Advertisment

ଅରୁଣ ଷଡ଼ଙ୍ଗୀ OPSC ଅଧ୍ୟକ୍ଷ ନିଯୁକ୍ତ

ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
IPS Arun Kumar Sarangi

IPS Arun Kumar Sarangi

୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (OPSC)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଓପିଏସ୍‌ସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୬ ବର୍ଷ ଅବା ତାଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ, ଯେଉଁଟି ଆଗ ପଡ଼ିବ, ସେ ପର୍ଯ୍ୟନ୍ତ ଅରୁଣ ଷଡ଼ଙ୍ଗୀ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଅରୁଣ ଷଡ଼ଙ୍ଗୀ ଏବେ ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ (ପ୍ରଶିକ୍ଷଣ) ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସାଢ଼େ ୭ ମାସ ଧରି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରେ ଥିଲେ।

Advertisment

ପୂର୍ବର ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଗତ ଜୁନ୍ ମାସରେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ଅସ୍ଥାୟୀ ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଶ୍ରୀ ଷଡ଼ଙ୍ଗୀ। ସେ ସ୍ଥାୟୀ ଡିଜିପି ହୋଇପାରନ୍ତି ବୋଲି ଜୋର ଆଲୋଚନା ହୋଇଥିଲା। ତେବେ ଶେଷରେ ବିଜେପି ସରକାର ଅରୁଣ ଷଡ଼ଙ୍ଗୀଙ୍କ ବ୍ୟାଚ୍‌ର ଆଇପିଏସ୍ ଅଫିସର ୱାଇ. ବି ଖୁରାନିଆଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ଡିଜିପି ୱାଇ.ବି ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖରେ ଶ୍ରୀ ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। 

ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବାପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।

ଉଲ୍ଲେଖଯୋଗ୍ୟ, ଓପିଏସସି ଅଧ୍ୟକ୍ଷ ଏକ ବୈଧାନିକ ପଦବୀ ହୋଇଥିବାରୁ ଶ୍ରୀ ଷଡ଼ଙ୍ଗୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଶ୍ରୀ ଷଡ଼ଙ୍ଗୀ ୨୦୨୫ ଜୁଲାଇ ମାସରେ ସରକାରୀ ଚାକିରିରୁ ଅବସର ନେବାର ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ ପଦବୀରେ ଥଇଥାନ କରିଥିବାରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ନୂଆ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।

Opsc Arun Sarangi