/odisha-reporter/media/post_attachments/uploadimage/library/16_9/16_9_0/Bear_1720001165.jpg)
Bear
ମାଟି ପଚପଚ କୂଅରେ ପଡ଼ି ଛଟପଟ ହେଉଥିବା ଭାଲୁ ଉଦ୍ଧାର ହେବା ପରେ ଦେଖାଇଛି ତୋଡ଼। କୂଅରୁ ବାହାରିବା ପରେ ଗାଁରେ ମୁହାଁ ହୋଇ ଆତଙ୍କ ସୃଷ୍ଟି କରିଛି। ଜଣେ ମହିଳାଙ୍କୁ ଆକ୍ରମଣ କରିଛି କୂଅରୁ ଉଦ୍ଧାର ହୋଇଥିବା ଭାଲୁ।
ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇଥିବା ବେଳେ ଆଉ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଅନ୍ତର୍ଗତ କୁଡାନାଳି ଗାଁରେ ଘଟିଛି ଘଟଣା।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଭାଲୁଟି ଗାଁରେ ଥିବା ଗୋଟିଏ ମାଟି କୂଅରେ ପଡ଼ି ଯାଇଥିଲା। ଖବର ପାଇ ବନ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ ଓ ବେଶ କିଛି ସମୟର ପରିଶ୍ରମ ପରେ ଭାଲୁଟିକୁ କୂଅରୁ ବାହାର କରିଥିଲେ।
କୂଅରୁ ବାହାରିବା ପରେ ଭାଲୁଟି ସିଧାସଳଖ ଗାଁ ମୁହାଁ ହୋଇଥିଲା। ଗାଁ ମୁହାଁ ହେବା ବେଳେ ତା’ ସାମ୍ନାରେ ଯାହାକୁ ପାଇଲା, ସେମାନଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଗାଁର ଉମା ମାଝୀ ଗୁରୁତର ଆହତ ହୋଇଥିଲେ। ସେ ଗୁରୁତର ହେବାରୁ ବନବିଭାଗ ତାଙ୍କୁ ମେଡିକାଲ ପଠାଇଛି।
ସେହିପରି ଭାଲୁ ଆକ୍ରମଣକୁ ବର୍ତ୍ତିବାକୁ ଚେଷ୍ଟା କରି ଗାଁର କିଛି ଲୋକ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୋଇଛନ୍ତି। ସେହିପରି ଭାଲୁ ପଞ୍ଝା ମାରି ଆଉ କିଛି ଲୋକଙ୍କୁ ଆହତ କରିଛି।
ଗାଁରେ କିଛି ସମୟ ଆତଙ୍କ ସୃଷ୍ଟି କରିବା ପରେ ଭାଲୁଟି ପାଖ ଜଙ୍ଗଲକୁ ଚାଲି ଯାଇଛି। ତେବେ ସେ ପୁଣି ଗାଁକୁ ଫେରିବାର ଆଶଙ୍କା ଥିବାରୁ ବନ କର୍ମଚାରୀ ସେଠାରେ ମୁତୟନ ହୋଇଥିବା ନାକଟିଦେଉଳ ରେଞ୍ଜର ଅଶ୍ଵିନୀ ବେହେରା ଫୋନ୍ ଯୋଗେ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
