ପୁଣି କଠୋର ହେଲେ ସରକାର: ଆଉ ରିଟାର୍ଡ କର୍ମଚାରୀଙ୍କୁ ଥଇଥାନ କରିପାରିବେନି ପ୍ରଶାସନିକ ବିଭାଗ

ରାଜ୍ୟରେ ମୋହନ ମାଝୀଙ୍କ ସରକାର କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଲାଗିଥିଲା । ଯେଉଁମାନେ ଅବସର ପରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ମଧ୍ୟ ଧୀରେଧୀରେ ବିଦା କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

Loka Seva Bhavan

  • Published: Monday, 21 October 2024
  • , Updated: 21 October 2024, 10:32 PM IST

ରିଟାର୍ଡ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଲଗାଇଥିବା ମୋହନ ମାଝୀ ସରକାର ଆଜି ପୁଣି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଅର୍ଥ ବିଭାଗର ୨୦୨୨ ସେପ୍ଟେମ୍ବର ୨୯ତାରିଖର ନିର୍ଦ୍ଦେଶନାମାରେ ପ୍ରଶାସନିକ ବିଭାଗଗୁଡ଼ିକୁ ଦିଆଯାଇଥିବା କ୍ଷମତାକୁ ଆଜି ପ୍ରତ୍ୟାହାର କରିନିଆଯାଇଛି । ଅର୍ଥ ବିଭାଗ ଆଜି ପୁଣିଥରେ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରି ୨୦୨୨ ସେପ୍ଟେମ୍ବର ୨୯ତାରିଖର ଅଫିସ୍ ମେମୋରେଣ୍ଡମର ଅନୁଚ୍ଛେଦ-୩ର ସର୍ତ୍ତାବଳୀକୁ ପ୍ରତ୍ୟାହାର କରିନେଇଛି । ସାଧାରଣ ପ୍ରଶାସନ ବିଭାଗର ୨୦୨୪ ସେପ୍ଟେମ୍ବର ୧୨ତାରିଖର ନିର୍ଦ୍ଦେଶନାମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ରାଜ୍ୟରେ ମୋହନ ମାଝୀଙ୍କ ସରକାର କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଲାଗିଥିଲା । ଯେଉଁମାନେ ଅବସର ପରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ମଧ୍ୟ ଧୀରେଧୀରେ ବିଦା କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ଅର୍ଥ ବିଭାଗର ୨୦୨୨ ସେପ୍ଟେମ୍ବର ୨୯ତାରିଖର ନିର୍ଦ୍ଦେଶନାମାରେ ପ୍ରଦତ୍ତ କ୍ଷମତାକୁ ଆଧାର କରି କିଛି ପ୍ରଶାସନିକ ବିଭାଗ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଏହାପରେ ଅର୍ଥ ବିଭାଗ କଡ଼ା ଆଭିମୁଖ୍ୟ ପୋଷଣ କରି ରିଟାର୍ଡ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ପ୍ରଶାସନିକ ବିଭାଗଗୁଡ଼ିକୁ ଦିଆଯାଇଥିବା କ୍ଷମତା(ଅନୁଚ୍ଛେଦ-୩)କୁ ପ୍ରତ୍ୟାହାର କରିନେଇଛନ୍ତି । ସେହି ମେମୋରେଣ୍ଡମର ବାକି ସବୁ ସର୍ତ୍ତାବଳୀ ପୂର୍ବବତ୍ ରହିବ ବୋଲି ଦର୍ଶାଇଛନ୍ତି ।

ଅର୍ଥ ବିଭାଗ ଦ୍ୱାରା ପୂର୍ବରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପ୍ରଶାସନିକ ବିଭାଗଗୁଡ଼ିକ ଖାଲି ପଡ଼ିଥିବା ମୂଳ କ୍ୟାଡ଼ର ପଦବୀର ୫୦ ପ୍ରତିଶତ ପର୍ଯ୍ୟନ୍ତ ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ କ୍ଷମତାପ୍ରାପ୍ତ ଥିଲେ ।

କିନ୍ତୁ ମୋହନ ମାଝୀଙ୍କ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃଥଇଥାନ ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରି ସେପ୍ଟେମ୍ବର ୧୨ତାରିଖରେ ଏହା ଉପରେ ଅଙ୍କୁଶ ଜାରି କରିଥିଲେ । କିନ୍ତୁ ପ୍ରଶାସନିକ ବିଭାଗଗୁଡ଼ିକ ଗଳାବାଟ ବାହାର କରି ଅର୍ଥ ବିଭାଗର ପୂର୍ବ ନିର୍ଦ୍ଦେଶକୁ ଆଧାରରେ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରିବା ଜଣାପଡ଼ିବା ପରେ ଆଜି ଅର୍ଥ ବିଭାଗ ନିଜର ପୂର୍ବ ସର୍ତ୍ତାବଳୀକୁ ପ୍ରତ୍ୟାହାର କରିନେଇଛି ।

Related story