Advertisment

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ: ସବୁ ଟେଣ୍ଡର ବାତିଲ କଲା ଦିଲ୍ଲୀ ମେଟ୍ରୋ

ପ୍ରକଳ୍ପ କାର୍ଯ୍ୟ ଆରମ୍ଭରେ ବିଳମ୍ବ ଦର୍ଶାଇ ଏହି ଟେଣ୍ଡରଗୁଡ଼ିକୁ ବାତିଲ କରାଯାଇଥିବାବେଳେ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀ ‘ସୈଗଲ୍ ଇଣ୍ଡିଆ’ ଓ ରଞ୍ଜିତ୍ ବିଲଡନ୍ ସମେତ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ନିଜର କ୍ଷତି ଭରଣା ପାଇଁ ଆଇନଗତ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Metro

Metro

Advertisment

ରାଜ୍ୟରେ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା ‘ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ’ କାର୍ଯ୍ୟରେ ଆଜି ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ଜୁଲାଇ ୨୫ତାରିଖରେ ସମସ୍ତ ଟେଣ୍ଡରକୁ ବାତିଲ କରିଦେଇଛି ।

Advertisment

ପ୍ରକଳ୍ପ କାର୍ଯ୍ୟ ଆରମ୍ଭରେ ବିଳମ୍ବ ଦର୍ଶାଇ ଏହି ଟେଣ୍ଡରଗୁଡ଼ିକୁ ବାତିଲ କରାଯାଇଥିବାବେଳେ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀ ‘ସୈଗଲ୍ ଇଣ୍ଡିଆ’ ଓ ରଞ୍ଜିତ୍ ବିଲଡନ୍ ସମେତ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ନିଜର କ୍ଷତି ଭରଣା ପାଇଁ ଆଇନଗତ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି । ଏପଟେ ରାଜ୍ୟର ବିଜେପି ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ବ୍ୟାପକ କରି କେନ୍ଦ୍ର ସରକାରଙ୍କ ସହଭାଗିତାରେ କାର୍ଯ୍ୟାନ୍ୱୟନ ନିମନ୍ତେ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ବାତିଲ କଲା ଟେଣ୍ଡର

ପ୍ରାୟ ୬୨୫୬ କୋଟି ଟଙ୍କାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଫେଜ-୧ କାର୍ଯ୍ୟ ସମ୍ପାଦନ ନିମନ୍ତେ ଚୁକ୍ତିବଦ୍ଧ ହୋଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ଜୁଲାଇ ୨୫ତାରିଖରେ ସମସ୍ତ ଟେଣ୍ଡର ବାତିଲ କରିଦେଇଥିବା ଜଣାପଡ଼ିଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ୨୦୨୪ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଟେଣ୍ଡର ହାସଲ କରିଥିବା ସୈଗଲ ଇଣ୍ଡିଆ,ରଞ୍ଜିତ ବିଲଡକନ୍ , ସାଇଷ୍ଟ୍ରା ଏମଭିଏ କନସଲଟାଂଟ ଇଣ୍ଡିଆ, ଆଇସିଟି, ଏମଆଇଏ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଥିବା କାର୍ଯ୍ୟାଦେଶକୁ ରଦ୍ଦ କରିଦିଆଯାଇଛି ।

Advertisment

ରଞ୍ଜିତ ବିଲଡକନ୍ ସଂସ୍ଥାକୁ କ୍ୟାପିଟାଲ ହସ୍ପିଟାଲ ଛକରୁ କିଟ୍ ଛକ ପର୍ଯ୍ୟନ୍ତ କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ ୧୧୮୭ କୋଟି ଟଙ୍କାର ଟେଣ୍ଡରର  କାର୍ଯ୍ୟାଦେଶ  ଦିଆଯାଇଥିବାବେଳେ ସୈଗଲ ଇଣ୍ଡିଆକୁ କିଟ୍ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୮୯୯କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା । ସେହିପରି ସାଇଷ୍ଟ୍ରା ଏମଭିଏ କନସଲଟିଂ ଇଣ୍ଡିଆକୁ ୧୦୧୨କୋଟି ଟଙ୍କାର, ଏମଆଇଏ କନଷ୍ଟ୍ରକ୍ସନକୁ ୭୯.୭୫କୋଟି ଟଙ୍କାର ଓ ଆଇସିଟିକୁ ୧୩.୦୪କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟାଦେଶ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ପ୍ରଦାନ କରାଯାଇଥିଲା।

MetroMetro

ସୈଗଲ ଇଣ୍ଡିଆ ନିଜଆଡ଼ୁ ସବଲେଟ୍ ମାଧ୍ୟମରେ ସିଭିଲ୍ ୱାର୍କ ନିମନ୍ତେ ୩୦୨.୮୨କୋଟି ଟଙ୍କାର ଟେଣ୍ଡର ଆଇଏଲଆଣ୍ଡଏଫଏସ୍ ଇଞ୍ଜିନିୟରିଂ ନାମକ ସଂସ୍ଥାକୁ ମଧ୍ୟ ଦେଇଥିଲା । ତେଣୁ ଅଚାନକ ଏହି ଟେଣ୍ଡରଗୁଡ଼ିକ ବାତିଲ ହେବାପରେ ସମ୍ପୃକ୍ତ କମ୍ପାନୀଗୁଡ଼ିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୈଗଲ ଇଣ୍ଡିଆ ମଧ୍ୟ ଏହି ଟେଣ୍ଡର ବାତିଲକୁ ନେଇ କଡ଼ା ଆପତ୍ତି ଉଠାଇବା ସହ କ୍ଷତିପୂରଣ ନିମନ୍ତେ ଖୁବଶୀଘ୍ର କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ଦେଇଛି ।

ରାଜ୍ୟ ବିଜେପି ସରକାରଙ୍କ ଯୋଜନା

ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ରାଜ୍ୟର ବିଜେପି ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ କରିବାର ସଙ୍କେତ ଦେଇଥିଲା । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଏହାକୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ହାଇକୋର୍ଟ ଛକ ପର୍ଯ୍ୟନ୍ତ ବଢ଼ାଇବେ ବୋଲି କେତେବେଳେ କହିଲେ କେବେପୁଣି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଆଦି କହି ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ମାତ୍ର ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଅଗ୍ରଗତିକୁ ନେଇ ଆଲୋଚନା ହୋଇଥିଲା ।

ଗତ ସପ୍ତାହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବିକଶିତ ଓଡ଼ିଶା-୨୦୩୬କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ନିମନ୍ତେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ମେଟ୍ରୋ ପ୍ରକଳ୍ପକୁ ୫ଟି ପର୍ଯ୍ୟାୟରେ ପୂରଣ କରିବାକୁ ସ୍ଥିରୀକୃତ ହୋଇ ୨୦୩୬ ମସିହା ସୁଦ୍ଧା ୩ଟି ପର୍ଯ୍ୟାୟ( ଭୁବନେଶ୍ୱର ବିମାନ ବନ୍ଦରରୁ କଟକ, ପାହାଳରୁ ଏମସ-ଭାୟା ରସୁଲଗଡ଼ ଓ ରସୁଲଗଡ଼ରୁ ଉତ୍ତରା ଛକ ପର୍ଯ୍ୟନ୍ତ କାର୍ଯ୍ୟ ସାରିବାକୁ ଯୋଜନା ହୋଇଛି । ସେହିପରି ୪ର୍ଥ ଓ ୫ମ ପର୍ଯ୍ୟାୟରେ ଉତ୍ତରାରୁ ପୁରୀ ଓ ଏମସରୁ ଖୋର୍ଦ୍ଧା ପର୍ଯ୍ୟନ୍ତ (୨୦୪୭ ମସିହା ସୁଦ୍ଧା) କାର୍ଯ୍ୟ ସମ୍ପାଦନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

ଏବେ ରାଜ୍ୟ ସରକାର ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ସାନି ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରିବା ସହ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇବେ ଓ ରାଜ୍ୟ-କେନ୍ଦ୍ର ମିଳିତ ଭାଗିଦାରୀରେ ଏହି ମେଟ୍ରୋ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି ।

Odisha Metro Rail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe