Advertisment

ହସ୍ପିଟାଲରେ ଚାଲିଗଲା ବିଚାରାଧୀନ କଏଦୀ ଜୀବନ, ସାଂଘାତିକ ଅଭିଯୋଗ ଆଣିଲେ ପୁଅ

ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Hospital

Hospital

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଜଣେ ବିଚାରାଧୀନ କଏଦୀ। ମୃତ କଏଦୀ ଜଣଙ୍କ ବାଲେଶ୍ୱର ଜିଲ୍ଲା କାରାଗାରରେ ବନ୍ଦୀ ଜୀବନ ବିତାଉଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ଆଜି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାଁ ଶେଖ ଜମାଲ। ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଜୟଦେବ କସବା ଅଞ୍ଚଳରେ।

Advertisment

ଗୋଟିଏ ଘର ପୋଡ଼ି ମାମଲାରେ ଗତ ୪ତାରିଖ ଦିନ ସଦର ଥାନା ପୁଲିସ ଜମାଲଙ୍କୁ ଗିରଫ କରିଥିଲା। ତେବେ ଗିରଫ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ଥିଲା। ଗିରଫ ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇ ଦିନ ଚିକିତ୍ସିତ ହେବା ପରେ ପୁଲିସ ତାଙ୍କୁ ହସ୍ପିଟାଲରୁ ପୁଣି ଜେଲକୁ ନେଇ ଯାଇଥିଲା। ସେ ଜେଲରେ ଥିବା ବେଳେ ଆଜି ହଠାତ୍ ପୁଣି ଅସୁସ୍ଥତା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମଧ୍ୟାହ୍ନ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜମାଲ ପ୍ରାଣ ହରାଇଥିବା ତାଙ୍କ ଘର ଲୋକଙ୍କ ପାଖକୁ ଖବର ଯାଇଥିଲା।

ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଜମାଲଙ୍କ ପୁଅ ଶେଖ ଜାଭେଦ ଇକବାଲ କହିଛନ୍ତି, “ଗାଁରେ କ’ଣ ଗୋଟିଏ ଝଗଡ଼ା ଘଟଣାରେ ମୋ ବାପାଙ୍କୁ ଫସାଇ ଗିରଫ କରାଯାଇଥିଲା। ମୋ ବାପା ଗାଁର ସର୍ଦ୍ଦାର ଥିଲେ। ତେଣୁ ତାଙ୍କୁ ମିଛ କେସ୍‌ରେ ଫସାଯାଇଥିଲା। ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା। ଜେଲରେ ଦୁଇ ଦିନ ରହିବା ପରେ ସେ ଅସୁସ୍ଥ ହୋଇଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା।

ହସ୍ପିଟାଲରେ ସେ ସାମାନ୍ୟ ସୁସ୍ଥ ହେବାରୁ ଆମକୁ ନ କହି ବାପାଙ୍କୁ ପୁଣି ଜେଲକୁ ନେଇଯାଇଥିଲେ। ଆଜି ମଧ୍ୟାହ୍ନରେ ମୋତେ ‍ଫୋନ କରି ବାପାଙ୍କ ଦେହ ଭଲ ନଥିବା କୁହାଯାଇଥିଲା। ମୁଁ ପହଞ୍ଚିଲା ବେଳକୁ ବାପାଙ୍କ ମୃତ୍ୟୁ ହୋଇସାରିଥିଲା।

ବାପାଙ୍କ ନାକ ଫାଟି ଯାଇଛି ଓ ମୁହଁ ଫୁଲି ଯାଇଥିଲା। ତେଣୁ ତାଙ୍କୁ ଜେଲରେ ନିର୍ଯାତନା ଦିଆଯିବା ସହ ମାଡ଼ ମରାଯାଇଛି। ଜେଲରେ ହିଁ ତାଙ୍କର ସମ୍ଭବତଃ ମାଡ଼ ଭୟରେ ହାର୍ଟଆଟାକ ହୋଇଥିଲା। ଏହାପରେ ନାଟକ କରି ସେମାନେ ହସ୍ପିଟାଲ ଆଣିଥିଲେ।”

ରିପୋର୍ଟ: ଚନ୍ଦ୍ରକାନ୍ତ ଜେନା

Balasore Jail Death In Jail