ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ୍ ତ୍ରିପାଠୀ

ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ଅପରାହ୍ନରୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

ଅସିତ ତ୍ରିପାଠୀ

  • Published: Saturday, 17 August 2024
  • , Updated: 17 August 2024, 08:16 PM IST

ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଜ୍ୟ ସରକାର ଆଜି ଅପରାହ୍ନରୁ ଗ୍ରହଣ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ତ୍ରିପାଠୀଙ୍କୁ ବିଜେଡି ସରକାର ୨୦୨୦ ଡିସେମ୍ବର ମାସରେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ ।

ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ଅପରାହ୍ନରୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

ତେବେ ଶ୍ରୀ ତ୍ରିପାଠୀ ରାଜ୍ୟ ସରକାରଙ୍କୁ କେବେ ନିଜର ଇସ୍ତଫା ପତ୍ର ପଠାଇଥିଲେ ତାହା ଜଣାପଡ଼ିନି ।

ଉଲ୍ଲେଖଯୋଗ୍ୟ, ଗତ ଜୁନ ୧୨ତାରିଖରୁ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିଲେ ମଧ୍ୟ ଶ୍ରୀ ତ୍ରିପାଠୀ ତାଙ୍କ ପଦରୁ ଇସ୍ତଫା ଦେଇନଥିଲେ । ଏବେ ପ୍ରାୟ ୪ମାସ ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇଚ୍ଛାରେ ଇସ୍ତଫା ଦେଇଛନ୍ତି ନା ସରକାରଙ୍କ ଚାପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି ତାହା ଜଣାପଡ଼ିନି । ଅବଶ୍ୟ ବିଜେଡି ସରକାରଙ୍କ ଦ୍ୱାରା ରାଜନୀତିକ ପଦପଦବୀରେ ନିଯୁକ୍ତ ବ୍ୟକ୍ତିମାନେ ଜୁନ୍ ଓ ଜୁଲାଇ ମାସରେ ନିଜର ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ଶ୍ରୀ ତ୍ରିପାଠୀ ଏହି ପଦବୀକୁ ବଜାୟ ରଖିଥିଲେ ।

ଶ୍ରୀ ତ୍ରିପାଠୀଙ୍କର ରାଜ୍ୟ ମୁଖ୍ୟ ସଚିବ ଭାବେ ୨୦୨୦ ଡିସେମ୍ବର ୩୧ତାରିଖରେ ଅବସର ନେବା ପୂର୍ବରୁ ତାଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ସରକାର ଥଇଥାନ ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଥିଲେ । ସେ ବିଜେଡି ସରକାରଙ୍କ ଫେଭରାଇଟ୍ ଆଇଏଏସ୍ ଭାବେ ପରିଚିତ ଥିଲେ ।

Related story