Mundali
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। କଟକର ମୁଣ୍ଡଳିଠାରେ ଆଜି ଦିନ ୩ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୯ ଲକ୍ଷ ୧୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପ ଷ୍ଟ୍ରିମରେ ୯୨ ଓ ଡାଉନ ଷ୍ଟ୍ରିମରେ ୮୮ ଫୁଟ୍ ଜଳସ୍ତର ରହିଛି। ତେବେ ମୁଣ୍ଡଳୀ ଦେଇ ସର୍ବାଧିକ ୯ରୁ ସାଢ଼େ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ଆକଳନ କରିଛି।
ତଳିଆ ଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ। ୬ଟି ଜିଲ୍ଲା- ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟାର ପ୍ରଭାବ ପଡ଼ିବ।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ତଳମୁଣ୍ଡରୁ ପାଣି ନକମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲିବନି। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଜଳସ୍ତର ଏବେ ୬୧୦ ଫୁଟ ରହିଛି। ଏହା ରାଇଜିଂ ଟ୍ରେଣ୍ଡରେ ରହିଛି। କିନ୍ତୁ ଏବେ ଆଉ ହୀରାକୁଦର ଅଧିକ ଗେଟ୍ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ମୁଣ୍ଡରୁ ପାଣି ନଛାଡ଼ିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ ନାହିଁ।
ଖରସ୍ରୋତା ନଦୀ ବନ୍ଧରେ ବଡ଼ ଘଳିଆ ସୃଷ୍ଟି ହୋଇଛି। ତେଣୁ ବିଝାଂରପୁର ଓଳେଇ ନିକଟରେ ଘାଇ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ନଦୀ ବନ୍ଧ ରାସ୍ତା ତଳେ ଥିବା ସୁଇସ ଗେଟ ଦବି ଥିବାରୁ ୫୦ ଫୁଟ ଘାଇ ସୃଷ୍ଟି ହେବା ଆଶଙ୍କା ରହିଛି। ଘଳିଆକୁ ପୋତିବାକୁ ପ୍ରଶାସନ ବାଲି ବସ୍ତା ପକାଇବା ପାଇଁ ବ୍ୟବସ୍ଥା କରିଛି।
ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି। ବୈତରଣୀ ନଦୀରେ ପାଣି ଆସିବାରୁ ଭଦ୍ରକ ଧାମନଗରର ୧୧ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୭ଟି ପଞ୍ଚାୟତ ଲୋକେ ପାଣି ଘେରରେ ଅଛନ୍ତି। ଗତ ରାତିରୁ ହଠାତ ପାଣି ମାଡି ଯିବାରୁ ଅନେକ ଲୋକେ ଜଳ ବନ୍ଦୀ ଜୀବନ ବିତାଉଛନ୍ତି। ସେହିପରି ଧାମନଗର ବ୍ଲକର ଖଡିପଦା, ଷୋହଡା, ପଧାନୀ, ଆନନ୍ଦପୁର, କରଦା ,ଦଳାଙ୍ଗ ଓ ମୁସ୍ତଫାପୁର ଅଞ୍ଚଳର ପ୍ରାୟ ୨୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଅନ୍ୟ ପଟେ ଧାମନଗରରୁ ଯାଜପୁର ଓ ଭଣ୍ଡାରିପୋଖରୀରୁ ଯାଜପୁରକୁ ସଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି।
ବ୍ରାହ୍ମଣୀନଦୀରେ ବନ୍ୟାଜଳ ଆସିବା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଢେଙ୍କାନାଳ ଜିଲ୍ଲା ବାଇଁଶିଆ ପଞ୍ଚାୟତର କଙ୍କା ଗାଁ। ଉପରମୁଣ୍ଡରେ ବର୍ଷା ପରେ ବ୍ରାହ୍ମଣୀରେ ବନ୍ୟାଜଳ ଆସିବା ପରେ ଏହି ଗାଁ ପାଣି ଘେରରେ ରହିଛି। ପାଣି ଛାଡ଼ିବା ପର୍ଯ୍ୟନ୍ତ ଏକ ଘରିଆ ହୋଇ ରହିବାକୁ ପଡ଼େ ଏମାନଙ୍କୁ। ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତାଦେଇ ବିଶେଷ କରି ବାଇସିଆଁ ପଞ୍ଚାୟତର କଙ୍କା, କାଠପାଳ ବଲ୍ଲଭ, ଖଙ୍କର ଓ ଆମ୍ବବାହାଳି ଭଳି ୬ଟି ଗାଁର ଲୋକେ ନିଜ ବିଲକୁ ଯାଆନ୍ତି। ତେବେ ପାଣି ଘେରରେ ଥିବାରୁ ଏବେ ସଭଏଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଯାଜପୁରରେ ମନ୍ଦିରରେ ପଶିଯାଇଛି ବନ୍ୟାଜଳ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ଯାଜପୁର ଜଗନ୍ନାଥ ମନ୍ଦିର ଓ ଲକ୍ଷ୍ମୀ ମନ୍ଦିରରେ ପାଣି ପଶିଯାଇଛି। ତେଣୁ ନୀତିକନ୍ତି ବାଧାପ୍ରାପ୍ତ ହୋଇଛି। ସେପଟେ ସପ୍ତମାତୃକା ମନ୍ଦିର ଅଧା ବୁଡ଼ିରହିଛି।
ଲଗାଣ ବର୍ଷା ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହରିହର ଯୋର ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟ ଧୋଇ ଯାଇଛି। ବନ୍ୟା ପାଣିରେ ଅନେକ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ଦ୍ୱାରା ବୀରମହାରାଜପୁର-ଅମରପାଲିି ରାସ୍ତାର ମୁର୍ଷୁଣ୍ଢି ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ରସତାର ୫ ଶହ ମିଟର ପର୍ଯ୍ୟନ୍ତ ୧୦ ଫୁଟ ଗଭୀରତାରେ ଘାଇ ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ଦୁର୍ଜନତଇଲା, ବହଳପଦର, ଲୁତୁରପଙ୍କ ଓ ମୁର୍ଷୁଣ୍ଢି ପଞ୍ଚାୟତ ସମେତ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Mundali_1691062305.jpg)