ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟାରୀ ଅଥରିଟି(ଓରେରା) ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଆରଏସ୍ ଅଫିସର ଅସିତ୍ କୁମାର ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ସମେତ ଅନ୍ୟ ଦୁଇଜଣ ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାଶଙ୍କୁ ଓରେରା ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି । ଗତ କିଛିଦିନ ଧରି ଓରେରାରେ ଅଧ୍ୟକ୍ଷ ଓ ସଦସ୍ୟ ପଦଗୁଡ଼ିକ ଖାଲି ପଡ଼ିଥିଲା । ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କୁ ଗତ ଦୁଇଦିନ ତଳେ ଓରେରାର ଅସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ ହୋଇଥିଲା ।
ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ଅଫିସର ଅସିତ୍ କୁମାର ମହାପାତ୍ରଙ୍କୁ ଓରେରା ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ମହାପାତ୍ର ରାଉରକେଲା ଏନଆଇଟିରୁ ୧୯୮୬ ମସିହାରେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରିବା ପରେ ୧୯୯୧ ଅଗଷ୍ଟ ମାସରେ ଆୟକର ବିଭାଗର ଅତିରିକ୍ତ କମିଶନର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ବିଶାଖାପାଟଣା ସମେତ ବିଭିନ୍ନ ସ୍ଥଶନରେ ମୁଖ୍ୟ ଆୟକର କମିଶନର ଭାବେ କାର୍ଯ୍ୟ କରିଛନ୍ତି । ଭୁବନେଶ୍ୱରରେ ଆୟକର କମିଶନର(ଟିଡିଏସ) ଭାବେ ମଧ୍ୟ କିଛିଦିନ କାର୍ଯ୍ୟ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଆଇଏଫଏସ୍ ସିଦ୍ଧାନ୍ତ ଦାସ ଓରେରା ଅଧ୍ୟକ୍ଷ ପଦରୁ ଫେବୃୟାରୀ ୨୮ତାରିଖରେ ଇସ୍ତଫା ଦେବାପରେ ସଦସ୍ୟ ଗୋପାଳଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ । ମାତ୍ର ସେ ଚଳିତମାସ ୯ତାରିଖରେ ଅବସର ଗ୍ରହଣ କରିବା ପରେ ଏହି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ମେ’ ୧୧ତାରିଖରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଓରେରା ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେହିପରି ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ୱାଳ ମଧ୍ୟ ମେ’ ୨ତାରିଖରେ ଅବସର ନେଇଥିଲେ । ଓରୋରାର ଉଭୟ ଜୁଡିସିଆଲ ଓ ପ୍ରଶାସନିକ ସଦସ୍ୟ ପଦବୀ ଖାଲି ପଡ଼ିଥିଲା । ଏବେ ଏହି ଦୁଇ ସଦସ୍ୟ ପଦବୀରେ ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାଶଙ୍କୁ ନିଯୁକ୍ତି ମିଳିଛି ।
ଓରେରା ଅଧ୍ୟକ୍ଷ ଓ ସଦସ୍ୟ ନଥିବାରୁ ରିୟଲ ଇଷ୍ଟେଟ୍ ସହ ଜଡ଼ିତ ମାମଲା ଓ ଘର-ଫ୍ଲାଟ କିଣା ଆଦି ସଂକ୍ରାନ୍ତ ଅଭିଯୋଗ, ରିୟଲ ଇଷ୍ଟେଟ ପ୍ରକଳ୍ପ ପଞ୍ଜିକରଣ ଓ ଅନ୍ୟାନ୍ୟ ଅଡିଟ୍ କାର୍ଯ୍ୟ ଠପ୍ ହୋଇ ଯାଇଥିଲା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।