୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ ‘ସବୁ ବ୍ଲକରେ ଷ୍ଟାଡ଼ିୟମ ନିର୍ମାଣ’ ପାଇଁ ପ୍ରତିଶ୍ରୁତି ଦେଲା । ୨୦୨୪ ମସିହା ପର୍ଯ୍ୟନ୍ତ ଦଳ ରାଜ୍ୟରେ କ୍ଷମତାରେ ରହିଲା ସତ କିନ୍ତୁ ସେହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ସବୁ ବ୍ଲକରେ ଷ୍ଟାଡ଼ିୟମ ନିର୍ମାଣ ପାଇଁ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି । ୫ବର୍ଷ ମଧ୍ୟରେ ଏବାବଦରେ ୪୧୨୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ପାଇଁ ଏକ ନୂଆ ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୁଗାନ୍ତକାରୀ ପଦକ୍ଷେପ ସମଗ୍ର ରାଜ୍ୟରେ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବା ସହିତ ଏକ ଦୃଢ଼ କ୍ରୀଡ଼ା ପରିବେଶକୁ ପ୍ରତିଷ୍ଟିତ କରିବା ପାଇଁ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏହି ଯୋଜନାରେ ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ୮ରୁ ୧୦ଏକର ଜମିରେ ନିର୍ମାଣ ହେବ । ଏଥିରେ ଫୁଟବଲ କିମ୍ବା କ୍ରିକେଟ ପଡ଼ିଆ, ଥ୍ରୋ ଓ ଜମ୍ଫ ଫିଲଡ୍ ସମେତ ଆଥଲେଟିକ୍ ଟ୍ରାକ, ଭଲିବଲ, ଖୋଖୋ, କବାଡ଼ି କୋର୍ଟ, ବ୍ୟାଡ଼ମିଂଟନ, ଟେବୁଲ ଟେନିସ୍ ଇତ୍ୟାଦି ଖେଳର ସୁବିଧା ସହିତ ଇନ୍ଦୋର ହଲ୍ ନିର୍ମାଣ କରାଯିବ ।
ଓଡ଼ିଶା ସରକାର ପ୍ରାୟ ସମସ୍ତ ପ୍ରତିଯୋଗିତାମୂଳକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହ ଏହି ସୁବିଧା ଗ୍ରାମୀଣ ଯୁବପ୍ରତିଭାମାନଙ୍କୁ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ । ସେମାନଙ୍କର ସାମଗ୍ରିକ ବିକାଶ ଓ ଦୀର୍ଘକାଳୀନ ମାନସିକ ତଥା ଶାରୀରିକ ସୁସ୍ଥତା ଅନୁକୂଳ ପ୍ରଭାବ ପକାଇବ । ଭାରତର ଏକ ଉଦୀୟମାନ କ୍ରୀଡ଼ା କେନ୍ଦ୍ର ଭାବେ ସ୍ୱୀକୃତିପ୍ରାପ୍ତ ହେବା ଓ ଦେଶରେ ଏକ କ୍ରୀଡ଼ା ସଂସ୍କୃତି ପ୍ରତିଷ୍ଠା କରିବାକୁ ଓଡ଼ିଶା ପ୍ରତିବଦ୍ଧ ବୋଲି ସରକାର କହିଛନ୍ତି । ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ’ ପ୍ରକଳ୍ପ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । ଏହି ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ପାଇଁ କ୍ୟାବିନେଟ୍ ପର୍ଯ୍ୟାୟକ୍ରମେ ୫ବର୍ଷ ପାଇଁ ୪୧୨୪କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ବିଜେଡି ୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ମିନି ଷ୍ଟାଡ଼ିୟମ ନିର୍ମାଣ କରିବାର ପ୍ରତିଶ୍ରୁତି ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିଲା । କ୍ରୀଡ଼ାକୁ ସର୍ବୋତ୍କୃଷ୍ଟସ୍ତରରେ ପହଂଚାଇବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି, କ୍ରୀଡ଼ା ଉପକରଣ , ଆନୁସଙ୍ଗିକ ସାମଗ୍ରୀ ଓ ଅଭିଜ୍ଞ ପ୍ରଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହି ପ୍ରତିଶ୍ରୁତି ଦେବା ପରେ ଏକ ଦଶନ୍ଧି ଧରି ରାଜ୍ୟ ଶାସନରେ ରହି ମଧ୍ୟ ଦଳ ତାକୁ ପୂରଣ କରିବା ତ ଦୂରର କଥା କେବଳ ଆତ୍ମପ୍ରଚାରରେ ଲିପ୍ତ ରହିଲା । ଓଲଟା ପ୍ରତି ପଂଚାୟତରେ ଖେଳପଡ଼ିଆ ବିକଶିତ କରାଯିବ କହି ୨୦୧୯ ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଦଳ ସୁନେଲୀ ସ୍ୱପ୍ନ ଦେଖାଇଲା । ମାତ୍ର ସେସବୁ କେବଳ ଘୋଷଣା ଓ ପ୍ରଚାର ମଧ୍ୟରେ ସୀମିତ ରହିଲା । ଏବେ ବିଜେଡି ସରକାରକୁ ରାଜ୍ୟବାସୀ କ୍ଷମତାରୁ ହଟାଇବା ପରେ ସବୁ ବ୍ଲକରେ ଗୋଟିଏ ଲେଖାଏଁ ଷ୍ଟାଡ଼ିୟମ ନିର୍ମାଣ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ୪୧୨୪କୋଟି ଟଙ୍କା ବ୍ୟୟରେ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ବ୍ଲକସ୍ତରୀୟ ଷ୍ଟାଡ଼ିମୟ ନିର୍ମାଣ କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି । ବିଜେପି ସରକାର ପ୍ରତି ଷ୍ଟାଡ଼ିୟମର ନିର୍ମାଣ ଓ ବିକାଶ ପାଇଁ ପ୍ରାୟ ୧୩କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।