Advertisment

ବଦଳିପାରେ ବଡ଼ଦାଣ୍ଡର ରଙ୍ଗ

ବଦଳିପାରେ ବଡ଼ଦାଣ୍ଡର ରଙ୍ଗ। ଫିକା ହଳଦୀ ବଦଳରେ ଫିକା ଗୋଲାପୀ ରଙ୍ଗରେ ସଜେଇ ହୋଇପାରେ ବଡ଼ଦାଣ୍ଡର ସବୁ କୋଠା।

author-image
Biswajit Samal
ଅଦ୍ୟତନ ହୋଇଛି
undefined

Puri

ଥିଲା ଫିକା ଏବେ ହଳଦୀ ଆଉ ଆଗକୁ ଲାଗିବ ଫିକା ଗୋଲାପୀ। ଆମେ କହୁଛୁ ପୁରୀ ବଡ଼ଦାଣ୍ଡ କଥା। ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡ଼ଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି।

Advertisment

ଖୁବଶିଘ୍ର ଏଥିପାଇଁ ନିର୍ଦ୍ଦେଶନାମା ଜାରି ହୋଇପାରେ। ତେବେ ନବକଳେବର ସମୟରୁ ଥିବା ନିୟମ ଅନୁଯାୟୀ। ଲୋକେ ମାନେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ଓ ଘରେ ଫିକା ହଳଦୀ ରଙ୍ଗ ଦେଇଥିଲା ବେଳେ ଏବେ ଯଦି ତାକୁ ବଦଳେଇବାକୁ ନିର୍ଦ୍ଦେଶ ଆସେ, ତେବେ ସେବାବଦରେ ଖର୍ଚ୍ଚ କିଏ ବହନ କରିବ? 

ବଡ଼ଦାଣ୍ଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଘରର ରଙ୍ଗରେ ସମାନତା ଆଣିବାକୁ ରାଜ୍ୟ ସରକାର ପୁଣିଥରେ  ଖୁବଶୀଘ୍ର ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। କୁହାଯାଉଛି, ଶନିବାର ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ସମୟରେ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ରଙ୍ଗ ବଦଳାଇ ଯିବା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି।

Advertisment

ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପି ରଙ୍ଗ ଚୟନ କରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ଏହା ବି କୁହାଯାଉଛି ଯେ ଏନେଇ ଗାଇଡ୍ ଲାଇନ୍ ଜାରି ହେବା ପରେ ଲୋକେ ଯଦି ନିଜ ଆଡ଼ୁ ରଙ୍ଗ ନ ବଦଳାନ୍ତି, ତାହେଲେ ପ୍ରଶାସନ ଏହି ରଙ୍ଗ କାମ କରିବ। କିନ୍ତୁ ପରେ ସଂପୃକ୍ତ ବ୍ୟକ୍ତି ରଙ୍ଗ ବାବଦ ଖର୍ଚ୍ଚ ବହନ କରିବେ। ହେଲେ ଏନେଇ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ବଡଦାଣ୍ଡର ରଙ୍ଗରେ ସମାନତା ଆଣିବା ପାଇଁ ଉଦ୍ୟମ ହେଉଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ।

ନବକଳେବର ସମୟରେ ବଡ଼ଦାଣ୍ଡରେ ଥିବା କୋଠାର ରଙ୍ଗରେ ସମାନତା ଆଣିବା ଉଦ୍ଦେଶ୍ୟରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା। ସବୁ କୋଠାକୁ ସରକାରଙ୍କ ପକ୍ଷରୁ ଫିକା ହଳଦିଆ ରଙ୍ଗରେ ରଙ୍ଗାଯାଇଥିଲା। ସେବେଠୁ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଘରୋଇ ଓ ବ୍ୟାବସାୟିକ କୋଠାକୁ ଲୋକେ ଫିକା ହଳଦିଆ ରଙ୍ଗ ଦେଉଛନ୍ତି।

କିନ୍ତୁ ଭିତରେ ଭିତରେ ଭିନ୍ନ ଭିନ୍ନ ରଙ୍ଗର କୋଠା ବି ମୁଣ୍ଡ ଟେକିଲାଣି। ତେବେ ଯେଉଁମାନେ ନିୟମ ଉଲ୍ଲଂଘନ କରି ଭିନ୍ନ ରଙ୍ଗ କରିଛନ୍ତି। ସେମାନଙ୍କୁ ତାଗିଦ୍ ପରିବର୍ତ୍ତେ ମାତ୍ର କେଇଟା ବର୍ଷ ପରେ ଏବେ ପୁଣି ଲୋକଙ୍କୁ ନିଜ ହାତରୁ ଖର୍ଚ୍ଚାନ୍ତ କରାଇ ରଙ୍ଗ ପରିବର୍ତ୍ତନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏପରି ରଙ୍ଗା ବଦଳାଇବା ଚର୍ଚ୍ଚାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସରକାର ଯଦି ଚାହୁଁଛନ୍ତି ପୂର୍ବଥର ଭଳି ଏଥର ବି ମାଗଣାରେ ରଙ୍ଗ ବଦଳାନ୍ତୁ। ଆମେ କାହିଁକି ଅଯଥାରେ ଖର୍ଚ୍ଚାନ୍ତ ହେବୁ ବୋଲି ପ୍ରଶ୍ନ କରିଛନ୍ତି ବଡ଼ଦାଣ୍ଡରେ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ଲୋକ। 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପରିବର୍ତ୍ତିତ ରଙ୍ଗ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ଏନେଇ ସରକାର ବିଧିବଦ୍ଧ ଭାବରେ କୌଣସି ଘୋଷଣା କରି ନାହାନ୍ତି। ପୂର୍ବରୁ ଥିବା ଫିକା ହଳଦୀ ରଙ୍ଗକୁ ଏବେ ଫିକା ଗୋଲାପି କରାଯିବାର ଉଦ୍ଦେଶ୍ୟ କ’ଣ ତାକୁ ନେଇ ବି ପ୍ରଶ୍ନ ଉଠିଛି।

Odisha Puri Shreemandir Bada Danda