Advertisment

ବିଡିଓ ଓ ତହସିଲଦାରଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଛାତ୍ରଛାତ୍ରୀ

ଆଜି ସକାଳୁ ସକାଳୁ ଫୁଲପୋଖରୀ ଛକରେ ଏମିତି ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଫୁଲପୋଖରୀ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ।

ଅଦ୍ୟତନ ହୋଇଛି
School boys and girls

School boys and girls

Advertisment

ସ୍କୁଲ ଯିବା ଲାଗି କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲୁଥିଲେ ପିଲା। ଭଲ ରାସ୍ତାଟେ ପାଇଁ ଜିଲ୍ଲାପାଳ, ବିଡିଓ, ତହସିଲଦାରଙ୍କୁ ବାରମ୍ବାର ଦାବି ଜଣାଉଥିଲେ ବି କେହି ଶୁଣୁନଥିଲେ। ହେଲେ ଆଜି ନିଜ ଅଧିକାର ନିଜେ ହାସଲ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ ବାରଙ୍ଗ ଫୁଲପୋଖରୀ ସ୍କୁଲର ଶତାଧିକ ପିଲା। ଖାଲି ଆନ୍ଦୋଳନ ନୁହେଁ, ବିଡିଓ ଓ ତହସିଲଦାରଙ୍କୁ ପାଣି କାଦୁଅ ରାସ୍ତାରେ ଚଲାଇ, ସେମାନଙ୍କଠୁ ଦାବି ହାସଲର ଲିଖିତ ପ୍ରତିଶ୍ରୁତି ବି ହାସଲ କରି ନେଇଛନ୍ତି।

Advertisment

ବୟସ ସାନ, ବୁଦ୍ଧି ବି କମ୍। ହେଲେ ଦାବି ହାସଲ ଲାଗି ଆନ୍ଦୋଳନର ତରିକା ବୟସ୍କ ଓ ବୁଦ୍ଧିମାନଙ୍କଠୁ ବି ଅଧିକ। ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପିଆଇଲେ ପାଣି। ପିଲାଙ୍କ ସହ କାଦୁଅ ପଚ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର। ଏ ଦୃଶ୍ୟ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ତ୍ରିଶୁଳିଆ-ବାରଙ୍ଗ ମୁଖ୍ୟ ରାସ୍ତାର। ଆଜି ସକାଳୁ ସକାଳୁ ଫୁଲପୋଖରୀ ଛକରେ ଏମିତି ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଫୁଲପୋଖରୀ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ। ଦାବି ଥିଲା ସ୍କୁଲକୁ ସ୍ଥାୟୀ ରାସ୍ତା ନିର୍ମାଣ ହେଉ। ଏଇ ଦାବି ନେଇ ପ୍ରଥମେ ସ୍କୁଲ ଗେଟରେ ତାଲା ପକାଇବା ପରେ ମୁଖ୍ୟ ରାସ୍ତାରେ ଧାରଣା ଦେଇ ଜୋରଦାର ନାରାବାଜି କରିଥିଲେ ଛାତ୍ରଛାତ୍ରୀ। ବ୍ୟସ୍ତବହୁଳ ଏ ରାସ୍ତାର ଉଭୟ ପାର୍ଶ୍ବରେ ଅଟକ ରହିଥିଲେ ଶହ ଶହ ସଂଖ୍ୟାରେ ଗାଡ଼ି। ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ପରେ ନାକେଦମ୍ ହୋଇଥିଲା ପୁଲିସ। ସେପଟେ ପିଲାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଘଟଣାସ୍ଥଳକୁ ଆସିଥିଲେ ବାରଙ୍ଗ ବିଡିଓ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚ।

ଛାତ୍ରଛାତ୍ରୀଙ୍କ ଦାବି ହାସଲର ପ୍ରକ୍ରିୟା ଏଇଠି ସରିନଥିଲା। ସେମାନେ ଦୈନିକ ସ୍କୁଲ ଗଲାବେଳେ ରାସ୍ତାର ଦୁରବସ୍ଥା ପାଇଁ କିଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହା ବିଡିଓ ଓ ତହସିଲଦାରଙ୍କୁ ଆଖିରେ ଦେଖାଇବା ସହ ଜଣାଇ ଦେବାକୁ ବି ଚାହିଁଥିଲେ। ପିଲାଙ୍କ ଦାବି ଆଗରେ ହାର ମାନି ଶେଷରେ ସୁଟ୍ ବୁଟ୍ ପିନ୍ଧା ଅବସ୍ଥାରେ ଦୁଇ ଅଫିସର କାଦୁଅ ପଚପଚ ରାସ୍ତା ଓ ଗୋଳିଆ ପାଣି ଭିତରେ ପିଲାଙ୍କ ସହ ଚାଲିବାକୁ ବାଧ୍ୟ ହୋଇଥିଲେ। ପରେ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ସ୍କୁଲ ପରିସରରେ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲା। ଖରାପ ରାସ୍ତାର କିଛି ଅଂଶ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସଂପତ୍ତି ହୋଇଥିବାରୁ ତାଙ୍କ ସହ ଆଲୋଚନା ପରେ ସ୍ଥାୟୀ ପ୍ରତିକାର ପାଇଁ ପିଲାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଡିଓ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚ। ଏହା ପରେ ଶାନ୍ତ ପଡ଼ିଥିଲେ ଛାତ୍ରଛାତ୍ରୀ।

Advertisment

ପ୍ରାୟ ୧୦୦ ବର୍ଷର ଏ ପୁରୁଣା ସ୍କୁଲକୁ ଫାଇଭ୍ ଟି ସ୍କୁଲ ଭାବେ ରୂପାନ୍ତରିତ କରିଥିଲେ ତତ୍କାଳୀନ ବିଜେଡି ସରକାର। ହେଲେ ସ୍ଥାୟୀ ରାସ୍ତା ପାଇଁ ପିଲାଙ୍କ ବର୍ଷ ବର୍ଷର ଦାବିକୁ ଅଣଦେଖା କରାଯାଇ ଆସୁଥିଲା। କିନ୍ତୁ ଆଜିର ଏ ସମୁହ ଆନ୍ଦୋଳନ ପରେ ଆଗକୁ ରାସ୍ତାର ଚିତ୍ର ବଦଳିବା ନେଇ ଆଶା ରଖିଛନ୍ତି ଛାତ୍ରଛାତ୍ରୀ।

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe