ ହଡ଼ପ କରିବା ମହଙ୍ଗା ପଡ଼ିଛି । ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ୮ଜଣ ମହିଳା ସଦସ୍ୟା ପ୍ରାୟ ଦେଢ଼ବର୍ଷ ଧରି ଲୁଚକାଳି ଖେଳ ଖେଳିବା ପରେ ଆଜି ସେମାନଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହି ସରକାରୀ ଯୋଜନାରେ ପାଣ୍ଠି ଯୋଗାଣରେ ସେମାନଙ୍କୁ ସହଯୋଗ କରିବା ମଧ୍ୟ ସ୍ଥାନୀୟ ଭେଟେନାରୀ ଡାକ୍ତର ଓ ଜଣେ ଡିଲରଙ୍କୁ ମହଙ୍ଗା ପଡ଼ିଛି । ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା (ଏସଜିଏସୱାଇ) ଅଧୀନରେ ଦୁଧିଆଳି ଗାଈ କିଣିବା ପାଇଁ ସରକାରୀ ପାଣ୍ଠିରେ ହେରଫେର ଓ ଠକେଇ କରିଥିବା ଅଭିଯୋଗ ହୋଇଛି ।
କାହାକୁ ଓ କାହିଁକି ଗିରଫ କରିଛି ଭିଜିଲାନ୍ସ?
ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ବୁଧବାର ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ କୁରୁକି ଗାଁର ୮ଜଣ ମହିଳା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେମାନେ ହେଲେ ୧-ମଣି ଦାସ, ୨- ପ୍ରଭାତୀ ଦାସ, ୩- ପ୍ରମିଳା ଦାସ, ୪-ଲିଲି ଦାସ, ୫-ଛବିଲତା ଦାସ, ୬-ହେମା ଦାସ, ୭- ଶାନ୍ତିଲତା ପରିଡ଼ା ଓ ୮- ମମତା ପରିଡ଼ା । ସେମାନଙ୍କୁ ଗିରଫ କରାଯାଇ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ।
ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା ଅଧୀନରେ ଏହି ଅଭିଯୁକ୍ତ ମହିଳାମାନେ ଦୁଧିଆଳି ଗାଈ କିଣିବା ପାଇଁ ସରକାରୀ ପାଣ୍ଠିର ହେରଫେର ଓ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଯୋଜନାରେ ଗ୍ରାମାଂଚଳର ଗରିବ ଲୋକଙ୍କୁ ସ୍ୱ-ନିଯୁକ୍ତି ମାଧ୍ୟମରେ ସ୍ଥାୟୀ ରୋଜଗାର ଯୋଗାଇବା ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି) ମାଧ୍ୟମରେ ହିତାଧିକାରୀଙ୍କ ସଂଗଠନକୁ ତାଲିମ, ଋଣ, ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ବଜାର ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିଲା । ତେବେ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀର ଏହି ୮ଜଣ ସଦସ୍ୟା ତଥା ହିତାଧିକାରୀ ଗାଈ ନକିଣି ସରକାରୀ ପାଣ୍ଠିକୁ ଆତ୍ମସାତ୍ କରିଥିବା ଜଣାପଡ଼ିଛି ।
ଆଇନଗତ କାର୍ଯ୍ୟାନୁଷ୍ଠାନ
ଏହି ଅର୍ଥ ହେରଫେର ଓ ଠକେଇ ସତ୍ତ୍ୱେ ସମସ୍ତ ଅଭିଯୁକ୍ତ ଗିରଫଦାରୀ ଏଡ଼ାଇବା ପାଇଁ ପ୍ରାୟ ଦେଢ଼ ବର୍ଷ ଧରି ଫେରାର ଥିଲେ । ମାତ୍ର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଆଜି ଗିରଫ କରିବାରେ ସକ୍ଷମ ହୋଇଛି । ଏହି ମାମଲାରେ, ଭିଜିଲାନ୍ସ ସେମାନଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଅଧିନିୟମ, ୧୯୮୮ର ଧାରା ୧୩(୨) ଦୁର୍ନୀତି ନିବାରଣ ଆଇନ-୧୯୮୮ ଓ ଆଇପିସିର ଧାରା ୪୨୦ (ଠକେଇ), ୪୬୭ (ମୂଲ୍ୟବାନ ସିକ୍ୟୁରିଟି ବା ୱିଲ୍ ସମ୍ବନ୍ଧୀୟ ଜାଲିଆତି), ୪୬୮ (ଠକେଇ ଉଦ୍ଦେଶ୍ୟରେ ଜାଲିଆତି), ୪୭୧ (ଜାଲ୍ ଦସ୍ତାବିଜକୁ ପ୍ରକୃତ ବୋଲି ବ୍ୟବହାର କରିବା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି ।
ଅନ୍ୟ ଅଭିଯୁକ୍ତମାନଙ୍କ ସଂର୍ପକରେ
ଏହି ମାମଲାରେ ସମ୍ପୃକ୍ତ ୮ ମହିଳା ଅଭିଯୁକ୍ତଙ୍କ ସମେତ ଅନ୍ୟ ଦୁଇଜଣ ଅଭିଯୁକ୍ତ ନାଉଁଗାର ତତ୍କାଳୀନ ଭିଏଏସ୍ (ଭେଟେରିନାରୀ ଆସିଷ୍ଟାଂଟ ସର୍ଜନ) କୁଞ୍ଜ ବିହାରୀ ସ୍ୱାଇଁ ଓ ସରକାରଙ୍କ ଅନୁମୋଦିତ ଡିଲର ରଣଜିତ କୁମାର ବେହେରା ମଧ୍ୟ ସରକାରୀ ପାଣ୍ଠିର ଅପବ୍ୟବହାରରେ ସମ୍ପୃକ୍ତ ଥିବାର ପ୍ରମାଣ ଭିଜିଲାନ୍ସ ପାଇଥିଲା । ଏହି ଦୁଇ ଅଭିଯୁକ୍ତ ମଧ୍ୟ ଆଜି ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SHG_1756905295.jpg)