Advertisment

ଓଡ଼ିଶାର ସବୁ ନିଜସ୍ୱ ସାମଗ୍ରୀର ହେବ ଜିଆଇ ଟ୍ୟାଗ, ତାଲିକାଭୁକ୍ତ ହେବେ କନସଲଟାଣ୍ଟ

ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ବିଭିନ୍ନ ସ୍ଥାନୀୟ ସାମଗ୍ରୀ ଓ କାର୍ଯ୍ୟକୁ ବିଶ୍ୱ ଦରବାରରେ ସ୍ୱୀକୃତି ଦେବା ପାଇଁ ଏହାର ଜିଆଇ ଟ୍ୟାଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

author-image
Ordigital Desk
GI

GI

ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ରାଜ୍ୟର ପ୍ରଥମ ବିଜେପି ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ଥିବା ନିଜସ୍ୱ ସ୍ଥାନୀୟ ସାମଗ୍ରୀ(ଲୋକାଲ ପ୍ରଡକ୍ଟ)କୁ ଜିଆଇ(ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଆଇ ଟ୍ୟାଗ୍ ଦିଗରେ ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ କନସଲାଟାଣ୍ଟ ଭାବେ ତାଲିକାଭୁକ୍ତ କରି ସେମାନଙ୍କ ମାଧ୍ୟମରେ ରାଜ୍ୟର ସ୍ଥାନୀୟ ସାମଗ୍ରୀଗୁଡ଼ିକର ଜିଆଇ ଟ୍ୟାଗ କରିବାକୁ ପଦକ୍ଷେପ ନେଇଛନ୍ତି।

Advertisment

ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ବିଭିନ୍ନ ସ୍ଥାନୀୟ ସାମଗ୍ରୀ ଓ କାର୍ଯ୍ୟକୁ ବିଶ୍ୱ ଦରବାରରେ ସ୍ୱୀକୃତି ଦେବା ପାଇଁ ଏହାର ଜିଆଇ ଟ୍ୟାଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ରାଜ୍ୟ ସରକାର  ରାଜ୍ୟର ଅଭିଜ୍ଞ ବ୍ୟକ୍ତିମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ ମାଧ୍ୟମରେ ଏହି ଜିଆଇ ମାନ୍ୟତା ହାସଲ ପ୍ରକ୍ରିୟାକୁ ଆଗେଇ ନେବାକୁ ଉଦ୍ୟମ କରିଛନ୍ତି। ଏହି ଜିଆଇ ମାନ୍ୟତା ହାସଲ ପାଇଁ ତାଲିକାଭୁକ୍ତ ବ୍ୟକ୍ତିମାନଙ୍କୁ ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ।

ଯେଉଁମାନଙ୍କୁ ସରକାର ଏହି ଜିଆଇ କନସଲଟାଂଟ୍ ଭାବେ ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ପାଇଁ କିଛିଟା ସର୍ତ୍ତାବଳୀ ନିର୍ଦ୍ଧାରଣ କରିଛନ୍ତି। ବିଶେଷକରି ସ୍ଥାନୀୟ ସାମଗ୍ରୀ ଉପରେ ସେମାନେ ପ୍ରାମାଣିକ ସ୍ରୋତରୁ ତଥ୍ୟ ସଂଗ୍ରହ କରିବା, ପ୍ରାସଙ୍ଗିକ ଲେଖା ପ୍ରସ୍ତୁତ, ସ୍ଥାନୀୟ ସାମଗ୍ରୀର ଇତିହାସର ଦସ୍ତାବିଜ ପ୍ରସ୍ତୁତ, ସେମିନାର ଓ କର୍ମଶାଳା ଆଦିର ଆୟୋଜନ, ପରାମର୍ଶଦାତା ସମିତି ସହ ସଂଶ୍ଲୀଷ୍ଟ ରହିବା, ନିର୍ଦ୍ଦେଶାଳୟ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ସମନ୍ୱୟ, ବିଭିନ୍ନ ଫୋରମରେ ଉକ୍ତ ସାମଗ୍ରୀ ସମ୍ପର୍କରେ ଯୁକ୍ତି ରଖିବା, ଜିଆଇ ଟ୍ୟାଗ୍ ପାଇଁ ଆବେଦନ ଦାଖଲ କରିବା ସହ ଜିଆଇ ପ୍ରମାଣପତ୍ରର ପାର୍ଟ-୧ ଓ ପାର୍ଟ-୨ ନିମନ୍ତେ ପଦକ୍ଷେପ ନେବା ଆଦି ସାମିଲ ରହିଛି । ଜିଆଇ ପଞ୍ଜିକରଣର ସର୍ତ୍ତାବଳୀ ଅନୁସାରେ ଉଚିତ୍ ସମୟରେ ପାର୍ଟ-୨ ପଞ୍ଜିକରଣ କରାଯିବ।

Advertisment

କେବଳ ଓଡ଼ିଶାର ଲୋକ ହିଁ ରାଜ୍ୟ ସରକାର ଏହି ତାଲିକାଭୁକ୍ତ କନସଲଟାଂଟ  ହେବାକୁ ଯୋଗ୍ୟ ବିବେଚିତ ହେବେ । ଯାହାଙ୍କର ଓଡ଼ିଆ ଓ ଇଂରାଜୀ ଭାଷା ଉପରେ ଦକ୍ଷତା ଥିବ ଓ ରାଜ୍ୟର ଇତିହାସ, ସଂସ୍କୃତି, ଭୂଗୋଳ ଓ ସ୍ଥାନୀୟ ସାମଗ୍ରୀ ଉପରେ ଜ୍ଞାନ ରହିଥିବା ଦରକାର । ଏହାସହିତ ବିଗତ ୫ବର୍ଷ ମଧ୍ୟରେ ସଫଳତାର ସହ ସର୍ବନିମ୍ନ ଗୋଟିଏ ଜିଆଇ ପଞ୍ଜିକରଣ କାର୍ଯ୍ୟ ସମ୍ପନ୍ନ କରିଥିବା ଜରୁରୀ । ଏହିସବୁ ସର୍ତ୍ତାବଳୀ ପୂରଣ କରୁଥିବା ବ୍ୟକ୍ତିମାନଙ୍କୁ ଆସନ୍ତା ଅଗଷ୍ଟ ୧୬ତାରିଖ ସୁଦ୍ଧା ଏମଏସଏମଇ ବିଭାଗକୁ ଆବେଦନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଏଥିପାଇଁ ବିଭାଗ ପକ୍ଷରୁ ବିଧିବଦ୍ଧ ‘ଏକ୍ସପ୍ରେସନ୍ ଅଫ ଇଣ୍ଟରେଷ୍ଟ’ ମଧ୍ୟ ଜାରି ହୋଇଛି ।

ସୂଚନାଯୋଗ୍ୟ, ଓଡ଼ିଶାର ଅନେକ ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦ ରହିଛି ଯାହା କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ । ଏସବୁ ସାମଗ୍ରୀ, ଉତ୍ପାଦ ଓ କାର୍ଯ୍ୟକୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ଦେବା ନିମନ୍ତେ ରାଜ୍ୟ ସରକାର ଏହି ଜିଆଇ କନସଲଟାଂଟଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି ।

Odisha Government