Advertisment

ଆଉ ଚଳିବନି ହାତ ଗୁଞ୍ଜା, ଡ୍ରାଇଭିଂ ଟେଷ୍ଟ ବେଳେ ଜଗିବ AI

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଗତ ୩ ବର୍ଷରେ ରୋଡ୍‌ ସାଇଡ୍‌ ପାର୍କିଂ ଯୋଗୁ ୨ ହଜାର ୨୦୭ଟି ଦୁର୍ଘଟଣା ଘଟିଛି। ଯେଉଁଥିରେ ଯାଇଛି ୮୫୨ ଜଣଙ୍କ ଜୀବନ।

author-image
Manoranjan Sial
Driving Track

Driving Track

ଡ୍ରାଇଭିଂ ଟେଷ୍ଟରେ ରହିବନି ମାନବ ହସ୍ତକ୍ଷେପ। ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର କରିବ ପରୀକ୍ଷା। ଗଫଲତି ଧରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)। ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ଉଠିବା ପରେ ଏବେ ଏଭଳି ପଦ୍ଧତି ଆପଣେଇଛି ପରିବହନ ବିଭାଗ। ଆଜି ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱୟଂଚାଳିତ ଗାଡ଼ିଚାଳନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

Advertisment

ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ତ ୩୮ଟି ଯାକ ଆରଟିଓରେ ଏହି ବ୍ୟବସ୍ଥା ଆପଣାଯିବ। ଏହି ବ୍ୟବସ୍ଥାରେ ପୂରା ପ୍ରକ୍ରିୟା ଅଟୋମେଟେଡ୍‌ ରହିବ। କ୍ୟାମେରା ଲେନ୍ସରେ ରହିବ ଗାଡ଼ି ଚାଳନା ପରୀକ୍ଷା ଅଞ୍ଚଳ। ମାନବ ହସ୍ତକ୍ଷେପ ଜନିତ ଗଫଲତି ଓ ଦୁର୍ନୀତି ରୋକିବାକୁ ବ୍ୟବହାର ହେବ AI। ପରିବହନ ବିଭାଗର ଏ ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଥିବା ବେଳେ ଏହାର ବାସ୍ତବ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।

ସେପଟେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଗତ ୩ ବର୍ଷରେ ରୋଡ୍‌ ସାଇଡ୍‌ ପାର୍କିଂ ଯୋଗୁ ୨ ହଜାର ୨୦୭ଟି ଦୁର୍ଘଟଣା ଘଟିଛି। ଯେଉଁଥିରେ ଯାଇଛି ୮୫୨ ଜଣଙ୍କ ଜୀବନ। ଏଭଳି ସଡ଼କ ଦୁର୍ଘଟଣା କମାଇବାକୁ ରାଜ୍ୟର ୨୩ଟି ସ୍ଥାନରେ ଟ୍ରକ ଟର୍ମିନାଲ୍‌ ସ୍ଥାପନ ପାଇଁ ଆଜି ଭିତ୍ତିପ୍ରସ୍ତର ପଡ଼ିଛି। ୧୦୦ରୁ ୩୦୦ ଭଳି ଟ୍ରକ୍ ପାର୍କିଂ ସୁବିଧା ରହିବ। ଏହି ସବୁ ଟ୍ରକ୍ ଟର୍ମିନାଲରେ ଡ୍ରାଇଭର ଓ ଟ୍ରାନ୍ସପୋର୍ଟରଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିବ। ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏସବୁ ଟ୍ରକ୍ ଟର୍ମିନାଲ।

Advertisment

ଏସବୁ ଭିତରେ ଦୁର୍ଘଟଣା ସମୟରେ ଫାଷ୍ଟ ରେସପଣ୍ଡର ଭାବେ କାର୍ଯ୍ୟ କରିବାକୁ ରାଜ୍ୟର ୬୩ ହଜାର ଏନ୍‌ସିସି କ୍ୟାଡେଟଙ୍କୁ ଜୁନିଅର ରକ୍ଷକ ଭାବେ ପ୍ରଶିକ୍ଷଣ ଦେବାକୁ ଆଜି ବୁଝାମଣାପତ୍ର ସ୍ୱାକ୍ଷର କରିଛି ପରିବହନ ବିଭାଗ।

RTO Guideline RTO