ବେଆଇନ ମଦ କାରବାର ମୂଳପୋଛ ପାଇଁ ରାଜ୍ୟରେ ଜାରି ରହିଛି ଦୀର୍ଘତମ ଚଢ଼ାଉ ଅଭିଯାନ

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଅବକାରୀ ବିଭାଗର ବିଭିନ୍ନ ଟିମ୍ ଖୋଜି ବାହାର କରିବା ସହ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି ।

Representative Image

  • Published: Tuesday, 03 September 2024
  • , Updated: 03 September 2024, 10:47 PM IST

ରାଜ୍ୟରୁ ବେଆଇନ ମଦ କାରବାରକୁ ମୂଳପୋଛ କରିବା ପାଇଁ ଗତ ଅଗଷ୍ଟ ୨୦ତାରିଖରୁ ରାଜ୍ୟରେ ଦୀର୍ଘତମ ଚଢ଼ାଉ ଅଭିଯାନ ଜାରି ରହିଛି । ଇତିମଧ୍ୟରେ ୧୪୪୩ଟି ବେଆଇନ ଭାଟିକୁ ବୁଲଡୋଜରରେ ନଷ୍ଟ କରାଯାଇଥିବାବେଳେ ୧୯୫୭ଜଣ ଗିରଫ ହୋଇଛନ୍ତି ଓ ୧୮୩ଟି ଗାଡ଼ି ଜବତ କରାଯାଇଛି । ଦୀର୍ଘ ୧୫ଦିନ ଧରି ଚାଲିଥିବା ଏହି ଚଢ଼ାଉ ରାଜ୍ୟରେ ଦୀର୍ଘତମ ଓ ସର୍ବବୃହତ୍ ଚଢ଼ାଉ ଅଭିଯାନ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି ଏହି ଚଢ଼ାଉ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୂର୍ବରୁ ଚାଲି ଆସିଥିବା ସମସ୍ତ ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାର ବୁଲଡୋଜର ଚଳାଇବାକୁ କଦାପି ପଛଘୁଂଚା ଦେବେ ନାହିଁ । ଆଗକୁ ଏଭଳି ଅଭିଯାନକୁ ଅଧିକ ଜୋରଦାର କରାଯିବ । ସମସ୍ତ ବେଆଇନ କାରବାର ଉପରେ ରୋକ୍ ଲଗାଯିବ ।

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଅବକାରୀ ବିଭାଗର ବିଭିନ୍ନ ଟିମ୍ ଖୋଜି ବାହାର କରିବା ସହ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି । ସମଗ୍ର ରାଜ୍ୟରେ ୧୪୪୩ଟି ବେଆଇନ ମଦ ଭାଟି ଓ କେବଳ ରାଜଧାନୀ ଭୁବନେଶ୍ୱରରେ ୫୧ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି ।

ଏହି ୧୫ଦିନ ମଧ୍ୟରେ ବେଆଇନ ମଦ କାରବାରରେ ଆଜିସୁଦ୍ଧା ୩୬୧୮ଟି ମାମଲା ରୁଜୁ ହୋଇଛି ଓ ୧୫୧୯ଟି ସ୍ଥାନରେ ଚଢ଼ାଉ କରାଯାଇଛି ।  ୧୯୫୭ଜଣଙ୍କୁ ଗିରଫ ହୋଇଛନ୍ତି । ୧.୮୩ଲକ୍ଷ ଲିଟର ବେଆଇନ ମଦ ଓ ୧୭.୨୬ଲକ୍ଷ କେଜି ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ ହୋଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Related story