/odisha-reporter/media/post_attachments/uploadimage/library/16_9/16_9_0/Camera_1755012451.jpg)
Camera
ରାଜ୍ୟ ସରକାରଙ୍କ କର୍ମଚାରୀ ଓ ଅଫିସରମାନଙ୍କ ଉପରେ ଏଆଇ କ୍ୟାମେରା ନଜର ରଖିବ । ଏଥିପାଇଁ ସରକାର ଯୋଜନା କରୁଥିବା ସଂକ୍ରାନ୍ତରେ ୨ମାସ ତଳେ ଅର୍ଥାତ୍ ଜୁନ୍ ମାସରେ ଏନେଇ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖି ସବୁ ବିଭାଗକୁ ଅବଗତ କରିଥିଲା । ଆଜି ପୁଣିଥରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁରୂପ ପ୍ରସଙ୍ଗରେ ଆଲୋଚନା ହୋଇ ସମାନ କଥାକୁ ଦୋହରାଇବା ପରେ ଏଆଇ କ୍ୟାମେରାର ଉପଯୋଗ କେବଳ ସରକାରୀସ୍ତରରେ ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ ସୀମିତ ଥିବା ଏକରକମ ସ୍ପଷ୍ଟ ହୋଇଛି । ଏହାସହିତ ଆଜିର ବୈଠକରେ ଅପାରଗ କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କୁ ଅବସର ପୂର୍ବରୁ ବାଧ୍ୟତାମୂଳକ ଅବସର ଦେବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ କର୍ମଚାରୀମାନେ ଠିକ୍ ସମୟରେ ଉପସ୍ଥାନ ନରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମେତ ଅପାରଗ କର୍ମଚାରୀଙ୍କୁ ଅବସର ପୂର୍ବରୁ ଅବସର ଦେବା, ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂସ୍ଥାଗତ ସୁଦୃଢ଼ୀକରଣ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରାପ୍ତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଉତ୍ତରକୁ ଅଗ୍ରାଧିକାର ଦେବା ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହୋଇଛି । ୧୫ଦିନିଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ମୁଖ୍ୟ ସଚିବ ଶ୍ରୀ ଆହୁଜା ଗୁରୁତ୍ୱ ଦେଇଛନ୍ତି ।
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁସାରେ, କର୍ମଚାରୀମାନେ ଠିକ୍ ସମୟରେ ଅଫିସରେ ପହଂଚିବା ପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନିଶ୍ଚିତ କରିବା ପାଇଁ ସରକାର ଏଆଇ ଭିତ୍ତିକ ଉପସ୍ଥାନ ଯାଂଚ ବ୍ୟବସ୍ଥା ନିମନ୍ତେ ବିଚାର କରୁଛନ୍ତି । ଲୋକସେବା ଭବନ ଓ ଖାରବେଳ ଭବନରୁ ଏହାକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରାଯିବ ଓ ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟରେ ସବୁ ସରକାରୀ ଅଫିସରେ ଏହା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି । ବୈଠକରେ ବିଭାଗୀୟ ସଚିବ ବିଶାଳ କୁମାର ଦେବ ଏ ସମ୍ପର୍କରେ ପ୍ରସ୍ତୁତି ଉପସ୍ଥାପନ କରିଥିଲେ । ଯେଉଁ ସରକାରୀ କର୍ମଚାରୀ ବା ଅଧିକାରୀ ଠିକ୍ ଭାବେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି ସେମାନଙ୍କୁ ବିଭାଗସ୍ତରରେ ମାସିକ ବା ବିଭିନ୍ନ ସମୟରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ ସମୀକ୍ଷା ହୋଇ ତଥ୍ୟ ରଖାଯିବ । ଏହାପରେ ସରକାରୀ ବ୍ୟବସ୍ଥା ଅନୁସାରେ ଅବସର ପୂର୍ବରୁ ଅବସର ଦେବା ପାଇଁ ପଦଷକ୍ଷପ ନିଆଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ସେହିପରି କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ନରହିବା, ଅଭିଯୋଗ ଶୁଣାଣିରେ କୋହଳ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାର ଦୁର୍ବଳ ହାର, ନିୟମିତ ତଦାରଖ ବ୍ୟବସ୍ଥା ନକରାଯିବା ଆଦି ଦୁର୍ନୀତିର ବିଭିନ୍ନ ଦିଗ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା । ସେହିପରି ସରକାରୀ କ୍ରୟପ୍ରକ୍ରିୟା, କିଣାବିକା, ମାନବସମ୍ବଳ ପରିଚାଳନା, ଲୋକଙ୍କୁ ସେବା ପ୍ରଦାନରେ ଅନିୟମିତତା ଆଦି ଦୁର୍ନୀତିର ସମ୍ଭାବ୍ୟ କ୍ଷେତ୍ର ବୋଲି ବିବେଚନା କରାଯିବା ସହ ଭିଜିଲାନ୍ସ ପ୍ରଶାସନକୁ ସୁଦୃଢ଼ୀକରଣ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ବୋଲି ମୁଖ୍ୟ ସଚିବଙ୍କ ଅଫିସ୍ କହିଛି ।
ବିଭିନ୍ନ ବିଭାଗୀୟ କାର୍ଯ୍ୟ ତଦାରଖ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିବା ପାଇଁ ତଥ୍ୟ ସମ୍ବଳିତ ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ କାର୍ଯ୍ୟକାରୀ କରାଯିବା ସମ୍ପର୍କରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଏହି ଡ୍ୟାସବୋର୍ଡ ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ କରାଯିବ । ଜିଲ୍ଲାପାଳମାନେ ପ୍ରତିମାସରେ ୭ତାରିଖ ସୁଦ୍ଧା ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରୀୟ ବିଭାଗଗୁଡିକ ପ୍ରତିମାସର ୧୨ତାରିଖରେ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ମଞ୍ଜୁରୀ ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବେ । ମୁଖ୍ୟ ସଚିବ ପ୍ରତିମାସର ଶେଷ ଶନିବାର ଏହାର ସମୀକ୍ଷା କରିବେ । ସେହିପରି ଅଫିସରମାନେ କ୍ଷେତ୍ର ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯାଇ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଗତ ଜୁନ୍ ମାସରେ ସମସ୍ତ ବିଭାଗର ସଚିବ, ଆରଡିସି, ଜିଲ୍ଲାପାଳ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଓ ବିଭିନ୍ନ ସରକାରୀ ନିଯୁକ୍ତି ଆୟୋଗଙ୍କ ନିକଟକୁ ଚିଠି ଲେଖି ଏଆଇ କ୍ୟାମେରା ଓ ଆରଏଫଆଇଡି ଆଇକାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ରାଜ୍ୟ ସରକାର ଭବିଷ୍ୟତରେ ଆର୍ଟିଫିସିଆଲ ଇେଂଟଲିଜେନ୍ସ ଆଧାରିତ କ୍ୟାମେରା (ଏଆଇ କ୍ୟାମେରା) ଓ ରେଡିଓ ଫ୍ରିକ୍ୱେନ୍ସି ଆଇଡେଂଟିଫିକେସନ (ଆରଏଫଆଇଡି) ପରିଚୟ ପତ୍ର ଜରିଆରେ ଉପସ୍ଥାନ ରେକର୍ଡ କରିବାକୁ ଯୋଜନା କରୁଛନ୍ତି । ଏହି ଉନ୍ନତ ସିଷ୍ଟମର ପରୀକ୍ଷଣ ପ୍ରଥମେ ଲୋକସେବା ଭବନ ଓ ଖାରବେଳ ଭବନରେ ଆରମ୍ଭ ହେବ ଏବଂ ପରେ ଏହା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସଂପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଥିଲେ । କେବଳ ସେତିକି ନୁହେଁ , ସର୍ବାଧିକ ୩ଥର ବିଳମ୍ବ ହେଲେ କଟିବ ଗୋଟିଏ ଦିନ ଛୁଟି କଟିବ ବୋଲି ମଧ୍ୟ ଅବଗତ କରାଇଥିଲେ । ନୂଆ ନିୟମ ଅନୁଯାୟୀ, ଯେକୌଣସି ଦିନ ପାଇଁ ସର୍ବାଧିକ ୩୦ ମିନିଟର ବିଳମ୍ବକୁ କ୍ଷମା କରାଯାଇପାରିବ, ଯାହା ଗୋଟିଏ ମାସରେ ସର୍ବାଧିକ ତିନି ଦିନ ପାଇଁ ପ୍ରଯୁଜ୍ୟ । ଯଦି କୌଣସି କର୍ମଚାରୀ ୩ଦିନରୁ ଅଧିକ ୩୦ମିନିଟ୍ ଲେଖାଏଁ କାର୍ଯ୍ୟାଳୟକୁ ଆସିବାରେ ବିଳମ୍ବ କରନ୍ତି ଓ ଏଥିପାଇଁ ତାଙ୍କ ଉପଯୁକ୍ତ କର୍ତ୍ତୃପକ୍ଷ ଅନୁମତି ଦେଇନଥିବେ ତା’ହେଲେ ତାଙ୍କର ସିଏଲ୍ (କାଜୁଆଲ ଲିଭ୍)ରୁ ଗୋଟିଏ ଦିନ କାଟି ଦିଆଯିବ । ପ୍ରତି ୩ଦିନର ବିଳମ୍ବ ପାଇଁ ନିୟମିତ ଭାବେ ଗୋଟିଏ ଲେଖାଏଁ ସିଏଲ୍ କଟିବ ।
ତେବେ ଏଆଇ କ୍ୟାମେରା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଆଜି ପୁଣିଥରେ ସେହି ଯୋଜନା କରୁଥିବା ନେଇ ବୈଠକରେ ଆଲୋଚନା କରି ବିଗତ ଦୁଇମାସ ମଧ୍ୟରେ ଏନେଇ କୌଣସି ଅଗ୍ରଗତି ହୋଇନଥିବାର ଆଭାସ ଦେଇଥିବା ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
