ଖଲାପୀ ଖଣି କମ୍ପାନୀ ପ୍ରତି ଦରଦ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଦାୟ ହୋଇନି ୨୯୬୫କୋଟିର ଜୋରିମାନା

୨୦୦୦-୦୧ରୁ ୨୦୧୦-୧୧ ମସିହା ମଧ୍ୟରେ ଖଣିଜ ପଦାର୍ଥ ଉତ୍ତୋଳନରେ ଅନିୟମିତତାର ପ୍ରମାଣ ଏହି ଲିଜ୍‌ଧାରୀ କରିଥିବାର ପ୍ରମାଣ ମିଳିଥିଲା ।

Representative image

  • Published: Monday, 25 September 2023
  • , Updated: 25 September 2023, 10:27 PM IST

ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିବା ଖଣି ଲିଜ୍‌ଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ ଯୋଗୁ ଦୀର୍ଘ ପ୍ରାୟ ୭ବର୍ଷ ପରେ ବି ୨୬ଟି ଖିଲାପୀ ଖଣି କମ୍ପାନୀଠୁ ୨୯୬୫.୨୮କୋଟି ଟଙ୍କାର ଜୋରିମାନା ଆଦାୟ ସମ୍ଭବପର ହୋଇନି । ଏପରିକି ଏହି ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ସତ୍ତ୍ୱେ ରାଜ୍ୟ ସରକାର କେବଳ ସାର୍ଟିଫିକେଟ୍ କେସ୍ ଦାଏର କରି ବସିଯାଇଛନ୍ତି । ଆଜି ବିଧାନସଭାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ଲିଖିତ ଉତ୍ତରରେ ଏହା ଜଣାପଡ଼ିଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଜଷ୍ଟିସ ଏମବି ଶାହା କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟିଙ୍କ ରିପୋର୍ଟ ଆଧାରରେ ୨୦୧୭ ଅଗଷ୍ଟ ୨ତାରିଖରେ ଚୂଡ଼ାନ୍ତ ରାୟ ଦେଇ ସୁପ୍ରିମକୋର୍ଟ ରାଜ୍ୟର ମୋଟ ୧୩୩ଟି ଲୁହା ଓ ମାଙ୍ଗାନିଜ୍ ଖଣି ଲିଜଧାରୀଙ୍କଠୁ ୧୮୫୨୬.୪୭କୋଟି ଟଙ୍କାର କ୍ଷତିପୂରଣ ୨୦୧୭ ଡିସେମ୍ବର ୩୧ତାରିଖ ସୁଦ୍ଧା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୨୦୦୦-୦୧ରୁ ୨୦୧୦-୧୧ ମସିହା ମଧ୍ୟରେ ଖଣିଜ ପଦାର୍ଥ ଉତ୍ତୋଳନରେ ଅନିୟମିତତାର ପ୍ରମାଣ ଏହି ଲିଜ୍‌ଧାରୀ କରିଥିବାର ପ୍ରମାଣ ମିଳିଥିଲା । ଏହି ଖଣି ଲିଜଧାରୀଙ୍କ ମଧ୍ୟରୁ ୧୦୭ଜଣ ନିଜର ଜୋରିମାନା ବାବଦ ଅର୍ଥ ୧୫,୫୬୧.୧୯କୋଟି ଟଙ୍କା ପୈଠ କରିଥିବାବେଳେ ୨୬ଟି ଖଣି ଲିଜଧାରୀ ନିଜର ଜୋରିମାନା ଅର୍ଥ ପ୍ରଦାନ କରିନାହାନ୍ତି । ତେବେ ଏହି ଜୋରିମାନା ଦେଇନଥିବା ଖଣି ଲିଜଧାରୀଙ୍କ ବିରୁଦ୍ଧରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଓପିଡିଆର ଆକ୍ଟ-୧୯୬୨ର ପ୍ରାବଧାନ ଅନୁସାରେ ସାର୍ଟିଫିକେଟ୍ କେସ୍ ଦାଏର କରିଛନ୍ତି ଓ ରାଜ୍ୟ ସରକାର ଏହି ସବୁ ମାମଲାରେ ଜୋରିମାନା ଅର୍ଥକୁ ତୁରନ୍ତ ଆଦାୟ କରିବା ନିମନ୍ତେ ଯଥାସାଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି । ଆଶ୍ଚର୍ଯ୍ୟର କଥା ଚଳିତମାସ ୧୪ତାରିଖରେ ଇସ୍ପାତ ଓ ଖଣି ବିଭାଗ ସମସ୍ତ ଜିଲ୍ଲାପାଳ ଓ ସାର୍ଟଫିକେଟ୍ ଅଧିକାରୀଙ୍କୁ ଯଥାଶୀଘ୍ର ଏହି ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।

ଦୀର୍ଘ ୭ବର୍ଷ ଧରି ଜୋରିମାନା ଦେଉନଥିବା ଖଣି କମ୍ପାନୀଗୁଡ଼ିକ ପ୍ରତି ଏତେ ଦରଦ କାହିଁକି ଓ ସାର୍ଟଫିକେଟ୍ କେସ୍ କରି ସରକାର କାହିଁକି ଚୁପ୍ ହୋଇ ବସିଛନ୍ତି ତାକୁ ନେଇ ସନ୍ଦେହ ବଢ଼ିଛି । ବିଧାନସଭା ଅଧିବେଶନକୁ ଆଖିରେ ରଖି ଚିରାଚରିତ ଢଙ୍ଗରେ ଇସ୍ପାତ ଓ ଖଣି ବିଭାଗ ଚଳିତମାସ ୧୪ତାରିଖରେ ଗୋଟିଏ ଚିଠି ପଠାଇ ଏହି ବକେୟା ଜୋରିମାନା ଅର୍ଥ ଆଦାୟ କଥା ମନେ ପକାଇ ଦେଇଛି । ଯାହାକି ଧର୍ମକୁ ଆଖିଠାର ସଦୃଶ ବୋଲି ଚର୍ଚ୍ଚା ।

ସୂଚନାଯୋଗ୍ୟ, ଖଣି ଲିଜଧାରୀ ମିଡଇଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ଲିଃ ସର୍ବାଧିକ ୬୫୭.୫୨କୋଟି ଟଙ୍କା ବଜେୟା ରଖିଥିବାବେଳେ ବିପିଏମଇ ଲିଃ ୬୧୮.୭୩କୋଟି ଟଙ୍କା ଓ ୧୯୩.୭୮ କୋଟି ଟଙ୍କା, ବିକେ ମହାନ୍ତି ୩୮୪.୭୪କୋଟି ଟଙ୍କା, ଜିଏସଆଇ ଲିଃ ୨୬୭.୧୨କୋଟି ଟଙ୍କା, ଏସ ପ୍ରଧାନ ୧୨୩.୦୬କୋଟି ଟଙ୍କା ଓ ୯୨.୭୯ କୋଟି ଟଙ୍କା,ବିସି ଦେବ ୧୧୬.୮୪କୋଟି ଟଙ୍କା, ବିକେ ଦାସ ୩୫.୪୦କୋଟି ଟଙ୍କା, ଏସଏନ ଦାସମହାପାତ୍ର ୪.୮୩କୋଟି ଟଙ୍କା, ଜେନିଥ ମାଇନିଂ ୩୪.୮୫କୋଟି ଟଙ୍କା, ଅର୍ଜୁନ ଲୋଧା ୬୩.୪୨କୋଟି ଟଙ୍କା, ବିଏସ ମିଶ୍ର ୨.୧୦କୋଟି ଟଙ୍କା, ରାଜ କୁମାର ଅଗ୍ରୱାଲ ୧୯.୦୮କୋଟି ଟଙ୍କା, ବାସୁଦେବ ଅଗ୍ରୱାଲ ୮.୪୮କୋଟି ଟଙ୍କା, ଓଏମଏମ୍ ପ୍ରାଃ ଲିମିଟେଡ୍ ୮୦.୬୫କୋଟି ଟଙ୍କା ଓ ୩.୦୮କୋଟି ଟଙ୍କା, ଟିବି ଲାଲ ଆଣ୍ଡ କୋ ୯୩.୦୩କୋଟି ଟଙ୍କା ଓ ୬.୩୧ଲକ୍ଷ ଟଙ୍କା ବକେୟା ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

Related story