Flood
ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି । ମତ୍ସ୍ୟଜୀବୀ, ହସ୍ତଶିଳ୍ପୀଙ୍କ ସମେତ ଫସଲ ନଷ୍ଟ ଓ ମୃତ ଗୃହପାଳିତ ପଶୁଙ୍କ ପାଇଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଲଗାଣବର୍ଷା ଯୋଗୁ ଚଳିତମାସରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହର ମରାମତି ପାଇଁ ୧ଲକ୍ଷ ୨୦ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କାଘର ମରାମତି ପାଇଁ ୬୫୦୦ଟଙ୍କା, କଚ୍ଚାଘର ଆଂଶିକ ନଷ୍ଟ ପାଇଁ ୪ହଜାର ଟଙ୍କା, ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮ହଜାର ଟଙ୍କା ଓ ଗୁହାଳ ଘର ନଷ୍ଟ ପାଇଁ ୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଘର ୨ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ଟଙ୍କା, ବାସନକୁସନ ପାଇଁ ୨୫୦୦ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଫସଲ କ୍ଷତି ପାଇଁ ଅଣସେଚିତ ଜମିରେ ହେକ୍ଟର ପିଛା ୮୫୦୦ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ହଜାର ଟଙ୍କା ଓ ସମସ୍ତ ପ୍ରକାରର ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ହେକ୍ଟର ଜମି ପାଇଁ ଦିଆଯିବ ।
ସେହିପରି ଚାଷୀଙ୍କୁ ବାଲିଚର ସହାୟତା(ଯଦି ଚାଷଜମିରେ ୩ ଇଂଚରୁ ଅଧିକ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮ହଜାର ଟଙ୍କା, ସର୍ବନିମ୍ନ ୨୨୦୦ଟଙ୍କା, ମାଛ ପୋଖରୀର ମରାତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା ଓ ସର୍ବନିମ୍ନ ୨୨୦୦ଟଙ୍କା ସମେତ ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁ ନଦୀର ଗତିପଥ ପରିବର୍ତ୍ତନ ପାଇଁ କ୍ଷୟ ହୋଇଥାଏ ତା’ହେଲେ ହେକ୍ଟର ପିଛା ୪୭ହଜାର ଟଙ୍କା ଓ ସର୍ବନିମ୍ନ ୫ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ମିଳିବ ।
ମତ୍ସ୍ୟଜୀବୀଙ୍କୁ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩ହଜାର ଟଙ୍କା, ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫ହଜାର ଟଙ୍କା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪ହଜାର ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି ।
ମୃତ ଗୃହପାଳିତ ପଶୁଜନ୍ତୁ ଯଥା ମଇଁଷି, ଗାଈ ପିଛା ୩୭୫୦୦ଟଙ୍କା, ଛେଳି ଓ ମେଣ୍ଢା ପିଛା ୪ହଜାର ଟଙ୍କା, ବଳଦ ଓ ଘୋଡ଼ା ପିଛା ୩୨ହଜାର ଟଙ୍କା, ବାଛୁରୀ,ଗଧ ଓ ଖଚର ପିଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା ଚାଷୀଙ୍କୁ ଦିଆଯିବ । ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଦୁଗ୍ଧ ପ୍ରଦାନକାରୀ ଛୋଟ ପଶୁ କିମ୍ବା ୩ଟି ବୃହତ୍ ଭାରବାହୀ ପଶୁ ବା ୬ଟି ଭାରବାହୀ ଛୋଟ ପଶୁଙ୍କ ପର୍ଯ୍ୟନ୍ତ ସୀମିତ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସେହିପରି ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ଓ ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରିଗର ପିଛା ୫ହଜାର ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ କାରିଗର ପିଛା ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ୧୮ତାରିଖରେ ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Flood_1727195329.jpg)