/odisha-reporter/media/post_attachments/uploadimage/library/16_9/16_9_0/School_1733327261.jpg)
School
ଛାତ୍ରୀମାନେ ପାଚେରୀ ଡେଇଁ ସକାଳେ ସକାଳେ କ’ଣ ପାଇଁ ଚାଲିଲେ? ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଛାତ୍ରୀମାନଙ୍କୁ କ’ଣ ପାଇଁ ହଇରାଣ ହରକତ କରାଯାଉଛି? ଏହାର ତଦନ୍ତ କରିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା।
ଗତ ରବିବାର ଭୋରୁ ଭୋରୁ ଖୁଣ୍ଟା ବ୍ଲକ୍ କମଳି ଆଦିବାସୀ ଛାତ୍ରୀ ନିବାସର କେତେକ ଛାତ୍ରୀ ପାଚେରୀ ଡେଇଁ ଚାଲି ଚାଲି ବାରିପଦାକୁ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିବା ପାଇଁ ଯାଇଥିଲେ। ହେଲେ ଦଶ କିମି ଚାଲିବା ପରେ ସ୍ଥାନୀୟ ଲୋକେ ବୁଝାସୁଝା କରି ଛାତ୍ରୀମାନଙ୍କୁ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ଛାତ୍ରୀମାନେ ସକାଳେ ତହସିଲଦାରଙ୍କୁ ଭେଟି ସ୍କୁଲର ସମସ୍ୟା ଜଣାଇଥିଲେ।
ଛାତ୍ରୀମାନେ ଅଭିଯୋଗ କରିଥିଲେ, ସ୍କୁଲରେ ଠିକ୍ ଭାବେ ଖାଇବାକୁ ଦିଆଯାଉ ନାହିଁ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ଠିକ୍ ଠାକ୍ ଯୋଗାଇ ଦିଆଯାଉ ନାହିଁ ବୋଲି କହିଥିଲେ। ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦାଙ୍କ ମନକୁ ବ୍ୟଥିତ କରିଥିଲା। ମଙ୍ଗଳବାର ଅପରାହ୍ନରେ ଅଧ୍ୟକ୍ଷା ଭାରତୀ ହାଁସଦା ସ୍କୁଲରେ ପହଞ୍ଚି ଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।
ବିଶେଷକରି ଛାତ୍ରୀଙ୍କ ସହିତ ଭାରତୀ ନିଜ ଭାଷା(ଆଞ୍ଚଳିକ ବା ଆଦିବାସୀ)ରେ କଥା ହୋଇଥିଲେ। କେତେକ ଛାତ୍ରୀ ଭାରତୀଙ୍କୁ ସେମାନଙ୍କ ସମସ୍ୟା ବଖାଣି ଥିଲେ। ଏହା ସହ ହଷ୍ଟେଲର ପରିଚାଳନା ବାବଦରେ ଅନେକ ଅଭିଯୋଗ କରିଥିଲେ। ସ୍କୁଲର ରୋଷେଇ ଅବ୍ୟବସ୍ଥା ଓ ଛାତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଭାରତୀ। ସ୍କୁଲ୍ରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ପାଠ ପଢ଼ାରେ ସେମାନେ ପଛୁଆ ଦେଖି ଶିକ୍ଷକମାନଙ୍କୁ ତାଗିଦ କରିଥିଲେ ଭାରତୀ ହାଁସଦା। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲା ଡିଡବ୍ଲୁଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।
ରିପୋର୍ଟ-ମାନିକଲାଲ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
