Advertisment

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଆସନ୍ତାକାଲି ବନ୍ଦ ରହିବ

ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍।

Puri Temple

Puri Temple

Advertisment

ପ୍ରତୀକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ASI ଟିମ୍ ଆଜି ଶ୍ରମିକଙ୍କୁ ଧରି ଭାରା ବନ୍ଧା କାମରୁ ସଂରକ୍ଷଣ କାମ ଆରମ୍ଭ କରିଛି।

Advertisment

ପୂର୍ବରୁ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁସାରେ ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍। ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ସହ ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଭଣ୍ଡାର ମେକାପ, ତଢଉ କରଣ, ଦେଉଳକରଣ ଆଦିଙ୍କ ଉପସ୍ଥିତରେ ଖୋଲାଯାଇଥିଲା ମହାପ୍ରଭୁଙ୍କ ଅଳଙ୍କାର ଗୃହ। ଯେହେତୁ ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଛି, ତାକୁ ଦୃଷ୍ଟିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ଏଏସଆଇ।

ASI ଅଧୀକ୍ଷକ ଡି.ବି ଗଡ଼ନାୟକ କହିଛନ୍ତି, ଭାରା ବନ୍ଧାଯିବା ପରେ ପ୍ଲାଷ୍ଟର ସଫା କରାଯିବ। ତା’ପରେ ଯେଉଁଠି ନୂଆ ପଥର ଲାଗିବ, ସେ କାର୍ଯ୍ୟ ଆରମ୍ଭ ହେବ। କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟ ଥିବା ପୂର୍ବରୁ ଜଣା ପଡ଼ିସାରିଛି। ତା’ର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ।

Advertisment

କାନ୍ଥରେ ଫାଟ ଓ ଚଟାଣର ଦୀର୍ଘସ୍ଥାୟୀ ମରାମତିକୁ ଏଏସଆଇ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମରାମତି ବେଳେ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମୟରେ ବାହାର କାଠ ପାଖରୁ ଦର୍ଶନ ଚାଲିବ ବୋଲି ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି। ତେବେ ଆସନ୍ତାକାଲି ଦିବାପହୁଡ଼ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ।

ସେପ୍ଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିବ ରତ୍ନଭଣ୍ଡାର ମରାମତି। ତେବେ ପୂର୍ବରୁ ଜୁଲାଇ ୧୪ ଓ ୧୮ରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଅଳଙ୍କାର ସ୍ଥାନାନ୍ତରଣ ସହ ଅଗଷ୍ଟ ୨୩ରେ ସିନ୍ଦୁକ ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ଭିତରକୁ ଯାଇ ସ୍ଥିତି ଦେଖିଥିବା ତଦାରଖ କମିଟିର ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି- ଭଣ୍ଡାର ଘରର ସ୍ଥିତି ଭଲନହିଁ। କାନ୍ଥରେ ଫାଟ ସାଙ୍ଗକୁ ସନ୍ତସନ୍ତିଆ ଅଛି। ପଥର ଖସି ଚଟଣାରେ ପଡ଼ିଥିବା ଦେଖିଥିଲୁ। ତେଣୁ ଦୀର୍ଘସ୍ଥାୟୀ ମରାମତି କରାଯାଉ।

ସେହିଭଳି ଭଣ୍ଡାର ମେକାପ ମଧ୍ୟ ମାନିଛନ୍ତି ଯେ ରତ୍ନଭଣ୍ଡାର ଗୁମୁଟର ପଥର ଦୁର୍ବଳ ଅଛି। ଶୀଘ୍ର ମରାମତି ସାରି ଅଳଙ୍କାର ସବୁକୁ ଯଥାସ୍ଥାନକୁ ନିଆଯାଉ। ଆଇନ ମନ୍ତ୍ରୀ କହିଛନ୍ତି ୩ ମାସ ଭିତରେ ରତ୍ନଭଣ୍ଡାର ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।

ରତ୍ନଭଣ୍ଡାର ମରାମତି ବେଳେ ଠାକୁରଙ୍କ ଦର୍ଶନରେ ଉପୁଜିବ କି ବାଧା ? ସାଧାରଣ ଭକ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଠିଥିବାବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ କି ଶୃଙ୍ଖଳିତ ଦର୍ଶନରେ ସମସ୍ୟା ନହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ମରାମତି ଚାଲୁଥିବାବେଳେ କେବଳ ବାହାର କାଠ ନିକଟରୁ ଦର୍ଶନ ଚାଲିବ। 

Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe