ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ଅନୁସାରେ ଚାରିଦ୍ୱାର ଖୋଲିଲା। ହେଲେ ହଟିଲାନି ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା, ସୁଧୁରି ପାରୁନି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବ୍ୟବସ୍ଥା। ଦର ତାଲିକା ନିର୍ଦ୍ଧାରଣ ହେଉ ନଥିବାରୁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ସେବନ ଅମୁଲମୂଲ ହୋଇଚାଲିଛି। ଏସବୁ ଅବ୍ୟବସ୍ଥାରେ ସୁଧାର ପାଇଁ ପୁଣି ଉଠିଛି ଅନ୍ୟ ଦାୟିତ୍ୱ ନଥାଇ କେବଳ ଶ୍ରୀମନ୍ଦିର ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତି ଦାବି।
ଚାରି ଦ୍ୱାର ଖୋଲିଲା ଭଲ ହେଲା। କିନ୍ତୁ, ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ। ଏ କଷ୍ଟ ଯନ୍ତ୍ରଣା ଆଗରୁ ଯାହା ଥିଲା ଏବେ ବି ସେଇଆ। କାରଣ ଶ୍ରୀମନ୍ଦିର ବେଢ଼ା ଭିତରକୁ ଆସିବାକୁ ସିନା ଚାରିଦ୍ୱର ଖୋଲା। କିନ୍ତୁ ଦର୍ଶନ ଗୋଟିଏ ଦ୍ୱାର ସାତପାହାଚ ଦେଇ ହିଁ ସମ୍ଭବ। ଏବେ ବି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଥିବା ବାକି ତିନି ଦ୍ୱାର, ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ଘଣ୍ଟିଦ୍ୱାର ବନ୍ଦ। ତେଣୁ ବାହାର କାଠ ପାଖରେ ଦର୍ଶନ ଅବ୍ୟବସ୍ଥାରେ ଟିକିଏ ବି ସୁଧାର ଆସିପାରୁନି। ଅସମ୍ଭବ ଗହଳି ଓ ଠେଲା-ପେଲାରୁ କିଏ ଦର୍ଶନ କରି ପାରୁଛି ତ କିଏ ନାହିଁ। ତେଣୁ ଶ୍ରୀମନ୍ଦିର ଭିତର ଭିଡ଼ ପରିଚାଳନା ପାଇଁ ଅନ୍ତତଃ ନାଟମଣ୍ଡପର ପଣ୍ଡାଦ୍ୱାର ଖୋଲିବା ପାଇଁ ଦାବି ହେଉଛି।
ଏ ତ ଗଲା ଦର୍ଶନ ଯନ୍ତ୍ରଣା କଥା। ଏବେ ଯାଏଁ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବ୍ୟବସ୍ଥାକୁ ବି ବ୍ୟବସ୍ଥିତ କରାଯାଇ ପାରିନି। ଦୀର୍ଘବର୍ଷ ଧରି ମହାପ୍ରସାଦ ଦର ତାଲିକା ନିର୍ଦ୍ଧାରଣ ହୋଇ ଲାଗି ନପାରିବାରୁ ସାଧାରଣ ଭକ୍ତଙ୍କ ପାଇଁ ଧିରେ ଧିରେ ଅମୁଲ ମୂଲ ହୋଇ ଚାଲିଛି ମହାପ୍ରସାଦ। ଏମିତିକି ମହାପ୍ରସାଦ କିଣି ଖାଇବାକୁ ଅସମର୍ଥ ଭକ୍ତଙ୍କ ପାଇଁ ୨୦୧୮ରେ ମାଗଣା କାନିକା ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ତାହା ଏବେ ବନ୍ଦ। ଏସବୁ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ଅସନ୍ତୋଷ ଲାଗି ରହିଛି। ସେପଟେ ପରିଚାଳନା କମିଟି ସଦସ୍ୟଙ୍କ ମତ ଯେ ପର୍ଯ୍ୟନ୍ତ ଅନ୍ୟ ଦାୟିତ୍ୱ ନଥାଇ କେବଳ ଶ୍ରୀମନ୍ଦିର ପାଇଁ ଉତ୍ସଗୀକୃତ ଭାବେ ଜଣେ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ନମିଳିଛି, ସେ ପର୍ଯ୍ୟନ୍ତ ଏସବୁ ଅବ୍ୟବସ୍ଥା ସୁଧାରିବା ଦିଗରେ ନିଷ୍ପତ୍ତି ସମ୍ଭବ ନୁହେଁ।
ଏସବୁ ବାଦ୍ ଶ୍ରୀମନ୍ଦିର ଚାରିଦ୍ୱାର ସମ୍ମୁଖରେ ମଧ୍ୟ ସ୍ୱତନ୍ତ୍ର ବ୍ୟାରିକେଡ୍ ସାଙ୍ଗକୁ ପାନୀୟ ଜଳ ଓ ବସିବା ବ୍ୟବସ୍ଥା ସହ ମନ୍ଦିର ଭିତରେ ଦର୍ଶନ ସୁବିଧା ପାଇଁ ରାମ୍ପର ବ୍ୟବସ୍ଥା କରାଯିବାକୁ ବି ଦାବି ହେଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।