Advertisment

ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସ ଜାଲିଆତି: ଭୋଟର କାର୍ଡ ଯାଂଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସମସ୍ତ  ଆବେଦନକାରୀ ବୃଦ୍ଧବୃଦ୍ଧାଙ୍କ ବୟସକୁ ଯାଂଚ ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

author-image
Ordigital Desk
Pension

Pension

ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧାଙ୍କୁ ମାସିକ ୩୫୦୦ଟଙ୍କା ଭତ୍ତା ପ୍ରଦାନ କରିବାର ୩ମାସ ନପୁରୁଣୁ ଅଚାନକ ଏହି ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି ।  ଏହି ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସମସ୍ତ  ଆବେଦନକାରୀ ବୃଦ୍ଧବୃଦ୍ଧାଙ୍କ ବୟସକୁ ଯାଂଚ ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରି ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଆର ଏସ୍ ଗୋପାଳନ ସମସ୍ତ ଜିଲ୍ଲାପାଳମାନଙ୍କୁ ସେପ୍ଟେମ୍ବର ୩ତାରିଖରେ ଚିଠି ଲେଖି ଅବଗତ କରାଇଛନ୍ତି ।

Advertisment

କାହିଁକି ହେବ ଆବେଦନକାରୀଙ୍କ ଭୋଟର କାର୍ଡ ଯାଂଚ

୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବର୍ଗରେ ମାସିକ ଭତ୍ତା ପାଇବା ନିମନ୍ତେ ଏବେ ଆବେଦନକାରୀଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ଅଯୋଗ୍ୟ ହିତାଧିକାରୀମାନେ ନିଜର ଭୋଟର କାର୍ଡରେ ବୟସ ଜାଲିଆତି କରି ମାସିକ ଭତ୍ତା ପାଇଁ ଆବେଦନ କରୁଥିବା ସରକାର ସନ୍ଦେହ କରିଛନ୍ତି । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ତୁରନ୍ତ ଏହାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଆବେଦନକାରୀଙ୍କ ଭୋଟର ଆଇଡି(ଇପିଆଇସି) ଯାଂଚ କରିବାକୁ କୁହାଯାଇଛି । ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବର୍ଗରେ ଭତ୍ତା ପାଇବା ନିମନ୍ତେ ଅନେକ ନୂଆ ଆବେଦନକାରୀ ନିଜର ଭୋଟର ଆଇଡି କାର୍ଡରେ ଜନ୍ମ ତାରିଖ ପରିବର୍ତ୍ତନ କରୁଥିବା ସରକାର ସନ୍ଦେହ କରିଛନ୍ତି । ସେଥିପାଇଁ  ସେମାନଙ୍କର ପୁରୁଣା ଭୋଟର କାର୍ଡକୁ ଯାଂଚ କରି ବୟସର ସତ୍ୟାସତ୍ୟ ପରଖିବାକୁ କୁହାଯାଇଛି । ଆବେଦନକାରୀଙ୍କ ଜନ୍ମ ତାରିଖରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଭତ୍ତା ପ୍ରଦାନରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

Advertisment

ଜୁନରୁ ୮୦ବର୍ଷ ବୟସ୍କଙ୍କୁ ମିଳୁଛି ମାସିକ ୩୫୦୦ଟଙ୍କା ଭତ୍ତା

ବିଜେପି ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରି ୮୦ବର୍ଷ ବୟସରୁ ଅଧିକ ଯୋଗ୍ୟ ବୃଦ୍ଧବୃଦ୍ଧା ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ମାସିକ ୩୫୦୦ଟଙ୍କା ଯୋଗାଇ ଦେଉଛନ୍ତି । ସରକାର ଯଦିଓ ଜୁନ୍ ମାସରୁ ଏହି ବର୍ଦ୍ଧିତ ଭତ୍ତା ନିୟମିତ ଦେଉଛନ୍ତି ମାତ୍ର ତାହା ପିଛିଲା ଭାବେ ଚଳିତବର୍ଷ ଜାନୁୟାରୀରୁ ଲାଗୁ ହୋଇଛି । ରାଜ୍ୟ ସରକାର ଏବେ ୮୦ବର୍ଷ ବୟସ ବା ତଦୁର୍ଦ୍ଧ୍ୱ ବୟସର ପ୍ରାୟ ୨.୧୧ଲକ୍ଷ ବୃଦ୍ଧବୃଦ୍ଧାଙ୍କୁ ମଧୁବାବୁ ପେନସନ୍ ଯୋଜନା(ନିଜସ୍ୱ) ଏବଂ ୧.୫୬ଲକ୍ଷ ବୃଦ୍ଧବୃଦ୍ଧାଙ୍କୁ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ୩୫୦୦ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ବିଗତ ୧୪ମାସ ମଧ୍ୟରେ ବିଭିନ୍ନ ବର୍ଗ ଓ ବୟସର ପ୍ରାୟ ୧.୪୦ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧ୍ୟ ମାସିକ ଭତ୍ତା ପ୍ରଦାନ କରାଯାଉଛି । ସରକାର ଏବେ ଉଭୟ ମଧୁବାବୁ ଓ ଜାତୀୟ ସୁରକ୍ଷା ଯୋଜନାରେ ମାସିକ ପେନସନ ବା ଭତ୍ତା ପରିମାଣକୁ ସର୍ବନିମ୍ନ ୧ହଜାର ଟଙ୍କା କରିଦେଇଛନ୍ତି ।

ଅପେକ୍ଷାରେ ଅଛନ୍ତି ଅନ୍ୟ ଯୋଗ୍ୟ ହିତାଧିକାରୀ

ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ୮୦ବର୍ଷ ବୟସରୁ ଉର୍ଦ୍ଧ୍ୱ ବୃଦ୍ଧବୃଦ୍ଧାଙ୍କୁ ମାସିକ ୩୫୦୦ଟଙ୍କା ଭତ୍ତା ଦେଇଥିବାବେଳେ ୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ହିତାଧିକାରୀମାନେ ନିଜର ବର୍ଦ୍ଧିତ ଭତ୍ତା ପାଇଁ ଅପେକ୍ଷାରତ ଅଛନ୍ତି । ବିଜେପି ଏହି ବର୍ଗର ହିତାଧିକାରୀଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତେବେ ସେମାନଙ୍କୁ ବର୍ଦ୍ଧିତ ଭତ୍ତା କେବେ ମିଳିତ ତାହା ଜଣାପଡ଼ିନଥିଲେ ମଧ୍ୟ ରାଜ୍ୟ ସରକାର ପଂଚାୟତ ନିର୍ବାଚନ ପୂର୍ବରୁ ଏହା ଲାଗୁ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏବେ ରାଜ୍ୟର ମୋଟ ୫୬ଲକ୍ଷ ୭୬ହଜାର ୯୧୬ଜଣ ହିତାଧିକାରୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପାଉଛନ୍ତି ।

Odisha Old Age Pension