Advertisment

କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ, ଯାହାର ମୂଲ୍ୟ ୧୯ ହଜାର କୋଟି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

author-image
Jitendra Garnayak
ଅଦ୍ୟତନ ହୋଇଛି
LokaSeva Bhaban

Loka Seva Bhaban

ଆସନ୍ତାକାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି, ଆସନ୍ତାକାଲି ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଅତ୍ୟଧିକ ଭିଡ଼ ଓ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଦିବସର ଦ୍ୱିତୀୟାର୍ଦ୍ଧକୁ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ପାଇଁ  ଛୁଟି ଘୋଷଣା କରିଛନ୍ତି।

ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ଆସନ୍ତାକାଲି କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ଗତକାଲି କଟକ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଥିଲା।

Advertisment

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ, ଯାହାର ମୂଲ୍ୟ ୧୯ ହଜାର କୋଟି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମ୍‌ଠାରୁ ବିଶାଳ ରୋଡ୍‌ ଶୋ' କରିବେ। ପାଖାପାଖି ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ବୟୋବନ୍ଦନା କାର୍ଡ ବାଣ୍ଟିବେ ଓ ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେ ଲକ୍ଷପତି ଦିଦିଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୩୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୫୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି। ପାଖାପାଖି ୨୦ ଜଣ ଅତିରିକ୍ତ ଡିସିପି ଏବଂ ଡିସିପି, ଆଇଜି ଓ ଆଡିସନାଲ ଡିଜି ସ୍ତରର ଅଫିସର ମଧ୍ୟ ଦାୟିତ୍ୱରେ ଅଛନ୍ତି। ଏହାସହ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ସହିତ ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ପାଇଁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି ଓ ଡ୍ରୋନ ଉଡ଼ାଇବା ଉପରେ ରୋକ ଲଗାଯାଇଛି ବୋଲି କଟକ-ଭୁବନେଶ୍ୱର ପୁଲିସ କମିଶନର ଏସ୍‌. ଦେବଦତ୍ତ ସିଂହ କହିଛନ୍ତି। 

PM Narendra Modi