ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ, ୪ବର୍ଷରେ ଖର୍ଚ୍ଚ ହେବ ୮୫୫କୋଟି

୨୦୨୪-୨୫ରେ ୧୧୦କୋଟି, ୨୦୨୫-୨୬ରେ ୨୭୯କୋଟି, ୨୦୨୬-୨୭ରେ ୨୩୨କୋଟି, ୨୦୨୭-୨୮ରେ ୨୩୪କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ହୀରାକୁଦ ଡ୍ୟାମ (ଫାଇଲ ଫଟୋ)

  • Published: Saturday, 05 October 2024
  • , Updated: 05 October 2024, 10:35 PM IST

ଦୀର୍ଘ ୬୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ହୀରାକୁଦ ସେଚାଂଚଳର ବିଭିନ୍ନ ଜଳପଥ ଓ କେନାଲଗୁଡ଼ିକ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ତା’ର ନବୀକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାରେ ରାଜ୍ୟ ସରକାର  ୪ବର୍ଷରେ ୮୫୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୪-୨୫ରୁ ୨୦୨୭-୨୮ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ସଂକଳ୍ପ ପତ୍ର ଅନୁସାରେ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଥିବା ହୀରାକୁଦ ସେଚାଂଚଳର ଡିଷ୍ଟ୍ରିବ୍ୟୁଟାରି, ମାଇନର, ସବମାଇନରରୁ ନିର୍ଗତ ହୋଇଥିବା ବହୁ ଜଳପଥଗୁଡ଼ିକ ଏବେ ଜରାଜୀର୍ଣ୍ଣ ଓ ଅଚଳ ହୋଇଯାଇଥିବାରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଯେଉଁଥିପାଇଁ କେନାଲଗୁଡ଼ିକରେ ସୁଷମ ଜଳ ବଂଟନ ହୋଇପାରୁନାହିଁ । ଏହି ସମସ୍ୟାର ସମାଧାନ ପାଇଁ ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନା କାର୍ଯ୍ୟକାରୀ କରାଯିବ ।

ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ମସିହା ମଧ୍ୟରେ ମୋଟ ୮୫୫କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ସବୁ ଜଳପଥଗୁଡ଼ିକୁ ପୁନଃନାମିତ କରାଯିବା ସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକର ସିମେଂଟ କ୍ରଂକିଟ ଲାଇନିଂ କରି ଜଳ ପରିଚାଳନାର ସ୍ଥିରତା ସୁନିଶ୍ଚିତ କରାଯିବ । ୨୦୨୪-୨୫ରେ ୧୧୦କୋଟି, ୨୦୨୫-୨୬ରେ ୨୭୯କୋଟି, ୨୦୨୬-୨୭ରେ ୨୩୨କୋଟି, ୨୦୨୭-୨୮ରେ ୨୩୪କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଚାଷୀମାନଙ୍କୁ ଉଭୟ ଖରିଫ ଓ ରବି ଋତୁରେ ଜଳସେଚନର ସୁବିଧା ମିଳିପାରିବ ।

Related story