/odisha-reporter/media/post_attachments/uploadimage/library/16_9/16_9_0/Farmer_1749217883.jpg)
Farmer
ଅଦିନିଆ ବର୍ଷାରେ ଫସଲ କ୍ଷତିର ରିପୋର୍ଟ ମିଳିବା ପରେ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରୁ ଫସଲ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲାକୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି । ମୋହନ ମାଝୀଙ୍କ ସରକାରର ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ବରଗଡ଼ରେ ପ୍ରସ୍ତାବିତ ଚାଷୀ ସମାବେଶ ପୂର୍ବରୁ ଏହି କ୍ଷତିପୂରଣ ରାଶିକୁ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଂଚାଇବାକୁ ବିଜେପି ସରକାର ଲକ୍ଷ୍ୟ ରଖିଛନ୍ତି ।
୩ ଜିଲ୍ଲାକୁ ୧୩.୭୬କୋଟି ଟଙ୍କାର କ୍ଷତିପୂରଣ
ଅଦିନିଆ ବର୍ଷା ଓ ଲଘୁଚାପ ବର୍ଷାରେ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଗତ କିଛିମାସ ପୂର୍ବରୁ ପ୍ରଚଳିତ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ଆଇନରେ ସଂଶୋଧନ କରିଥିଲେ । ଏହି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ରାଜ୍ୟ ସରକାର ଗତ ୨୪ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ବରଗଡ଼, ନୂଆପଡ଼ା ଓ ସମ୍ବଲପୁରରୁ ଜିଲ୍ଲାପାଳମାନେ କ୍ଷୟକ୍ଷତି ରପୋର୍ଟ ପ୍ରଦାନ କରିଛନ୍ତି । ଯାହା ଆଧାରରେ ରାଜସ୍ୱ ବିଭାଗ ବରଗଡ଼ ଜିଲ୍ଲାକୁ ୭.୫୫କୋଟି ଟଙ୍କା, ସମ୍ବଲପୁରକୁ ୩.୦୯କୋଟି ଟଙ୍କା ଓ ନୂଆପଡ଼ା ଜିଲ୍ଲା ପାଇଁ ୩.୧୧କୋଟି ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର କରିଛନ୍ତି ।
ଅନ୍ୟ ଜିଲ୍ଲାରୁ ରିପୋର୍ଟ ଆସିଲେ କ୍ଷତିପୂରଣ ଦିଆଯିବ: ରାଜସ୍ୱ ମନ୍ତ୍ରୀ
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଦିନିଆ ବର୍ଷା ଓ ଲଘୁଚାପ ବର୍ଷାରେ ଫସଲ କ୍ଷତିର ରିପୋର୍ଟ ମିଳିବା ପରେ ନୂଆପଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ମୋଟ ୧୩.୭୬ଲକ୍ଷ ୭୦ହଜାର ଟଙ୍କା ରାଜସ୍ୱ ବିଭାଗ ଦ୍ୱାରା ମଞ୍ଜୁର କରାଯାଇଛି । ଏହି କ୍ଷତିପୂରଣ ରାଶିକୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟ ଜିଲ୍ଲାରୁ ଫସଲ କ୍ଷୟ ରିପୋର୍ଟ ଆସିବା ପରେ ଅଧିକ ରାଶି ମଞ୍ଜୁର କରାଯିବ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବାପରେ ଗତ ୩ଦିନ ତଳେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ରାଜ୍ୟର ବିଭିନ୍ନ ଅଂଚଳରେ ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ଘଟିଛି । କଟା ହେବା ପୂର୍ବରୁ ଏବଂ ମଣ୍ଡିକୁ ଆଣିବା ସମୟରେ ଧାନ ଓ ଅନ୍ୟାନ୍ୟ ଫସଲ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ପନିପରିବା ମଧ୍ୟ ବହୁତ ସ୍ଥାନରେ ନଷ୍ଟ ହୋଇଛି । ଏନେଇ ସେ ୩୦ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିବା କହିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
