Advertisment

ମାଟିର ଝିଅ ପାଇଁ ଆଜି ସାକାର ହେଲା ପ୍ରାୟ ୯୦ ବର୍ଷ ତଳର ସ୍ୱପ୍ନ

୧୯୩୨ ମସିହାରୁ ରେଳସେବା ମାନଚିତ୍ରରେ ଯୋଡ଼ି ହେବା ସହ କେବଳ ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ ମୟୂରଭଞ୍ଜର ବାଦାମପାହାଡ଼ବାସୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Train

Train

ମାଟିର ଝିଅ ପାଇଁ ଆଜି ସାକାର ହେଲା ପ୍ରାୟ ୯୦ ବର୍ଷ ତଳର ସ୍ୱପ୍ନ। ବୋହୂ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ବୋଲି ଏକ୍ସପ୍ରେସ୍ ଟ୍ରେନ୍ ଦେଖିଲେ ମୟୂରଭଞ୍ଜ ଶାଶୁଘର ଗାଁ ଅଞ୍ଚଳର ଲୋକେ। ଆଜି ରାଷ୍ଟ୍ରପତି ନିଜ ହାତରେ ଲୋକାର୍ପଣ କରିଛନ୍ତି ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ୍। ଖାଲି ଲୋକାର୍ପଣ କଲେନି, ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ଟ୍ରେନରେ ବସାଇ ୩୨ କିଲୋମିଟର ଯାତ୍ରା କଲେ।

Advertisment

୧୯୩୨ ମସିହାରୁ ରେଳସେବା ମାନଚିତ୍ରରେ ଯୋଡ଼ି ହେବା ସହ କେବଳ ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ ମୟୂରଭଞ୍ଜର ବାଦାମପାହାଡ଼ବାସୀ। ଆଜିଠୁ କିନ୍ତୁ ବାଦାମପାହାଡ଼ରୁ ରାଉରକେଲା ଏବଂ ସାଲିମାରକୁ ୨ଟି ଏକ୍ସପ୍ରେସ ସହ ଟାଟାନଗରକୁ ଗୋଟିଏ ମେମୁରେ ବସି ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ରାଜ୍ୟପାଳ ରଘୁବର ଦାସଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଓ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଣିଙ୍କ ଉପସ୍ଥିତିରେ ପତାକା ଦେଖାଇ ଏହି ଟ୍ରେନ ସେବାର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଛାତ୍ରଛାତ୍ରୀଙ୍କୁ ଧରି ବାଦାମପାହାଡ଼ରୁ ୩୨ କିଲୋମିଟର ଦୂର ରାଇରଙ୍ଗପୁର ଯାଏଁ ସାଲିମାର ଏକ୍ସପ୍ରେସରେ ଯାତ୍ରା କରିଥିଲେ ମହାମହିମ।

ରେଳସେବାର ଲୋକାର୍ପଣ ପୂର୍ବରୁ ଗତରାତିରେ ମହୁଲଡିହା ଘରେ ରହିଲେ ରାଷ୍ଟ୍ରପତି। ଭାଇ ଭାଉଜ ଓ ପରିବାର ସହ ରାତି ବିତାଇଥିଲେ। ଏହାପରେ ଆଜି ସକାଳୁ ପ୍ରଥମେ ବାଦାମପାହାଡ଼ ଅଞ୍ଚଳରେ ଥିବା ଶାଶୁଘର ପାହାଡ଼ପୁରକୁ ଯାଇଥିଲେ। ଯିବାବେଳେ ଦିବଙ୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ୧୭୧ ଜଣ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ପରେ ସ୍ୱାମୀ ଓ ୨ ପୁଅଙ୍କ ସ୍ମୁତିରେ ନିର୍ମିତ SLS ଶିକ୍ଷାନୁଷ୍ଠାନରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ରାଷ୍ଟ୍ରପତି ଭବନରୁ ଆଣିଥିବା ପୋଷାକ ଓ ଶାଢ଼ୀ ପ୍ରଦାନ କରିଥିଲେ ରାଷ୍ଟ୍ରପତି।

Advertisment

ବାଦାମପାହାଡ଼ରୁ ଟ୍ରେନର ଆସି ପହଞ୍ଚିବା ପରେ ରାଇରଙ୍ଗପୁର ଦାଣ୍ଡବୋଷ ହେଲିପ୍ୟାଡକୁ ଯାଉଥିଲେ ମହାମହିମ। ଆଉ ଯିବାବେଳେ ରାସ୍ତାର ଉଭୟ କଡ଼ରେ ଥିବା ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀଙ୍କୁ ହାତ ମିଳାଇବା ସହ କଥା ହୋଇଥିଲେ। ପିଲାଙ୍କୁ ଚକୋଲେଟ୍ ଦେଖି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଭର୍ଚୁଆଲରେ ଉଦଘାଟନ କରିଥିବା ରାଇରଙ୍ଗପୁର ଡାକମଣ୍ଡଳକୁ ଯାଇଥିଲେ ମହାମହିମ। ସେଠାରୁ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି ଦ୍ରୌଦଦୀ ମୁର୍ମୁ।

ଆଜି ଅପରାହ୍ନରେ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି। ସେ ପ୍ରଥମେ ବୁର୍ଲା ଭିସୁଟର ୧୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନାରୀଙ୍କ ଗରିମା ବଖାଣିଥିଲେ ମହାମହିମ। ତା’ସହ ଛାତ୍ରଛାତ୍ରୀଙ୍କୁ ସବୁ କ୍ଷେତ୍ରରେ ଶକ୍ତିମାନ ହେବା ଲାଗି ଉପଦେଶ ଦେବା ସହ ନିଜ ସାମର୍ଥ୍ୟର ସଦୁପଯୋଗ ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୨୭ ଜଣ ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ରାଷ୍ଟ୍ରପତି।

ସମାବର୍ତ୍ତନ ଉତ୍ସବ ପରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଟୁକୁନି ସାହୁ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ। ରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ପାଇଁ ସଂଧ୍ୟାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା। ଆସନ୍ତାକାଲି ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନ୍ୟାସନାଲ ଏଜୁକେସନ କ୍ୟାମ୍ପେନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

President Of India Baripada