ଅଫିସରଙ୍କ ଛୁଟି ବାତିଲ, ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ, ଖୋଲା ରହିବ ସବୁ ଅଫିସ୍‌

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ଆଜି ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସରକାରୀ ଅଫିସରମାନଙ୍କର ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ଉପରେ କଟକଣା ଜାରି କରିଛନ୍ତି । 

ଲୋକସେବା ଭବନ

  • Published: Friday, 13 September 2024
  • , Updated: 13 September 2024, 09:34 PM IST

ଆସନ୍ତାକାଲିଠୁ ୩ଦିନ ସରକାରୀ ଛୁଟିଦିନ ଥିଲେ ମଧ୍ୟ ଅଫିସରମାନଙ୍କ ହେଡକ୍ୱାର୍ଟର ଛାଡ଼ିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଛୁଟିଦିନରେ କୌଣସି ସରକାରୀ ଅଫିସର ହେଡକ୍ୱାର୍ଟର ନଛାଡ଼ିବା ପାଇଁ ରାଜ୍ୟ ସରକାର ଆଜି ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ୩ଦିନ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଫିସ୍ ଖୋଲା ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୧୭ତାରିଖରେ ପ୍ରସ୍ତାବିତ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ଆଜି ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସରକାରୀ ଅଫିସରମାନଙ୍କର ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ଉପରେ କଟକଣା ଜାରି କରିଛନ୍ତି ।  ସରକାରୀ ଛୁଟିଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ସମସ୍ତ ଅଫିସରମାନଙ୍କୁ ଜାରି କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି ।

ସାଧାରଣ ପ୍ରଶାସନ ବିଭାଗର ଏହି ଚିଠି ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ୧୬ତାରିଖ(ସରକାରୀ ଛୁଟିଦିନରେ) ଅଫିସ୍ ଖୋଲା ରହିବ ବୋଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ଜନତା ମଇଦାନରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହାସହିତ ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାକୁ ମଧ୍ୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଭୟ ସଂଗଠନ ଓ ସରକାରୀସ୍ତରରେ ଶାସକ ବିଜେପି ଯୋଜନା କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନତା ମଇଦାନ ସଭାରେ ଲକ୍ଷାଧିକ ମହିଳାଙ୍କୁ ସାମିଲ କରିବା ସହ ପ୍ରତି ବ୍ଲକରେ ୫ହଜାର ମହିଳାଙ୍କୁ ଏକଜୁଟ କରାଯାଇ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ସେପ୍ଟେମ୍ବର ୧୪ତାରିଖ ମାସର ଦ୍ୱିତୀୟ ଶନିବାର, ୧୫ତାରିଖ ରବିବାର ଓ ୧୬ତାରିଖ ମହମ୍ମଦଙ୍କ ଜୟନ୍ତୀ ଯୋଗୁ ସରକାରୀ ଛୁଟି ଅଛି ।

Related story