ରାଜ୍ୟରେ ସରକାରୀ-ଘରୋଇ ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ରହିବ ସ୍ତନ୍ୟପାନ ରୁମ୍

ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ କିଛଦିନ ତଳେ ସବୁ ଅଫିସରେ କର୍ମଜୀବୀ ମା’ମାନଙ୍କ ପାଇଁ କ୍ରେଚ୍ ସହ ସ୍ତନ୍ୟପାନ ଗୃହର ସୁବିଧା ଯୋଗାଇ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

Representational Image

  • Published: Friday, 30 August 2024
  • , Updated: 30 August 2024, 10:32 PM IST

ଏଣିକି ସରକାରୀ ଓ ଘରୋଇ ଅଫିସ ସମେତ ସର୍ବସାଧାରଣ ସ୍ଥାନରେ ରହିବ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ଆରାମଦାୟକ ରୁମ୍ । ପିଲାଙ୍କୁ ସ୍ତନ୍ୟପାନ କରାଇବା ପାଇଁ ମା’ମାନଙ୍କୁ ଯେଭଳି ଏକାନ୍ତ, ସ୍ୱଚ୍ଛ ଓ ଅନୁକୂଳ ପରିବେଶ ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ରୁମ୍ ସ୍ଥାପନ କରିବାକୁ କହିଛନ୍ତି । ଏହାଦ୍ୱାରା ସରକାରୀ ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇପାରିବ ତଥା ମା’ମାନଙ୍କୁ ଏଥିପାଇଁ ମଧ୍ୟ ଉପଯୁକ୍ତ ସହଯୋଗ ମିଳିପାରିବ ବୋଲି ସେ କହିଛନ୍ତି । ବିଶେଷକରି ମହିଳା କର୍ମଚାରୀ ଓ ସାଧାରଣ ମହିଳାମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ କିଛଦିନ ତଳେ ସବୁ ଅଫିସରେ କର୍ମଜୀବୀ ମା’ମାନଙ୍କ ପାଇଁ କ୍ରେଚ୍ ସହ ସ୍ତନ୍ୟପାନ ଗୃହର ସୁବିଧା ଯୋଗାଇ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତବର୍ଷ ସ୍ତନ୍ୟପାନ ଦିବସର ଥିମ୍ ‘ପ୍ରତିବନ୍ଧକ ଦୂର କରିବା,ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା’ ରହିଥିଲା । ତେଣୁ ତୃଣମୂଳସ୍ତରରେ ସ୍ତନ୍ୟପାନ ନେଇ ସଚେତନତା ସୃଷ୍ଟି ସହ ସ୍ତନ୍ୟପାନ ଗୃହର ଆବଶ୍ୟକତା ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ପରିଡ଼ା ଗୁରୁତ୍ୱ ଦେଇଥିଲେ ।

Related story