Advertisment

ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ

ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି ।

author-image
Ordigital Desk
Loka Seva Bhavan

Loka Seva Bhavan

ରାଜ୍ୟ ସରକାର ମଙ୍ଗଳବାର ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଏହି ୫ଜଣ ସଦସ୍ୟ ବିଶିଷ୍ଟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି । ଆୟୋଗଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଅର୍ଥାତ୍ ଆଜିଠୁ ୬ମାସ ପାଇଁ ବୈଧ ରହିବ। ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବେ । ଆଉ ରାଜ୍ୟ ପଂଚମ ଅର୍ଥ ଆୟୋଗଙ୍କ ସୁପାରିଶକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତା’ର ମଧ୍ୟ ସମୀକ୍ଷା କରିବେ ।

Advertisment

ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡା ଥିବାବେଳେ ସଦସ୍ୟ ଭାବେ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(ଟିଆଇଏସଏସ)ର ଡଃ ବିଭୂପ୍ରସାଦ ନାୟକ ଏବଂ ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡଃ ସତ୍ୟପ୍ରିୟ ରଥଙ୍କୁ ସାମିଲ କରାଯାଇଛି । ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ୬ମାସ ପର୍ଯ୍ୟନ୍ତ ରହିବ । ସଦସ୍ୟ ସଚିବଙ୍କ ବ୍ୟତୀତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆୟୋଗରେ ପୂର୍ଣ୍ଣକାଳୀନ ଅବା ପାର୍ଟଟାଇମ୍ ସେବା ପ୍ରଦାନ କରିପାରିବେ । ସଦସ୍ୟ ସଚିବ ଶ୍ରୀ ରଥ ନିଜର କାର୍ଯ୍ୟ ସହ ଆୟୋଗ ନିମନ୍ତେ ପୂର୍ଣ୍ଣକାଳୀନ ସେବା ଦେବେ ।

ଆୟୋଗ ଯେଉଁ ସବୁ ସୁପାରିଶ ତାଙ୍କ ରିପୋର୍ଟରେ କରିବେ, ତାହା କେଉଁ ମାନକ ଆଧାରରେ ପ୍ରସ୍ତୁତ କରିଛନ୍ତି ସେ ନେଇ ସରକାରଙ୍କୁ ଅବଗତ କରାଇବେ । ଆୟୋଗ ମୁଖ୍ୟତଃ ରାଜ୍ୟ ଓ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥା ମଧ୍ୟରେ ଟିକସ ଆବଂଟନ, ଦାୟିତ୍ୱ, ରାଜ୍ୟ ଦ୍ୱାରା ସଂଗୃହୀତ ଟୋଲ୍ ଓ ଫି ଆଦି ସମ୍ପର୍କରେ ନିଜର ରିପୋର୍ଟ ଦେବେ ।

Advertisment

ସେହିପରି ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥା ଦ୍ୱାରା କେଉଁ ସବୁ କ୍ଷେତ୍ରରେ ଟିକସ, ଦାୟିତ୍ୱ, ଟୋଲ ଓ ଫି ନିର୍ଦ୍ଧାରଣ କରାଯିବ ତାହା ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇବେ ।

ତୃତୀୟ ରାଜ୍ୟର କନସୋଲିଡେଟେଡ୍ ପାଣ୍ଠିରୁ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାକୁ କେତେ ଅନୁଦାନ ଦିଆଯିବ ତାହା ଆୟୋଗ ସୁପାରିଶ କରିବେ ।

କେବଳ ସେତିକି ନୁହେଁ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯିବ ତାହା ମଧ୍ୟ ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇବେ ।

ଏସବୁ ବ୍ୟତୀତ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକର ସ୍ୱଚ୍ଛଳ ଆର୍ଥିକ ସ୍ଥିତି ସ୍ୱାର୍ଥରେ ରାଜ୍ୟପାଳ ଯେଉଁସବୁ ବିଷୟ ଆୟୋଗଙ୍କୁ ପଠାଇବେ ତାହା ଉପରେ ମଧ୍ୟ ଆୟୋଗ କାର୍ଯ୍ୟ କରିବେ ।

ଆୟୋଗ ନିଜର ରିପୋର୍ଟ ସୁପାରିଶ କରିବାବେଳେ ରାଜ୍ୟର ଆର୍ଥିକ ସ୍ଥିତି, ସହ ସାଧାରଣ ପ୍ରଶାସନ, ପୁଲିସ ଓ ନ୍ୟାୟିକ ପ୍ରଶାସନ,ଶିକ୍ଷା, ସାମାଜିକ କଲ୍ୟାଣ, ପୁଞ୍ଜିଗତ ସମ୍ପତ୍ତିର ତଦାରଖ, ଋଣ ପରିଶୋଧ  ଅନ୍ୟ ପ୍ରତିଶ୍ରୁତିବଦ୍ଧକ ବ୍ୟୟ ଓ ଖର୍ଚ୍ଚକୁ ହିସାବକୁ ନେବେ ।

ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାର ପରିଚାଳନା ଓ ସେମାନଙ୍କ ଉପରେ ଥିବା ଋଣ, ସେମାନଙ୍କର ରାଜସ୍ୱ ସଂଗ୍ରହ ସମ୍ବଳ ଉପରେ ରିପୋର୍ଟ ଦେବେ ।

ଆୟୋଗଙ୍କ ରିପୋର୍ଟରେ ନିର୍ଦ୍ଦିଷ୍ଟ ଭାବେ ୪ଟି ଅଧ୍ୟାୟ ରହିବ । ଯେଉଁଥିରେ ଆୟୋଗ ଆପଣାଇଥିବା ଆଭିମୁଖ୍ୟ, ରାଜ୍ୟ ସରକାରଙ୍କ ସମ୍ବଳର ବିଶ୍ଲେଷଣ, ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାର ସମ୍ବଳର ବିଶ୍ଲେଷଣ ଓ ସେଥିରେ ସୁଧାର ପାଇଁ ନିର୍ଦ୍ଦିଷ୍ଟ ସୁପାରିଶ ଏବଂ ଶେଷରେ ରାଜ୍ୟ ସରକାର,ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାର ଆର୍ଥିକ ସ୍ଥିତିର ଆକଳନ ଓ ବିଶ୍ଲେଷଣ ସହ ଅନୁଦାନ ହସ୍ତାନ୍ତର ପୂର୍ବ ଓ ପରର ସ୍ଥିତି, ସୁପାରିଶ ହୋଇଥିବା ପଦକ୍ଷେପକୁ ଆପଣାଇ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥା କିଭଳି ଅଧିକ ରାଜସ୍ୱ ସଂଗ୍ରହ କରିପାରିବେ ସେ ଦିଗରେ ଆୟୋଗ ତାଙ୍କର ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ଷୋଡ଼ଶ ଅର୍ଥ କମିଶନ ଆସନ୍ତା ଫେବୃୟାରୀ ୫ରୁ ୭ତାରିଖରେ ଓଡ଼ିଶା ଆସିବେ । ୨୦୨୬-୨୦୩୧ ଆର୍ଥିକ ବର୍ଷ ଅର୍ଥାତ୍ ୫ବର୍ଷର ଯୋଜନା ନେଇ ତାଙ୍କ ପାଖରେ ୧୨ଲକ୍ଷ ୫୬ହଜାର ୧୪୮କୋଟି ଟଙ୍କାର ଦାବି ରଖିବା ପାଇଁ ପ୍ରସ୍ତୁତ ବିଭିନ୍ନ ପ୍ରସ୍ତାବ ସମ୍ବଳିତ ମେମୋରାଣ୍ଡମକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।