/odisha-reporter/media/post_attachments/uploadimage/library/16_9/16_9_0/High_Court_1709558147.jpg)
High Court
ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସର ଭୂମିକା ସନ୍ଦେହଘେରକୁ ଆସିଛି । ଏହି ଘଟଣାରେ ତୁରନ୍ତ ଦୋଷୀ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିମନ୍ତେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି ।
ସେପଟେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଚିଠି ଲେଖି ଏହି ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିବା ପାଇଁ ସେନାର ବରିଷ୍ଠ ଅଧିକାରୀ ସେଂଟ୍ରାଲ ଇଣ୍ଡିଆର କମାଣ୍ଡିଂ ଜେନେରାଲ ଅଫିସର ଲେଫ୍ଟନାଂଟ ଜେନେରାଲ ପିଏସ୍ ଶେଖାୱତ ଅନୁରୋଧ କରିଛନ୍ତି । ଏତେସବୁ ପରେ ମଧ୍ୟ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭରତପୁର ଥାନା ଘଟଣା ପାଇଁ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦାୟୀ କରିବାକୁ ପଛାଇନାହାନ୍ତି । ଆଉ ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା ମଧ୍ୟ ଏହି ଘଟଣାକୁ ନେଇ ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି ।
ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ତାରିଖ ରାତିରେ ରୋଡ୍ ରୋମିଓମାନେ ଦୁର୍ବ୍ୟବହାର କରିବା ଘଟଣାରେ ପୁଲିସର ସହାୟତା ଲୋଡ଼ିବାକୁ ଭରତପୁର ଥାନାକୁ ଯାଇ ଆକ୍ରୋଶର ଶିକାର ହୋଇଥିବା ସେନା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସମର୍ଥନରେ ଏବେ ସବୁଆଡ଼ୁ ଚାପ ବଢ଼ିବାରେ ଲାଗିଛି । ସେନାର କମାଣ୍ଡିଂ ଜେନେରାଲ ଅଫିସର ଲେଫ୍ଟନାଂଟ ଜେନେରାଲ ଶେଖାୱତ ଏହି ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଶରଣ ସିଂଙ୍କୁ ଚିଠି ଲେଖି ନିଜଆଡ଼ୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଥାନାରେ ସିସିଟିଭି କ୍ୟାମେରା ଲାଗି ନଥିବା ଓ ଜଣେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ଅମାନବୀୟ ଅତ୍ୟାଚାର ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅନୁରୋଧ କରିଛନ୍ତି । ଏପଟେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏହି ଘଟଣାକୁ ନିନ୍ଦନୀୟ ଓ ଲୋମହର୍ଷକ କହିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଓ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ଏହି ଘଟଣାରେ ବିଚାରବିଭାଗୀୟ ତଦନ୍ତ ଦାବି କରିଥିବାବେଳେ ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଦାଏର ହୋଇଥିଲେ ମଧ୍ୟ କାହିଁକି ସେମାନଙ୍କୁ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହାସହିତ ଘଟଣାରେ ସେନା ଅଫିସରଙ୍କ ବାନ୍ଧବୀଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭ୍ରାନ୍ତିକର ରିପୋର୍ଟ ଦେଇଥିବା ଡାକ୍ତରଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଇତିମଧ୍ୟରେ ଭୁବନେଶ୍ୱର ପୁଲିସ ଡିସିପି ପ୍ରତୀକ ସିଂ ‘ ନ୍ୟୁଜ ଏଜେନ୍ସୀ ଏଏନଆଇ’କୁ ଦେଇଥିବା ପ୍ରତିକ୍ରିୟାରେ ଭରତପୁର ପୁଲିସ ଅଫିସର ଓ କର୍ମଚାରୀମାନଙ୍କୁ କ୍ଲିନଚିଟ୍ ଦେବାକୁ ପ୍ରୟାସ କରିଛନ୍ତି । ଉଭୟ ସେନା ଅଫିସର ଓ ତାଙ୍କ ବାନ୍ଧବୀ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ଥାନା ଭିତରେ ହୋ-ହାଲ୍ଲା କରୁଥିଲେ ବୋଲି କହିଛନ୍ତି । ସେ ମହିଳା ଏସଆଇଙ୍କୁ ଥାପଡ଼ ମାରିଛନ୍ତି । ଏହି କାରଣରୁ ତାଙ୍କ ବିରୁଦ୍ଧରେ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଏବେ ସେମାନଙ୍କ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।
ଭୁବନେଶ୍ୱର ଡିସିପିଙ୍କ ଏଭଳି ବୟାନରୁ ସ୍ପଷ୍ଟ ହେଉଛି ଯେ, ସବୁକିଛି ତାଙ୍କ ଜାଣତ ଓ ନିର୍ଦ୍ଦେଶରେ ହୋଇଛି । ଯଦି ଡିସିପି ଶ୍ରୀ ସିଂଙ୍କ ଭାଷାରେ ଭରତପୁର ଥାନାର ପୁଲିସ କର୍ମଚାରୀମାନେ ନିର୍ଦ୍ଦୋଷ ଓ ଯାହା କରିଛନ୍ତି ଆଇନତଃ ଠିକ୍ ତା’ହେଲେ ସେହି ଥାନାର ଆଇଆଇସି ସମେତ ୫ଜଣ କର୍ମଚାରୀଙ୍କୁ ସସପେଣ୍ଡ ସହ ବଦଳି କରାଗଲା କାହିଁକି? ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ପାଇଁ ପୁଲିସ ଡିଜି ୱାଇବି ଖୁରାନିଆ ନିର୍ଦ୍ଦେଶ ଦେଲେ କାହିଁକି?
ଅନ୍ୟପକ୍ଷରେ, ଆଜି ଏହି ଘଟଣାରେ ରାଜ୍ୟ ସରକାର ପ୍ରତିକ୍ରିୟା ରଖିଛନ୍ତି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ସରକାର ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବ ବୋଲି କହିଛନ୍ତି । କ୍ରାଇମବ୍ରାଂଚର ତଦନ୍ତ ରିପୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଆସିବ ଓ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହିଳା ହିଂସା ବିରୁଦ୍ଧରେ ତାଙ୍କ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ଏମସ୍ ହସ୍ପିଟାଲ ଯାଇ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ଭେଟି ଆଲୋଚନା କରିଛନ୍ତି । ସରକାର ଓ ଡିଜିପି ୫ଜଣଙ୍କୁ ସସପେଣ୍ଡ କରିଛନ୍ତି । ଦୋଷୀ ଯିଏବି ହୁଅନ୍ତୁ, ଯେଡ଼େ ବଡ଼ ଅଫିସର ହୁଅନ୍ତୁ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ତେବେ ଏହି ସମ୍ବେଦନଶୀଳ ଘଟଣାରେ ସେନାଠୁ ଆରମ୍ଭ କରି ବିରୋଧୀ ଦଳ ଓ ସରକାର ସମସ୍ତେ ସମ୍ପୃକ୍ତ ପୁଲିସ କର୍ମଚାରୀମାନଙ୍କୁ ଦାୟୀ କରୁଥିବାବେଳେ ପୁଲିସ ଡିସିପି ପ୍ରତୀକ ସିଂ ‘ନିଶାସକ୍ତ’ କହି କାହାକୁ ଖସାଇବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି । ନିରପେକ୍ଷ ତଦନ୍ତ ପାଇଁ ଭରତପୁର ଥାନାର ଅଫିସରମାନଙ୍କ ଭଳି ଡିସିପିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
