ଆପଣ ଭାବୁଛନ୍ତି କି, ବାର୍ଷିକ ଆଦିବାସୀ ମେଳା ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବଂ ମସଲା କେବଳ ଆପଣଙ୍କ ରୋଷେଇ ଘରେ ଆକର୍ଷଣୀୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କରିବା ପାଇଁ ବିଭିନ୍ନ ଉପାଦାନ ଯୋଗାଇ ଥାଏ? ତେବେ ଏ ବିଷୟରେ ଅଧିକରୁ ଅଧିକ ଜାଣିବାର ସୁଯୋଗ ରହିଛି ଭୁବନେଶ୍ୱର ଶିଶୁଭବନ ଛକ ନିକଟ ୟୁନିଟ୍ -୧ ଅଞ୍ଚଳରେ ଆୟୋଜିତ ହେଉଥିବା ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ। ପ୍ରତିକ୍ଷିତ ଏହି ବାର୍ଷିକ ମେଳାରେ “ଚିରୋଞ୍ଜୀ” ଯାହା ଆୟୁର୍ବେଦ, ୟୁନାନି ଏବଂ ସିଦ୍ଧ ପ୍ରଣାଳୀରେ ଶିଶୁ ସ୍ମୃତିଶକ୍ତି ବୃଦ୍ଧି ଏବଂ ଅନେକ ହର୍ବାଲ୍, ଚର୍ମ ଯତ୍ନ ପାଇଁ ବ୍ୟବହୃତ ସାମଗ୍ରୀ ସହ ଲେମନ ଗ୍ରାସ ଅଏଲ ପରି ଜୈବିକ ବାସ୍ନା ହେଉଥିବା ସାମଗ୍ରୀ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି।
କନ୍ଧମାଳର ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଷ୍ଟଲମାନଂକରୁ ହଳଦୀ, ରୋଷେଇ ମସଲା ଓ ଅନେକ ପାରମ୍ପରିକ ମସଲା କିଣି ଆଦିତ୍ୟ ମହାପାତ୍ର ନାମକ ଜଣେ ଗ୍ରାହକ ବେଶ୍ ଖୁସି ହୋଇଥିଲେ। ପ୍ରତିବର୍ଷ ମା'ଙ୍କ ସହ ଏହି କାର୍ଯ୍ୟକ୍ରମକୁ ଆସିବାକୁ ସେ ପସନ୍ଦ କରନ୍ତି ଏବଂ ନିଜ ଘରେ ଅଧିକରୁ ଅଧିକ ଜିନିଷ କିଣି ନେଇଥାଉ ବୋଲି ସେ କହିଛନ୍ତି । "ଏସବୁ ସାମଗ୍ରୀକୁ ମାସ ମାସ ପର୍ଯ୍ୟନ୍ତ ବ୍ୟବହାର କରିଥାଉ କାରଣ ଆମେ ଅଧିକରୁ ଅଧିକ ସଂଗ୍ରହ କରିବା ପାଇଁ ଆଉ ଏକ ବର୍ଷ ଅପେକ୍ଷା କରିଥାଉ" ବୋଲି ସେ କହିଛନ୍ତି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀମାନେ ପ୍ରତିକୂଳ ପାଗ ସତ୍ତ୍ୱେ ଏଠାକୁ ଆସୁଛନ୍ତି ଏବଂ ଲୋକଙ୍କ ସୁବିଧା ପାଇଁ ସେମାନେ ଷ୍ଟଲ ଖୋଲିଛନ୍ତି । ଏହା ଏକ ମହାନ ପ୍ରୟାସ ବୋଲି ଆଦିତ୍ୟ କହିଛନ୍ତି ।
ଓଡ଼ିଶାକୁ ଆସିବା ପରେ ଆଦିବାସୀ ସମ୍ପ୍ରଦାୟ ବିଶେଷକରି ରାଜ୍ୟର ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପିଭିଟିଜି ମାନଙ୍କର ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ଅଭ୍ୟାସ ବିଷୟରେ ବୁଝିପାରିବା ମୋ ପାଇଁ ଏବଂ ମୋ ସହଯୋଗୀଙ୍କ ପାଇଁ ଏକ ଚମତ୍କାର ଅନୁଭୂତି ବୋଲି କହିଛନ୍ତି ଭୁବନେଶ୍ୱରରେ ରହି ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିବା ସ୍ପେନର କାର୍ଲୋଟା ମାସୋ। ୨୦୧୮ ରୁ ଆମ ସଂଗଠନ ଆଦିବାସୀ ମେଳାରେ ଅଂଶଗ୍ରହଣ କରୁଛି ଏବଂ ମେଳା ସମୟରେ ପାଖାପାଖି ୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି ଏବଂ ଚଳିତ ବର୍ଷ ଆମେ ଅଧିକ ଲାଭ କରିବୁ ବୋଲି ଆଶା କରୁଛୁ।
ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଓ ଏହାର ଆଖପାଖ ପାହାଡ଼ରୁ ଆଦିବାସୀ ସମ୍ପ୍ରଦାୟ ଲୋକେ ଗୋଲମରିଚ, ଡାଲଚିନି (ଡାଲଚିନି), ତେଜପତ୍ର, ହଳଦୀ, ମାଣ୍ଡିଆ ଏବଂ ଅନ୍ୟାନ୍ୟ କ୍ଷୁଦ୍ର ବନଜାତ ଦ୍ରବ୍ୟ ସଂଗ୍ରହ କରିଥାଏ" ବୋଲି କହିଛନ୍ତି ରାୟଗଡା ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନ ଜେକେ ପୁର ଅଞ୍ଚଳର ମା' ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର କସ୍ତୁରୀ କଡ୍ରାକା। ମେଳାରେ ଗଜବାହିନୀ ସ୍ୱୟଂ ସହାୟକ ଗୋଷ୍ଠୀର ମିଲେଟ୍ ମିକ୍ସର ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପଲ୍ଲୀ ବ୍ଲକର ଏକ ସଂଗଠନ ଏଥର ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି। ବାଲିଗୁଡ଼ାର ଓମ୍ ସାଇରାମ ଏସଏଚଜି ପାରମ୍ପରିକ ମସଲା ଓ ଶସ୍ୟ ପ୍ରଦର୍ଶନ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀର ସର୍ବ ମଙ୍ଗଳା ଏସଏଚଜି ଅନେକ ଗୁଣରେ ଭରପୁର ଔଷଧୀୟ ଓ ଚର୍ମଯତ୍ନ ସାମଗ୍ରୀ ଆଣି ଦର୍ଶକଙ୍କୁ ଆକର୍ଷିତ କରୁଛି।
ଚଳିତ ବର୍ଷ ଏହି ଆଦିବାସୀ ମେଳାରେ ରାଜ୍ୟର ୨୨ଟି ଆଇଟିଡିଏ ଏବଂ ୧୭ ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି (ଏମପିଏ)ର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରୁଛନ୍ତି। ସବୁଠାରୁ ଅଧିକ ଭିଡ ଜମୁଛି "ଆଦିବାସୀ ହାଟ"ରେ ଯେଉଁଠି ଜୈବିକ ଦ୍ରବ୍ୟ ବିକ୍ରି ପାଇଁ ୬୬ଟି ଷ୍ଟଲ ଏବଂ "ଆଦିବାସୀ କଳା ହସ୍ତଶିଳ୍ପ" କର୍ଣ୍ଣରରେ ୧୫ଟି ଷ୍ଟଲ ରହିଛି। କଳା ଓ ହସ୍ତଶିଳ୍ପ ବିପଣୀରେ ଜିଆଇ ଉତ୍ପାଦ ଆଦିବାସୀ ସାଂସ୍କୃତିକ ପରମ୍ପରା, କଳା ଓ ହସ୍ତଶିଳ୍ପର ଉନ୍ନତି ଓ ଲୋକପ୍ରିୟକରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରାରଙ୍କ ଠାରୁ ସମ୍ମାନଜନକ ଜିଆଇ ମାନ୍ୟତା ପାଇଥିବା ରାୟଗଡ଼ା ଜିଲ୍ଲାର ଲାଞ୍ଜିଆ ସୌରାଙ୍କ ଇଡିଟାଲ ପେଣ୍ଟିଂ ମଧ୍ୟ ମେଳାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ରୂପା ରୋଶନ ସାହୁ କହିଛନ୍ତି ଯେ ଆମର ଅନେକ ଆଦିବାସୀ ଉତ୍ପାଦ ଅନନ୍ୟ ଅଟେ। ଆଦିବାସୀ ସାମଗ୍ରୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ। ଏଥର ଲାଞ୍ଜିଆ ସୌରା ସମ୍ପ୍ରଦାୟର କାପଡ଼ାଗନ୍ଦା, ଡଙ୍ଗରିଆ କନ୍ଧ ମାନଙ୍କ ସୂଚୀଶିଳ୍ପ ଶାଲ୍ ଏବଂ ଇଡିଟାଲ୍ ପେଣ୍ଟିଂ ବିକ୍ରି ପାଇଁ ରଖାଯାଇଛି। ଭବିଷ୍ୟତରେ ଆମେ ଏହି ତାଲିକାରେ ଆହୁରି ଅଧିକ ସାମଗ୍ରୀ ଯୋଡ଼ିବୁ ବୋଲି କହିଛନ୍ତି ଶ୍ରୀମତି ସାହୁ।
ମେଳାରେ ଆଦିବାସୀ କାରିଗରୀ ଗୁଡ଼ିକ ମଧ୍ୟରେ ରହିଛି ଗୁଣୁପୁରର ଲାଞ୍ଜିଆ ସୌରା ଚିତ୍ରକଳା, ବାଲିଗୁଡ଼ାର ଡୋକ୍ରା କଳା, ଥୁଆମୂଳ ରାମପୁରର କାଠ ତିଆରି ସାମଗ୍ରୀ, କପ୍ତିପଦାର ସାନ୍ଥାଳ ହସ୍ତତନ୍ତ ସାମଗ୍ରୀ, ନବରଙ୍ଗପୁରର ଧାନ କଳା, ଏସସିଏସଟି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର କଳା ଓ ହସ୍ତଶିଳ୍ପ, ନବରଙ୍ଗପୁରର ମାଟିପାତ୍ର, ଜୟପୁରର ମିର୍ଗନ ହସ୍ତତନ୍ତ, କେନ୍ଦୁଝରର ଗଣ୍ଡ ମାନଙ୍କ କଳା, ସୁନ୍ଦରଗଡ଼ର ବାଉଁଶ ଓ ବେତ ହସ୍ତଶିଳ୍ପ, ମୟୂରଭଞ୍ଜ ବାରିପଦା ନିକଟସ୍ଥ ସୁରେଡିହିର ସାବାଇ ହସ୍ତଶିଳ୍ପ, ଯଶିପୁରରୁ ସିଆଲି କ୍ରାଫ୍ଟ, ନୀଳଗିରିର ଲାକ୍ ଆର୍ଟ, ରାଇରଙ୍ଗପୁରରୁ ବାଉଁଶ କାରିଗରୀ ଓ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଥର କାରିଗରୀ। ସବୁଠାରୁ କୌତୁହଳର କଥା ହେଉଛି "ଆଦିବାସୀ ଆର୍ଟ ଆଣ୍ଡ କ୍ରାଫ୍ଟ" ଏନକ୍ଲୋଜରର ପ୍ରବେଶ ଦ୍ୱାର ନିକଟରେ ଲାଖ ଚୁଡ଼ି ତିଆରିର ଲାଇଭ୍ ପ୍ରଦର୍ଶନ ପ୍ରବଳ ଜନସମାଗମକୁ ଆକର୍ଷିତ କରୁଛି।
ସତ୍ୟଜିତ ଦାସ ନାମକ ଅନ୍ୟ ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି ଯେ, "ଆଦିବାସୀ ସାମଗ୍ରୀ ବ୍ୟତୀତ "ଆଦିବାସୀ ହାଟ" ମାଧ୍ୟମରେ ଆଦିବାସୀ ଏବଂ ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀଙ୍କ ଜୀବନଶୈଳୀକୁ ଦେଖିବାକୁ ସୌଭାଗ୍ୟ ମିଳିଛି ଏବଂ ପରିବାରର ପିଲାମାନେ ଏହାକୁ ଅଧିକ ଉପଭୋଗ କରୁଛନ୍ତି। ଓଡ଼ିଶାର ଜୀବନ୍ତ ଆଦିବାସୀ ଐତିହ୍ୟ ସମ୍ପର୍କିତ ଏହି ବାର୍ଷିକ ଜ୍ଞାନକେନ୍ଦ୍ର ଆମକୁ ଉପହାର ଦେଇଥିବାରୁ ଆୟୋଜକ ଏବଂ ବିଶେଷ କରି ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି)କୁ ସେ କୃତଜ୍ଞତା ଜଣାଇଛନ୍ତି।