Advertisment

ଭକ୍ତଙ୍କ ବିଶ୍ୱାସ ଓ ଅସ୍ଥା ଉପରେ ଭୟଙ୍ଗର କୁଠାରାଘାତ, ମତ ନନେଇ ୩ ଦ୍ୱାର ଦେଇ ପ୍ରବେଶ ବନ୍ଦ

ଭକ୍ତଙ୍କ ମତ ନ ନେଇ ପ୍ରଥମେ ଶ୍ରୀମନ୍ଦିର ସିଂହାସନ ପାଖକୁ ଯାଇ ଠାକୁରଙ୍କୁ ପ୍ରାର୍ଥନା କରିବାର ଶାସ୍ତ୍ରୀୟ ବିଧାନକୁ ଦଳି ଦିଆଗଲା। ପରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ପ୍ରସ୍ଥାନର ବାଟକୁ ବନ୍ଦ କରିଦିଆଯାଇଛି।

author-image
Niranjan Mishra
undefined

jagannath temple

ଭକ୍ତଙ୍କ ବିଶ୍ୱାସ ଓ ଅସ୍ଥା ଉପରେ ଭୟଙ୍ଗର ଆଘାତ ଦେଉଛନ୍ତି ସରକାର। ଶ୍ରୀମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ମଧ୍ୟ ଭକ୍ତ ବିଶ୍ୱାସ ଓ ଆସ୍ଥା ସହ ଖେଳ ଖେଳିବାକୁ କୌଣସି ମଉକା ଛାଡ଼ୁନି। ଭକ୍ତଙ୍କ ମତ ନ ନେଇ ପ୍ରଥମେ ଶ୍ରୀମନ୍ଦିର ସିଂହାସନ ପାଖକୁ ଯାଇ ଠାକୁରଙ୍କୁ ପ୍ରାର୍ଥନା କରିବାର ଶାସ୍ତ୍ରୀୟ ବିଧାନକୁ ଦଳି ଦିଆଗଲା। ପରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ପ୍ରସ୍ଥାନର ବାଟକୁ ବନ୍ଦ କରିଦିଆଯାଇଛି। ବିଭିନ୍ନ ଆଳ ଦେଖାଇ ଓ ପ୍ରଶାସନିକ କ୍ଷମତାର ଦୁରୁପଯୋଗ କରି ଭକ୍ତଙ୍କ ଉପରେ ଏଭଳି ଦାଉସାଧୁଛନ୍ତି ସରକାର ଓ ପ୍ରଶାସନିକ କର୍ତ୍ତୃପକ୍ଷ।

Advertisment

ଫଳରେ ଡହଡହ ଖରା ହେଉ କି ଢୁ ଢୁ ବର୍ଷା। ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା, ବୟସ୍କ ଭକ୍ତ, ମହିଳା ଓ ଶିଶୁ। କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ତେଜୁଛି ଆନ୍ଦୋଳନ। ଏମିତିକି ଏଥିପାଇଁ ୧ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବାବେଳେ ଶୀଘ୍ର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ ଜୋରଦାର କରିବାକୁ ସେବାୟତ ଓ ପୁରୀ ବାସିନ୍ଦା ଚେତାବନୀ ଦେଲେଣି। ଏଣେ ଏପ୍ରସଙ୍ଗରେ ଆଇନମନ୍ତ୍ରୀ ବଲ୍ ଶ୍ରୀମନ୍ଦିର ପ୍ରଶାସନ କୋର୍ଟକୁ ଫିଙ୍ଗିଛନ୍ତି।

ପୁରୀ ବାସିନ୍ଦାଙ୍କ କହିବାନୁସାରେ ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା। ବରିଷ୍ଠ ସେବାୟତଙ୍କ କହିବା କଥା, ଯେଉଁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ସହ ଅବଢ଼ା ପାଇଁ ଆନନ୍ଦ ବଜାରକୁ ଯିବାକୁ ଚାହୁଁଛନ୍ତି ସେମାନେ ନାହିଁ ନଥିବା ହୀନସ୍ତା ହେଉଛନ୍ତି। ମହାପ୍ରସାଦ ଟିକେ ପାଇଁ ବି ସେମାନଙ୍କୁ ସିଂହଦ୍ୱାର ବାଟେ ଭିଡ଼ ଦେଇ ଯିବାକୁ ପଡ଼ୁଛି। ଯେଉଁଥିପାଇଁ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିବାକୁ ପଡୁଛି ଭକ୍ତ। ତେଣୁ ଶୀଘ୍ର ଚାରିଦ୍ୱାର ଖୋଲାନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଆଗରୁ ଚାରି ଦ୍ୱାର ଦେଇ ଭକ୍ତମାନେ ମନ ମୁତାବକ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତି କିମ୍ୱା ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ଧରି ଆରାମରେ ବହାରକୁ ଚାଲି ଆସିଥାଏ। ହେଲେ ଚାରିଦ୍ୱାର ମଧ୍ୟରୁ ୩ ଦ୍ୱାରକୁ ଭକ୍ତଙ୍କ ପ୍ରବେଶ ନିମନ୍ତେ ବନ୍ଦ କରାଯାଇଥିବାରୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ମରଚିକୋଟ୍ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଭକ୍ତମାନେ ଘଣ୍ଟାଘଣ୍ଟା ଠିଆ ହୋଇ କଲବଲ ହେଉଛନ୍ତି। ଧର୍ମ, ଅର୍ଥ, କାମ, ମୋକ୍ଷ ଆଶା ରଖି ଭକ୍ତମାନେ ଠାକୁର ଦର୍ଶନ କରିବା ବିଶ୍ୱାକୁ ମଧ୍ୟ ଭାଙ୍ଗି ଦେଇଛି। ଭକ୍ତଙ୍କ ନିମନ୍ତେ ଚାରି ଦ୍ୱାର ଖୋଲି ଦିଆଯିବା ଉଚିତ୍। ଫଳରେ ଭକ୍ତଙ୍କୁ ଆଉ ଖରାବର୍ଷାରେ ଘଣ୍ଟାଘଣ୍ଟା ଧରି ବଡ଼ଦାଣ୍ଡରେ କଷ୍ଟ ଭୋଗିବାକୁ ପଡ଼ିବନି। କରୋନା ବେଳେ ସଂକ୍ରମଣ ବଢ଼ିବା ଅଶଙ୍କା କରି କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ନିମନ୍ତେ ଛଡ଼ା ଯାଉଥିଲା। ଏବେ ଏହି ମହାମାରୀ ହଟି ସାରିଥିବାରୁ କଟକଣା ମଧ୍ୟ ହଟାଇଦେବା ଉଚିତ୍।

ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ପ୍ରଶାସନ ଅଭିମୁଖ୍ୟ ଠିକ୍‌ ଲାଗୁନି। ପ୍ରଥମେ ଭକ୍ତଙ୍କ ବିଶ୍ୱାସକୁ ଆଘାତ ଦେଇ ଶ୍ରୀମନ୍ଦିର ରତ୍ନ ସିଂହାସନ ପାଖରୁ ଠାକୁର ଦର୍ଶନ ବନ୍ଦ କରି ଦିଆଗଲା। ଏବେ ଚାରି ଦ୍ୱାର ଦେଇ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ବନ୍ଦ କରାଗଲା। ଏଥିଯୋଗୁ ଭକ୍ତ ମନରେ ଅସନ୍ତୋଷ ସୃଷ୍ଟି ହେଉଛି। ଭକ୍ତ ଖରାବର୍ଷାରେ କଲବଲ ହେଉଛି। ଟିକିଏ ମହାପ୍ରସାଦ ଆଣିବାକୁ ମଧ୍ୟ ଭକ୍ତକୁ ଧାଡ଼ିରେ ଘଣ୍ଟାଘଣ୍ଟା ଠିଆ ହେଲେ ଶ୍ରୀମନ୍ଦିର ସିଂହଦ୍ୱାର ବାଟେ ଯିବାର ଅନୁମତି ମିଳୁଛି। ଭକ୍ତଙ୍କ ନିମନ୍ତେ ଏଭଳି ପ୍ରତିବନ୍ଧକ ଠିକ୍‌ ନୁହେଁ। ଏପରି ହେଲେ ଭକ୍ତଙ୍କ ଭିତରେ ଅନ୍ଦୋଳନ ଦେଖାଦେବ। ଏଥିପାଇଁ ସରକାର ହିଁ ଦାୟୀ ରହିବେ।

ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ରହିଛି ଚାରି ଦ୍ୱାର। ଯାହାକି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର ଦ୍ୱାର ଭାବେ ମଧ୍ୟ ବିଶ୍ୱାସ ରହିଛି। ପୂର୍ବରୁ ୨୦୧୮ ମସିହାରେ କେବଳ ଏକମାତ୍ର ସିଂହଦ୍ୱାରବାଟେ ପ୍ରବେଶ ଓ ଅନ୍ୟଦ୍ୱାର ଦେଇ ପ୍ରବେଶ ବାରଣ ନିଷ୍ପତ୍ତିକୁ ନେଇ ତୀବ୍ର ଆପତ୍ତି ଉଠିଥିଲା। ବଢୁଥିବା ଅସନ୍ତୋଷକୁ ଦେଖି ସେତେବେଳେ ପୁରୀ ବାସିନ୍ଦାଙ୍କୁ ବିଭିନ୍ନ ପରିଚୟପତ୍ର ଦେଖାଇ ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାର ଦେଇ ପ୍ରବେଶ ଅନୁମତି ମିଳୁଥିଲା। ହେଲେ କରୋନା ପରଠୁ ଏହା ବନ୍ଦ ହୋଇଛି ଯେ, ଆଜି ଯାଏଁ ଆଉ ଛଡ଼ାଯାଉ ନାହିଁ।

ଏହି କଥା ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ଗତ ରଥ ସମନ୍ୱୟ ବୈଠକ ସମୟରେ କ୍ଷମତାରେ ଥିବା ମନ୍ତ୍ରୀ ଓ ପ୍ରଶାସକଙ୍କ ଆଗରେ ଉଠାଇଥିଲେ। ରଥଯାତ୍ରା ସରିଲେ ଏହାର ସମାଧାନ ହେବ ବୋଲି ବୈଠକରେ ପ୍ରତିଶ୍ରୁତି ମିଳିଥିଲା। ହେଲେ ରଥଯାତ୍ରା ସରିବାର ଇତିମଧ୍ୟରେ ୧୫ଦିନରୁ ଅଧିକ
ସମୟ ବିତିଯାଇଥିଲେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ରହିଛି। ଏମିତିକି ଏଥିପାଇଁ ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରୀମନ୍ଦିର ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏକ ଲକ୍ଷ ଭକ୍ତଙ୍କ ଠାରୁ ଚାରି ଦୁଆର ଖୋଲିବା ନେଇ ଦସ୍ତଖତ ଆଣି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଞ୍ଚ ପ୍ରସ୍ତୁତ ହେଉଛି। ଆଉ ଏଭଳି ସ୍ଥିତିରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଧାଡ଼ିକିଆ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ପ୍ରଶାସନ ବିଚାର କରିବ ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବ।

ଭକ୍ତମାନେ କହିଛନ୍ତି, ପ୍ରଶାସନ ଯାହା କରୁଛି କିଛି ଠିକ୍‌ କରୁନି। ଭକ୍ତଙ୍କ ମତ ନ ନେଇ ସେମାନଙ୍କ ସହ ବିଶ୍ୱାସ ଓ ଅସ୍ଥା ଉପରେ ଆଘାତ କରୁଛି। ତୁରନ୍ତ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲି ଭକ୍ତଙ୍କ ସ୍ୱଚ୍ଛନ୍ଦ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ବ୍ୟବସ୍ଥା କରାଯାଉ।

Puri Shreemandir Jagannath Temple Temple Entry