Advertisment

ଚନ୍ଦକା ପରେ ଝୁମ୍‌କା ଜଙ୍ଗଲକୁ ଡେଇଁଲା ନିଆଁ, ବିପଦରେ ବନ୍ୟଜନ୍ତୁ ଓ ଜୈବ ବିବିଧତା

କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ

author-image
Biswajit Samal
ଅଦ୍ୟତନ ହୋଇଛି
Fire

Fire

ନିଆଁ ଆଁରେ ଚନ୍ଦକା ଅଭୟାରଣ୍ୟ। କାଲି ଗୋଡ଼ିବାରୀ ଜଳୁଥିଲା। ଆଉ ଆଜି ଝୁମ୍‌କା ଜଙ୍ଗଲ। ଯୁଆଡ଼େ ଅନେଇଲେ, ନିଆଁ ଆଉ ଧୂଆଁ। ଜୀବଜନ୍ତୁ ଅସ୍ତବ୍ୟସ୍ତ, ନୟାନ୍ତ ହେଲାଣି ମଣିଷ। ହୁତ୍ ହୁତ୍ ହୋଇ ଜଳୁଛି ବାଉଁଶ ବଣ। ଚାରିଆଡ଼େ ଧଳା ପାଉଁଶର ଆସ୍ତରଣ। ପାହାଡ଼ ଓ ଜଙ୍ଗଲ ଉପର ଆକାଶରେ ଧୂଆଁର ଚାଦର। କେବଳ ମଝିରେ ମଝିରେ ଶୁଭୁଛି ନିଆଁ ଝାସରେ କଲବଲ ହେଉଥିବା ପକ୍ଷୀର କିଚିରି ମିଚିରି ଓ ଜୀବଜନ୍ତୁଙ୍କ ଆର୍ତ୍ତ ଚିତ୍କାର।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଜଙ୍ଗଲରେ ନିଆଁର ପ୍ରକୋପ ଏତେ ଅଧିକ ଯେ କେବଳ ଜୀବଜନ୍ତୁ ନୁହନ୍ତି ଜଙ୍ଗଲ ପାଖ ଗାଁରେ ରହିବା ବି ସମ୍ଭବ ହେଉନି। ଦେହ ହାତ ସିଝି ଯାଉଛି। ଏପଟେ ବନ ବିଭାଗ କର୍ମଚାରୀଙ୍କ କହିବା କଥା ବନାଗ୍ନି ଖବର ପାଇବା ପରଠୁ ସେମାନେ ନିଆଁ ଲିଭା କାମରେ ଲାଗିଛନ୍ତି। ହେଲେ ବୋଲ ମାନୁନି ନିଆଁ।

କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ। ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ହଜାର ୬୬୭ଟି ସ୍ଥାନରେ ଲାଗିଛି ଜଙ୍ଗଲ ନିଆଁ। କେବଳ ଗତ ସପ୍ତାହକ ଭିତରେ ରାଜ୍ୟର ୫ ହଜାର ୫୩୫ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି, ଯାହାକି ଦେଶରେ ସର୍ବାଧିକ।

Advertisment

ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତରେ ରହିଛି। ବନ ବିଭାଗ ୧୦୦ ପ୍ରତିଶତ ନିଆଁକୁ ଲିଭାଇବାରେ ସମର୍ଥ ହେଉଛି। ତେବେ ବାଲିଗୁଡ଼ା, ଫୁଲବାଣୀ, ବଣେଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ଟି ବନଖଣ୍ଡରେ ଅଧିକ ନିଆଁ ଲାଗୁଥିବାରୁ ଓଡ୍ରାଫ୍ ନିୟୋଜନ କରାଯାଇଛି।

Fire